ଜୀବନ

   🖊️କବିରତ୍ନ ନୂତନ କୁମାର ବେହେରା

ଅଶରୀରର ଅଦୃଶ୍ୟ ଅମର ସୂକ୍ଷ୍ମ ଆତ୍ମା
ସଶରୀରରେ ଜନ୍ମ ଗ୍ରହଣ କରି ଭୂପୃଷ୍ଠକୁ ଆସେ
ପିତାମାତାଙ୍କ କୋଳେ ରହେ ତା’ ପୁଣ୍ୟଫଳ ନେଇ
ମହାଚେତନାର ସେ ଏକ ଅଂଶ ବିଶେଷ
ପରଂବ୍ରହ୍ମ ପରମାତ୍ମାଙ୍କ ଆଶିଷର ସ୍ବରୂପ ହିଁ ଜୀବନ
ସୂର୍ଯ୍ୟଙ୍କର ଉଜ୍ଜ୍ୱଳ ରଶ୍ମି ପରି ହୁଏ ପ୍ରକାଶ ବିକାଶ
ଜୀବନ ଅସରନ୍ତି ଆଶା ଆକାଂକ୍ଷାର ସମ୍ଭାବନା
ମନ ଇନ୍ଦ୍ରିୟମାନଙ୍କୁ ନେଇ କରେ ସେ ଲୀଳା ଖେଳା
ନିଜ ଇଚ୍ଛାରେ ଆସେ ଶରୀରର ଘଟ ନେଇ
ପୁନଶ୍ଚ ଇଚ୍ଛାରେ ଯାଏ ସେ ଘଟକୁ ଛାଡ଼ି
ଯିବା ଆସିବା ସମୟର ବ୍ୟବଧାନ ତାର ଆୟୁଷ
ଜୀବାତ୍ମା ରୂପେ ଶରୀର ଭିତରେ ଥାଏ ଜୀବନ 
ସେ ସର୍ବଦା ଅନିୟନ୍ତ୍ରିତ ମୁକ୍ତ ସ୍ଵାଧୀନ ସ୍ଵତନ୍ତ୍ର
ପଦ୍ମପତ୍ରର ଜଳ ପରି ହେଉଥାଏ ଢ଼ଳ ଢ଼ଳ
ଜୀବନ କେଉଁ ମୁହୂର୍ତ୍ତରେ ତାର ଘଟ ଛାଡ଼ି ଯିବ
କାହାକୁ ବି ନଥାଏ ଜଣା କି ରହେ ନାହିଁ ଚିରସ୍ଥାୟୀ
ସବୁରି ଜୀବନ ହୋଇଥାଏ ଅସଂପୂର୍ଣ୍ଣ ଅପରିପୂର୍ଣ୍ଣ
କିଏ ହୁଏ ଅଳ୍ପାୟୁ କିଏ ହୋଇଯାଏ ଦୀର୍ଘାୟୁ
ଅଜଣା ପ୍ରାରବ୍ଧ ଓ କ୍ରିୟାମାଣ କର୍ମରେ ହୁଏ ନିର୍ଣ୍ଣୟ
ସବୁ ସଜୀବ ମାନଙ୍କ ଭିତରେ ମଣିଷ ସର୍ବଶ୍ରେଷ୍ଠ
ସତ୍ କର୍ମରେ ତାର ଅନ୍ତର୍ନିହିତ ଶକ୍ତି ହୁଏ ପ୍ରକାଶିତ
ଅସତ୍ କର୍ମର ପ୍ରଭାବେ ହୁଏ ତାର ଅଧୋଗତି
ଜୀବନକୁ ଶ୍ରମ ସାଧନା ଅଧ୍ୟବସାୟ ବଳରେ
କିଏ କରିଥାଏ ରୁଚିପୂର୍ଣ୍ଣ ସରସ ସୁନ୍ଦର ମଧୁମୟ
କିଏ ନ ବୁଝି ଜୀବନର ମର୍ମ ହୁଏ ଦୁଃସ୍ଥ ଅସହାୟ
ପ୍ରତ୍ୟେକଙ୍କ ଜୀବନରେ ଆସେ ବହୁ ଘାତ ପ୍ରତିଘାତ
ସେ ସବୁକୁ କରି ସାମ୍ନା ହୁଏ ଜଣେ ସଂଗ୍ରାମୀ
ହୁଏ ଯିଏ ଅସଂଯମୀ ଇନ୍ଦ୍ରିୟ ସମୂହରେ ଆସକ୍ତ
ହରାଇ ଦିଏ ଜ୍ଞାନ ବୁଦ୍ଧି ବିବେକ ବିଚାର ଶକ୍ତି
ସେ କରେ ସବୁ ଅବାଞ୍ଛିତ ନକରାତ୍ମକ କାର୍ଯ୍ଯମାନ
ପରିଣାମରେ ଭୋଗ କରେ ଯାବତୀୟ କ୍ଳେଶ
ଜୀବନ ସବୁରି ଲାଗି ଆଣିଥାଏ ଅପୂର୍ବ ସୁଯୋଗ
ତାର ସଠିକ୍ ଉପଯୋଗ କରିବା ହିଁ ଉପଭୋଗ
ମନରେ ସଞ୍ଚାର ହୁଏ ଆଶା ଆକାଂକ୍ଷା ଅଭିଳାଷ
ଦେଖେ ସେ ଅଜସ୍ର ସ୍ଵପ୍ନ ଚାହେଁ କରିବାକୁ ସାକାର
ହସରେ ଲୁହରେ ଦୁଃଖରେ ସୁଖରେ ଦିନ କାଟି
ଖୋଜୁଥାଏ ଏକ ଦିବ୍ୟ ଚେତନାରେ ମାର୍ଗ
ପାଇଯାଏ ଯେବେ ତାର ସନ୍ଧାନ ହୁଏ ସଂକଳ୍ପବଦ୍ଧ
ନ୍ୟାୟ ନୀତି ଆଦର୍ଶକୁ ପାଳି ରହେ ଶାନ୍ତ ନମ୍ର
ସମୂହର ହିତେ ତୁଲାଏ ତା’ ଦାୟିତ୍ଵ କରେ କର୍ତ୍ତବ୍ୟ
ଦୁଃଖରେ ଜୀବନ ଗଢ଼ି ସେ ପାଏ ସୁଖ ଶାନ୍ତି ତୃପ୍ତି
ଅଳ୍ପ ଦିନର ଜୀବନକୁ ତାର କରିଥାଏ ଯଥାର୍ଥ
ଯେବେ ଯାଏ ଚାଲି ମନରେ ନଥାଏ ଅବଶୋଷ
ସଂପର୍କୀୟ ମାନେ ଝୁରୁଥାନ୍ତି କରି ଗୁଣଗାନ
ଜଣକର ଜୀବନୀ ବୁଝାଇ ଦିଏ କ’ଣ ଏ ଜୀବନ ?

        କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *