ଚିକିଟି ଏବଂ ଦିଗପହଣ୍ଡି ବିଧାୟକଙ୍କ ଦ୍ବାରା ବିଧାନସଭା ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ନୂତନ ସରକାର ଗଠନ ହେବା ପରେ ରାଜ୍ୟ ର ଉନ୍ନତି କରିବା ନେଇ ବହୁ ଆଶା ଓ ଆକାଂକ୍ଷା ରହିଛି । ତାହାକୁ ଭିତ୍ତି କରି ତଳ ସ୍ତରରୁ ବିକାଶ କାର୍ଯ୍ୟକୁ ତ୍ବରାନ୍ବୀତ କରିବା ନେଇ ବିଧାୟକ ମାନଙ୍କ ଅଧ୍ୟକ୍ଷତାରେ ବୈଠକ ମାନ ଆୟୋଜନ କରାଯାଇଛି । ବିଧାନ ସଭା ଅଞ୍ଚଳର ଉନ୍ନତି ନେଇ ସମସ୍ତ ଲାଇନ୍ ବିଭାଗ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ଗହଣରେ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଉନ୍ନୟନ ବୈଠକ ଅନୁଷ୍ଠିତ କରାଯାଇଛି । ମଙ୍ଗଳବାର ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପୂର୍ବାହ୍ନରେ ଚିକିଟି ବିଧାୟକ ମନୋ ରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ଶ୍ରୀ ଦ୍ୟାନ ସାମନ୍ତରାୟ ଜଣାଇଥିଲେଯେ, ଜିଲ୍ଲାର ଉନ୍ନତି ପାଇଁ ନିର୍ବାଚିତ ପ୍ରତିନିଧି, ଅଧିକାରୀ ଏବଂ ସମସ୍ତଙ୍କର ଉତ୍ତମ ବୁଝାମଣା ଏବଂ ମିଳିମିଶି ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରି ସମସ୍ୟାର ସମାଧାନ କରି ଅଞ୍ଚଳର ବିକାଶ ବୋଲି ଜଣାଇଥିଲେ । ଅପରାହ୍ନ ସମୟରେ ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଦିଗପହଣ୍ଡି, କୁକୁଡାଖଣ୍ଡି ବିଧାନସଭା ଅଞ୍ଚଳ ଗୁଡିକର ଉନ୍ନୟନ ସମ୍ପର୍କିତ ଆଲୋଚନା ହୋଇଥିଲା । ବିଧାୟକ ଶ୍ରୀ ମହାପାତ୍ର ବୈଠକକୁ ଅବଗତ କରାଇଥିଲେଯେ, ଅଞ୍ଚଳର ବିକାଶ ନିର୍ଦ୍ଧାରିତ ସମୟରେ ପୂରଣ କରିବା ଯାହାବି ଉନ୍ନୟନ କାର୍ଯ୍ୟ କରିବା ତାହା ସକାରାତ୍ମକ ଚିନ୍ତା ଧାରା ନେଇ କାର୍ଯ୍ୟ କଲେ ତାହା ସଫଳ ହେବ ଏବଂ ପ୍ରକୃତ ହିତାଧିକାରୀଗଣ ଯେଭଳି ସେଥିରୁ ଉପକୃତ ହୋଇ ପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜଣାଇଥିଲେ । ଅପରାହ୍ନ ପରେ କୃଷି, ଯୋଗାଣ, ସମନ୍ବୟ, ପାନୀୟ ଜଳ ଯୋଗାଣ, ଶିକ୍ଷା, ଶକ୍ତି, ମତ୍ସ୍ୟ ଓ ପଶୁ ସମ୍ପଦ, ଜଙ୍ଗଲ, ସ୍ବାସ୍ଥ୍ୟ, ଜଳ ସେଚନ, ଶ୍ରମିକ କଲ୍ୟାଣ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ୟନ, ଅନୁସୂଚୀତ ଜାତି ଓ ଜନଜାତି, କ୍ରୀଡା, ବୟନ ଓ ହସ୍ତତନ୍ତ, ପର୍ଯ୍ୟଟନ ଓ ସଂସ୍କୃତି, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା ବିଭାଗ ଗୁଡିକର କାର୍ଯ୍ୟଧାରା, ଯୋଜନାର ଉପଯୋଗ ତଥା ଜନ ସାଧାରଣ ଏବଂ ହିତାଧିକାରୀ କିଭଳି ଉପକୃତ ହେଉଛନ୍ତି ତାହା ଅଧିକାରୀଗଣ ଅବଗତ କରାଇଥିଲେ । ସମସ୍ତ ବିଭାଗର ଅଧିକାରୀଗଣଙ୍କ ସହିତ ସମସ୍ୟାର ସମାଧାନ ଏଭଳି ବିଧାନସଭା ବିଧାୟକ ମାନଙ୍କ ସହ ଆଲୋଚନା କରାଗଲେ ନିଶ୍ଚିତ ରୂପେ ଫଳପ୍ରଦ ହେବ ବୋଲି ଆଶା ପୋଷଣ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟି ସ୍ବାଗତ ଜଣାଇ ଅବଗତ କରାଇଥିଲେଯେ, ଲୋକ ମାନଙ୍କ ମଙ୍ଗଳ ପାଇଁ ଗୋଟିଏ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରିବ ତାହା ହେଲେ ନୀତି ନିୟମକୁ ଆଧାର କରି ସରକାରୀ ସ୍ତରରେ ହେଉଥିବା ବିକାଶ କାର୍ଯ୍ୟ ସୁଚାରୁ ରୂପେ ହୋଇ ପାରିବ । ଚିକିଟି ବିଧାୟକ ଶ୍ରୀ ଦ୍ୟାନ ସାମନ୍ତରାୟ ଅବଗତ କରାଇଥିଲେ ଯେ, ଚାଷ କାର୍ଯ୍ୟ ବୀମା ଯଦି ସଠିକ ତଥ୍ୟକୁ ଆଧାର କରି ଆକଳନ ହେବ ତେବେ ଚାଷୀଙ୍କର କ୍ଷୟକ୍ଷତିର ଭରଣା ସଠିକ ହୋଇପାରିବ ତେଣୁ ଏହାକୁ ଗୁରୁତ୍ବ ଦେବାକୁ ଜଣାଇ ଥିଲେ । କ୍ଷେତକୁ ଜଳ ସେଚନ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ନେଇ ସଂପୃକ୍ତ ତିନି ଗୋଟି ବିଭାଗର ଅଧିକାରୀ ମିଳିତ ବୈଠକ କରି ବୈଷୟିକ ଜ୍ଞାନକୌଶଳର ସୁ ବିନିଯୋଗ ଦ୍ବାରା ପ୍ରୟୋଗ କରି ଛୋଟଛୋଟ ଯୋଜନା ଦ୍ବାରା କେନାଲକୁ ପାଣି ମଡାଇବାକୁ ପରାମର୍ଶ ଦେଇଥିଲେ । ଚାଷ କାର୍ଯ୍ୟ ଓ ଚାଷୀ ମାନଙ୍କର ଉନ୍ନତି ନିମନ୍ତେ ସଠିକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କ ଠାରେ ଉପସ୍ଥାପନ କରିବାକୁ ମତବ୍ୟକ୍ତ କରିଥିଲେ । ପାଣି ପଞ୍ଚାୟତ ଗୁଡିକର ପୁନରୁଦ୍ଧାର କରିବା ନେଇ ସେ ମତ ରଖିଥିଲେ । ଗ୍ରାମାଞ୍ଚଳ ଲୋକଙ୍କୁ ପାନୀୟ ଜଳ ଯୋଗାଣରେ ଅନେକ ଅସୁବିଧା ରହୁଛି । ସେମାନଙ୍କ ଅଞ୍ଚଳରେ ଉପଯୁକ୍ତ ଓ ସ୍ବାସ୍ଥ୍ୟକର ଜଳ ଅଭାବରୁ ଦୂରଦୂରାନ୍ତରରୁ ପାଣି ଆଣି ବ୍ୟବହାର କରୁଛନ୍ତି । ଯଦି ସେମାନଙ୍କ ଅଞ୍ଚଳରେ ନଳକୂପ ଦ୍ବାରା ବାହାରୁଥିବା ଲୁଣିଆ ଜଳକୁ ବୈଷୟିକ ଜ୍ଞାନ କୌଶଳ ପଦ୍ଧତିରେ ବିଶୁଦ୍ଧ କରାଯାଇ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଏ ତେବେ ସେମାନେ ପାନୀୟ ଜଳ କଷ୍ଟରୁ ସୁବିଧା ପାଇବେ । ଉକ୍ତ ଦୁର୍ଗମ ଅଞ୍ଚଳକୁ ଟ୍ୟାପ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ନିମନ୍ତେ ଡିପିଆର୍ ପ୍ରସ୍ତୁତ କରିବାକୁ କହିଥିଲେ । ଅପରାହ୍ନରେ ଦିଗପହଣ୍ଡି ବିଧାୟକ ଶ୍ରୀ ମହାପାତ୍ର ଚାଷ କାର୍ଯ୍ୟ ନିମନ୍ତେ ସର୍ବ ପ୍ରଥମେ ମାଟିର ସଠିକ ପରୀକ୍ଷଣ କରି ମାଟିର ସୁସ୍ଥତା ସମ୍ପର୍କରେ ଜାଣିବା ଜରୁରୀ । ତେବେ ଯାଇ ଉତ୍ତମ ଚାଷ ହୋଇ ପାରିବ । ନୂଆ ପଦ୍ଧତିରେ ଚାଷ କରିବା ଏବଂ ସାର ଯୋଗାଣର ଗୁରୁତ୍ବ ଦେବା ପାଇଁ ଜଣାଇଥିଲେ । ଅନେକ ଗରିବ ବ୍ୟକ୍ତି ଅନ୍ନପୂର୍ଣ୍ଣା ଯୋଜନାରୁ ବଞ୍ଚିତ ଅଛନ୍ତି । ସେମାନଙ୍କୁ ସାମିଲ କରି ପ୍ରକୃତ ହିତାଧିକାରୀଗଣ ଯୋଜନା ସହିତ ସଂପୃକ୍ତ ହୋଇ ଲାଭବାନ ହୋଇପାରିବେ ସେଥି ନିମନ୍ତେ ଦୃଷ୍ଟି ଦେବାକୁ ଜଣାଇଥିଲେ । ରେସନ୍ କାର୍ଡ ପ୍ରଦାନ, ଧାନ ସଂଗ୍ରହ, ସ୍ମାର୍ଟ କ୍ଲାସ ପ୍ରସ୍ତୁତି, ଅତିରିକ୍ତ ଶ୍ରେଣୀ ଗୃହ, ବିଦ୍ୟୁତ ସଂଯୋଗୀ କରଣ, ରାସ୍ତା ଉପରେ ଏବଂ ଅଧା ରାସ୍ତାରେ ରହିଥିବା ଟ୍ରାନସଫର୍ମର ଗୁଡିକୁ ସ୍ଥାନାନ୍ତରୀକରଣ ଓ ବାରିକେଡ ବ୍ୟବସ୍ଥା, ଦୁର୍ଗମ ଅଞ୍ଚଳର ଗରିବ ଲୋକଙ୍କୁ ବିଦ୍ୟୁତ ଯୋଗାଣ, ଚିକିତ୍ସା ଇତ୍ୟାଦି ସମେତ ପୂର୍ତ୍ତ ବିଭାଗ, ଜଳ ସେଚନ ବିଭାଗ ଅନ୍ତର୍ଗତ ବିଭିନ୍ନ ଯୋଜନା ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା । ଉଭଯ ବୈଠକରେ କୃଷି, ଖାଉଟି କଲ୍ୟାଣ, ସମବାୟ, ପାନୀୟ ଜଳ, ଶିକ୍ଷା, ଶକ୍ତି, ମତ୍ସ୍ୟ ଓ ପଶୁସମ୍ପଦ, ଜଙ୍ଗଲ, ସ୍ବାସ୍ଥ୍ୟ, ଜଳ ସେଚନ, ଶ୍ରମିକ କଲ୍ୟାଣ, ଅଣୁ,କ୍ଷୁଦ୍ର,ମଧ୍ୟମ ଉଦ୍ୟୋଗ, ଗ୍ରାମ୍ଯ ଉନ୍ନୟନ, ଅନୁସୂଚୀତଜାତି ଓ ଜନଜାତି, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିଭାଗ ସମ୍ପର୍କିତ ସୁବିସ୍ତୃତ ଆଲୋଚନା ହୋଇଥିଲା । ଉଭୟ ବୈଠକରେ ଚିକିଟି ଓ ଦିଗପହଣ୍ଡି ବ୍ଲକ୍ ଅଧ୍ୟକ୍ଷା/ଅଧ୍ୟକ୍ଷ, ଲୋକ ପ୍ରତିନିଧି, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ଅତିରିକ୍ତ ଜିଲ୍ଲାପାଳ ଡ ପ୍ରମୋଦ କୁମାର ପୃଷ୍ଟି, ବ୍ରହ୍ମପୁର ଉପଜିଲ୍ଲାପାଳ ଧୀନା ଦସ୍ତଗୀର, ପ୍ରକଳ୍ପ ନିର୍ଦ୍ଦେଶକ ଡୁଡା ରବୀନ୍ଦ୍ର କୁମାର ପଟେଲ ମଞ୍ଚାସୀନ ଥିବା ବେଳେ ଜିଲ୍ଲାର ସମସ୍ତ ଲାଇନ ବିଭାଗୀୟ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ, ଚିକିଟି, ଦିଗପହଣ୍ଡି ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *