ଦୀପ ଜାଳି ଆସ ପାଳିବା ଦିପାବଳୀ
ଦୀପ ଜାଳି ଆସ ପାଳିବା ଦିପାବଳୀ
🖊️କବିରତ୍ନ ନୂତନ କୁମାର ବେହେରା
ଆଲୋକର ପର୍ବ ଐତିହ୍ୟ ସଂସ୍କୃତିର ଗୌରବ
ପରମ୍ପରା ଅନୁଯାୟୀ ହୁଅଇ ଦୀପାବଳୀ
ପୁରପଲ୍ଲୀଠାରୁ ସହର ବଜାର ଜନବସତିରେ ସବୁ
ଆନନ୍ଦ ଉଲ୍ଲାସରେ ହୁଏ ଉତ୍ସବ ମୁଖରିତ
ସର୍ବେ ସ୍ଵାଗତ କରିଥାନ୍ତି ଘରେ ଘରେ ଦୀପଜାଳି
ଷୋଡ଼ଶ ଉପଚାରେ ପୂଜା ପାଆନ୍ତି ମା’ କାଳୀ
ଆଲୋକର ବିଜୟ ଆଣନ୍ତି ଅନ୍ଧାରକୁ ଟାଳି
କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତଥି ମଧ୍ୟ ରାତ୍ରରୁ
ଧର୍ମ ଧାରଣା ନୀତି ନିୟମ ଆଦର୍ଶକୁ ନେଇ
ପାଳିତ ହୁଏ ଏକ ସାଥେ କାଳୀପୂଜା ଦୀପାବଳୀ
ବେଦ ଶାସ୍ତ ପୁରାଣ ଇତିହାସର ମତାମତ ମାନି
ତଥା ବୈଜ୍ଞାନିକ ସିଦ୍ଧାନ୍ତକୁ ଅନୁସରି
ହୁଏ ଏ ଉତ୍ସବ ସାଂପ୍ରଦାୟିକ ଭିତ୍ତିଭୂମି ଉପରେ
ଋକ୍ ବେଦ କହେ…ଏକଦା ପୃଥିବୀ ରହିଥିଲା ବୁଡ଼ି
ଘନ ତମସାରେ ନଥିଲା ଆଲୋକ ଟିକିଏ
ପାଇଲା ସୂର୍ଯ୍ୟଙ୍କର କିରଣ ଏ ଶୁଭ ତିଥିରେ
ସାରା ମୂଲକ ଆଲୋକରେ ହେଲା ଉଦ୍ଭାସିତ
ଯା’ ଲାଗି ପାଳିତ ହୁଏ ଏ ପର୍ବ ସ୍ମରଣରେ ତାର
ପୁରାଣରେ ମଧ୍ୟ ରହିଛି ବହୁ ବହୁ ମତବାଦ
ଆଦିମାତା ଉଗ୍ରଚଣ୍ଡି ସ୍ଵରୂପେ ହୋଇ ମହାକାଳୀ
ରାକ୍ଷସମାନଙ୍କୁ ନିଧନ କରି ସଂସାରେ ଶାନ୍ତି ଆଣିବାକୁ
ଉଦ୍ୟତ ହୁଅନ୍ତେ ଖଣ୍ଡା ଖର୍ପର ହସ୍ତେ ଧରି
ଶିବ ମହାଦେବ ଦ୍ବାର ସମ୍ମୁଖରେ ଶୋଇ ରହି
ମାତାଙ୍କର ଉଗ୍ର ଭୟଙ୍କର କ୍ରୋଧ ଥିଲେ ଶାନ୍ତ କରି
ଏଇ ଦିନ ଭଗବାନ ଶ୍ରୀକୃଷ୍ଣ ନରକାସୁରକୁ ବଧି
ଭବ ସଂସାରରକୁ ରକ୍ଷା କରିଥିଲେ ରାକ୍ଷସ କବଳରୁ
ପୁନଶ୍ଚ ଏଇ ଦିନେ ମହାପ୍ରଭୁ ହୋଇ ନୃସିଂହ ଅବତାର
ହିରଣ୍ୟକଶିପୁକୁ ମାରି ଉଦ୍ଧାରି ଥିଲେ ପ୍ରହଲ୍ଲାଦ
ଏ ଦିନେ ବାମନ ଅବତାରେ କରିଥିଲେ ବଳୀକୁ ବଧ
ସମୂହ ଦେବ ଦାନବଙ୍କର ସମୁଦ୍ର ମନ୍ଥନରୁ ପୁଣି
ଆବିର୍ଭାବ ହୋଇଥିଲେ ମହାଲକ୍ଷ୍ମୀ ଆଉ ଧନ୍ଵନ୍ତରୀ
ଏଇ ଦିନ ଶ୍ରୀରାମ ଅଯୋଧ୍ୟାକୁ ଆସିଥିଲେ ଫେରି
ବନବାସରେ ଚଉଦ ବର୍ଷ ପିତୃସତ୍ୟ ପାଳି
ବୈଜ୍ଞାନିକ ମତାମତ କୃଷିଭିତ୍ତିକ ଅନୁଯାୟୀ
ଫସଲ ଅମଳ ସମୟରେ ହୁଅନ୍ତି ବହୁ କୀଟ ପତଙ୍ଗ
ଖାଦ୍ୟଶସ୍ୟ ନଷ୍ଟ କରି କରାନ୍ତି ବହୁତ କ୍ଷତିଗ୍ରସ୍ତ
ତାଙ୍କ ଦାଉରୁ ସୁରକ୍ଷିତ କରିବା ପାଇଁ ଫସଲ
ଏ ସମୟରେ ଜାଳି ଦୀପ ଲଣ୍ଠନ ମସାଲ ଆଦି
ବାଣ ଆତସବାଜି ଫୁଟାଇ ସୃଷ୍ଟି କରାଯାଏ ଶବ୍ଦ
ଏଇ ଉପାୟରେ ରୋଗ ପୋକ ହୁଏ ନିୟନ୍ତ୍ରଣ
ଏତତ୍ ଭିନ୍ନ ଅଜ୍ଞାନ ଅନ୍ଧକାର ନାଶେ ବୁଦ୍ଧି ବିବେକ
ଜ୍ଞାନର ଆଲୋକରେ ମନରୁ ଦୂରହୁଏ ଅହଂଭାବ
ସାରା ସଂସାରେ ଆଣିବା ପାଇଁ ହସ ଖୁସି ଆନନ୍ଦ
ଘରେ ଘରେ ଦୀପ ଜାଳି ଆସ ପାଳିବା ଦୀପାବଳୀ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ
