ମହାପ୍ରଭୁ ଙ୍କ କସ୍ତୁରୀ ପାଇଁ ନେପାଳ ସରକାର ଙ୍କୁ ସେବାୟତଙ୍କ ଚିଠି
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କସ୍ତୁରୀ ଅଭାବ ପୂରଣ କରିବାକୁ ନେପାଳ ସରକାରଙ୍କୁ ଚିଠି। ଚିଠି ଲେଖିଛନ୍ତି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ସମ୍ପାଦିତ କରୁଥିବା ବରିଷ୍ଠ ସେବାୟତ ସଞ୍ଜୟ ଦତ୍ତମହାପାତ୍ର। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜଙ୍ଗଲ ପରିବେଶ ମନ୍ତ୍ରଣାଳୟ ମାଧ୍ୟମରେ ନେପାଳ ସରକାରଙ୍କୁ ଶ୍ରୀମନ୍ଦିର ପାଇଁ କସ୍ତୁରୀ ଯୋଗାଇବାକୁ ଚିଠି ଲେଖିଛନ୍ତି ସଞ୍ଜୟ ଦତ୍ତମହାପାତ୍ର। ଦୀର୍ଘବର୍ଷ ହେବ ବନକଲାଗି ନୀତି ପାଇଁ କସ୍ତୁରୀର ଅଭାବ ପରିଲକ୍ଷିତ ହେଉଥିବା ନେଇ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ କିଛି ଫଳ ନ ମିଳିବାରୁ ନେପାଳ ସରକାରଙ୍କୁ ଏ ନେଇ ଚିଠି ଲେଖିଛନ୍ତି ଦତ୍ତମହାପାତ୍ର ସେବାୟତ। ବନକଲାଗି ନୀତିରେ କସ୍ତୁରୀର ବେଶ୍ ଭୂମିକା ରହିଥିବା ବେଳେ ମହାପ୍ରଭୁଙ୍କ ଶ୍ରୀମୁଖକୁ ସୁରକ୍ଷିତ ରଖିବାରେ କସ୍ତୁରୀର ଆବଶ୍ୟକତା ରହିଥାଏ। ତେବେ ଶ୍ରୀମନ୍ଦିରକୁ ନେପାଳରୁ କସ୍ତୁରୀ ଆସୁଥିବା ବେଳେ ଏବେ କିଛିବର୍ଷ ହେବ କସ୍ତୁରୀ ଯୋଗାଣ ବନ୍ଦ ରହିଛି। ଯାହାଫଳରେ ବନକଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ପାଇଁ କସ୍ତୁରୀ ବ୍ୟବହାର କରାଯାଉନାହିଁ। ସେପଟେ ନେପାଳ ସହ ଶ୍ରୀମନ୍ଦିରର ସମ୍ପର୍କ ବେଶ୍ ନିବିଡ ଓ ପୁରାତନ ହୋଇଥିବାରୁ କସ୍ତୁରୀ ଆବଶ୍ୟକତାକୁ ପୂରଣ ପାଇଁ ନେପାଳ ସରକାରଙ୍କୁ ଇମେଲ୍ ଯୋଗେ ଚିଠି ଲେଖି ଅନୁରୋଧ କରିଛନ୍ତି ଦତ୍ତମହାପାତ୍ର ସେବାୟତ ସଞ୍ଜୟ ଦତ୍ତମହାପାତ୍ର।
