କଲେଜ ଛକରେ ଲାଇବ୍ରେରୀ ଓ କାଫେ ଚାପ୍ଟର ୧ ଉଦଘାଟିତ

ଜଗତସିଂହପୁର-() ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଆଜିକାଲି ପ୍ରାୟ ସମସ୍ତେ ମୋବାଇଲରେ ବ୍ୟସ୍ତ ରହୁଛନ୍ତି । ଫଳରେ ବହି ପଢିବା ଅଭ୍ୟାସ ଧୀରେ ଧୀରେ କମି କମି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଏବଂ ବହି ପ୍ରତି ଆଗ୍ରହ ସୃଷ୍ଟି ଲକ୍ଷରେ ଜଗତସିଂହପୁର ସହରର କଲେଜ ଛକରେ ଛାତ୍ରଛାତ୍ରୀ ଏବଂ ସବୂବର୍ଗର ଲୋକମାନଙ୍କ ସୁବିଧା ପାଇଁ ଏକ ଲାଇବ୍ରେରୀ ଓ କାଫେ ଉଦଘାଟିତ ହୋଇଯାଇଛି । ଏସଭିଏମ୍ କଲେଜର ଅଧ୍ୟକ୍ଷା ଦ.ସୁଜାତା ଓତା ଏହି ଲାଇବ୍ରେରୀକୁ ଉଦଘାଟନ କରିବା ସହିତ ଏଠାରେ ଥିବା ବିଭିନ୍ନ ପୁସ୍ତକ ଷ୍ଟଲ ବୁଲି ଦେଖିଥିଲେ । ଏଥିସହିତ ଲାଇବ୍ରେରୀ ସ୍ଥାପନ ଓ ପରିଚାଳନା ସମ୍ପର୍କରେ କିଛି ଉପାଦେୟ ତଥ୍ୟ ସେ ଉପସ୍ଥାପନ କରିଥିଲେ । ସ୍ଥାନୀୟ କଣ୍ଟାବଲ୍ଲଭପୁର ଗ୍ରାମର ଯୁବ ଇଂଜିନିୟର ବସନ୍ତ କୁମାର ବାରିକ ଏବଂ ତାଙ୍କ ଧର୍ମପତ୍ନୀ ଇଂ ବୈଜୟନ୍ତି ବାରିକଙ୍କ ଦ୍ଵାରା ପ୍ରତିଷ୍ଠା କରାଯାଇଥିବା ଏହି ଲାଇବ୍ରେରୀରେ ଛୋଟ ପିଲାଙ୍କ ଠାରୁ ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ପୁସ୍ତକ ରଖାଯାଇଛି । ବିଶେଷ କରି ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଚାକିରୀ ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀଙ୍କ ଆବଶ୍ୟକତା ପୂରଣ କରିବା ଭଳି ପୁସ୍ତକ ଏଠାରେ ରହିଥିବା ଏହାର ପ୍ରତିଷ୍ଠାତା ଇଂ ଶ୍ରୀ ବାରିକ ସୂଚନା ଦେଇଛନ୍ତି । ସେହିପରି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଗକୁ ଅଧିକ ପୁସ୍ତକ ରଖିବା ପାଇଁ ଲକ୍ଷ ରହିଥିବା ଶ୍ରୀ ବାରିକ ସୂଚନା ଦେବା ସହିତ ଏହି ନିଶୁକ୍ଳ ସେବାର ସୁଯୋଗ ନେବାକୁ ନିବେଦନ କରିଛନ୍ତି । ସେହିପରି ଅବସରପ୍ରାପ୍ତ କୃଷି ଅଧିକାରୀ ତୋଫାନ ବାରିକ ଏବଂ ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା , ପୂର୍ବତନ ପାରିଷଦ ରବି ଦାସ ଏଥିରେ ଯୋଗଦେଇ ଶ୍ରୀ ବାରିକଙ୍କ ଏହି ମହତ ଉଦ୍ୟମ ପାଇଁ ସାଧୁବାଦ ଜଣାଇବା ସହିତ ଲାଇବ୍ରେରୀର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେଣୁବାଳା ବାରିକ,ବୀଣାପାଣି ବାରିକ,ନୟନା ବାରିକ,ହରେକୃଷ୍ଣ ବାରିକ, ନିତ୍ୟାନନ୍ଦ ସାହୁ,ଅଭୟ ନାୟକ,ମହେନ୍ଦ୍ର ବାରିକ ଏବଂ ଶଙ୍କର ବାରିକ ପ୍ରମୁଖ ଏହି ଉଦଘାଟନ ଉତ୍ସବରେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *