ନିରକ୍ଷରଙ୍କ ପାଇଁ ଉଲ୍ଲାସ କାର୍ଯ୍ୟକ୍ରମର ଶୁଭାରମ୍ଭ।
ରଘୁନାଥପୁର:-୧୫/୯:-ରଘୁନାଥପୁର ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ମଧୁସୂଦନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିରକ୍ଷରଙ୍କ ପାଇଁ ଉଲ୍ଲାସ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।ନବଭାରତ ସାକ୍ଷରତା ମିଶନ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଆଶୁତୋଷ ବାନାର୍ଜୀ ଅଧ୍ୟକ୍ଷତା କରିଥିଲେ।୧୫ ବର୍ଷରୁ ଉର୍ଦ୍ଧ୍ବ ପଢ଼ିଲେଖି ଜାଣିନଥିବା ମହିଳା ଓ ପୁରୁଷଙ୍କୁ ଚିହ୍ନଟ କରି ସେମାନଙ୍କୁ ସାକ୍ଷର କରିବା କାର୍ଯ୍ୟକ୍ରମର ଉଦେଶ୍ୟ ଓ ଆଭିମୁଖ୍ୟ ବୋଲି ଶିକ୍ଷାଧିକାରୀ ବାନାର୍ଜୀ ପ୍ରକାଶ କରିଥିଲେ।ପ୍ରତି ୧୦ ଜଣ ନିରକ୍ଷର ମହିଳା ଓ ପୁରୁଷଙ୍କ ପାଇଁ ଜଣେ ଶିକ୍ଷକ ନିୟୋଜିତ ରହି ସେମାନଙ୍କୁ ପଢାଲେଖା ଶିଖାଇବେ।ପରବର୍ତ୍ତୀ ସମୟରେ ସେମାନଙ୍କୁ ପରୀକ୍ଷା କରାଇ ୪ର୍ଥ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଇବେ।ଏ ସମ୍ପର୍କରେ ଶିକ୍ଷକ ଓ ସିଆରସିସି ମାନଙ୍କୁ ତାଲିମ ଦେବାପାଇଁ ସାଧନ କର୍ମୀ ଶାନ୍ତନୁ କୁମାର ପାତ୍ର, ଭାସ୍କର ଚନ୍ଦ୍ର ମୁଦୁଲି ଓ ବାଉରୀବନ୍ଧୁ ଓଝା ନିୟୋଜିତ ଥିଲେ।ଅନ୍ୟତମ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବାବାଜୀ ଚରଣ ସାହୁ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ ରବିବାର କିମ୍ବା ଅନ୍ଯ ଛୁଟି ଦିନରେ ଶିକ୍ଷକମାନେ ଏଥିପ୍ରତି ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ।ଗତ ୨୦୧୧ ପରିସଂଖ୍ୟାନ ଅନୁଜାଇ ଜଗତସିଂହପୁର ଜିଲ୍ଲାରେ ନିରକ୍ଷରତା କ୍ଷେତ୍ରରେ ପୁରୁଷଙ୍କ ଠାରୁ ମହିଳାଙ୍କ ହାର ଅଧିକ ରହିଥିବା ସମ୍ପର୍କରେ ସାଧନକର୍ମି ପାତ୍ର ପ୍ରକାଶ କରିଥିଲେ।ସେହିପରି ପ୍ରତ୍ୟେକ ବ୍ୟକ୍ତି ଅତ୍ୟନ୍ତ ପକ୍ଷେ ଯେପରି ପଢ଼ିଲେଖି ପାରିବେ ଏହା ଆମ ଶିକ୍ଷକ ସମାଜର ଗୁରୁଦାଇତ୍ୱ ବୋଲି ଶିକ୍ଷାଧିକାରୀ ବାନାର୍ଜୀ ବକ୍ତବ୍ୟ ରଖିଥିଲେ।ଏହାଛଡା ଉଲ୍ଲାସ କାର୍ଯ୍ୟକ୍ରମର ସମସ୍ତ ତଥ୍ୟ କିପରି ଅନଲାଇନରେ ଅପଲୋଡ ରହିବ ସେ ସମ୍ପର୍କରେ ତାଲିମଦାତା ମୁଦୁଲି ପ୍ରକାଶ କରିଥିଲେ।
