ଚାଲ ଜହ୍ନରେ କରିବା ଘର

ଶୀର୍ଷକ _ଚାଲ ଜହ୍ନରେ କରିବା ଘର


ରୀତାରାଣୀ ଦାଶ
ବାଲେଶ୍ୱର

ଚନ୍ଦ୍ର ଆଲୋକରେ ଅଲୌକିକ ଶୋଭା
ଚହଲେଇ ଦିଏ ପ୍ରାଣ
ଚନ୍ଦ୍ରରେ ନିବାସ ମହାକାଶ ଯାନ
ସ୍ୱପ୍ନେ ଆଙ୍କୁଥାଏ ପୁଣ |
କେତେ କେତେ ଆଶା ମହଲ ଗଢ଼ନ୍ତି
ନୀରବରେ ଦୁଇ ଜଣ
ଜହ୍ନ ରାଇଜରେ ଘର କରିବାର
ତାରା ସାଥିରେ ମିଳନ |
ସୁନ୍ଦର ଧରଣୀ ଜନନୀ କୁ ଆମ
ଦେଖିବା ଦୂରରେ ଥାଇ
ସୁନୀଳ ଆକାଶ ସାଜିବ ଯେ ଛାତ
ମେଘ ଉଡୁଥିବେ ସେହି |
ସୁରକ୍ଷିତ ହେବ ପ୍ରେମର ନିଳୟ
ପୃଥିବୀରୁ ଅପସରି
ମୃଦୁ ସମୀରଣେ ନିର୍ମଳ ସ୍ଥିତିରେ
ହସିବ ଘର ଆମରି |
ଚନ୍ଦ୍ରମାର ସ୍ୱଚ୍ଛ ଫିକା ଆଲୋକରେ
ଶାନ୍ତି ପୂର୍ଣ୍ଣ ନିର୍ଜନତା
ପ୍ରତି ବନ୍ଧକର ସ୍ଥିତି ହିଁ ନ ଥିବ
ପ୍ରେମରେ ଖୋଲିବ ରାସ୍ତା |
ଜାଗ୍ରତ ସ୍ୱପ୍ନରେ ପଥ ପ୍ରଦର୍ଶକ
ଥିବ ଆମ ଜହ୍ନ ମାମୁଁ
ଆଶା ଆଲୋକରେ ଜଗୁଆଳି ଆଖି
ଦୂରୀଭୂତ ମତି ଭ୍ରମୁ |
ପ୍ରିୟତମ ତୁମେ ମୋ ତୃଷ୍ଣାର ଜଳ
ତଟିନୀ ମୁହିଁ ତୁମର
ଅବୁଝା ସପନ ମୋ ପ୍ରାଣ ପ୍ରତିମ
ତୁମେ ମୋ ନୀଳ ସାଗର |
ଦୁଇ ଗୋଟି ମନ ଦୁଇ ଗୋଟି ଆତ୍ମା
ନୀରବେ ପ୍ରତିଜ୍ଞ ବୁଣି
ତରୁ ଲତା ପୂର୍ଣ୍ଣ ଅରଣ୍ୟେ ମଉନେ
ଗଢୁଛନ୍ତି ଯେ କାହାଣୀ |

Leave a Reply

Your email address will not be published. Required fields are marked *