ସମ୍ପର୍କର ବନ୍ଧନୀରେ ଜୀବନ

             ସମ୍ପର୍କର ବନ୍ଧନୀରେ ଜୀବନ

   🖊️କବିରତ୍ନ ନୂତନ କୁମାର ବେହେରା

ଆରୋହ ଅବରୋହର ଚଳନ୍ତି କ୍ରମଧାରା
       ଅନୁସରଣ ଅନୁକରଣେ ମଧୁମୟ ହୁଏ ଧରା
ପ୍ରାକୃତିକ ନିୟମରେ ଚାଲିଥାଏ ଯଥାଯଥ
           ବିଧିର ବିଧାନେ ଏ ଚିରନ୍ତନ ସତ୍ଯର ପଥ
ଶୃଙ୍ଖଳାର ଶୃଙ୍ଖଳେ ହୋଇଥାଏ ଅନୁବନ୍ଧିତ
        ପରସ୍ପରର ମଧୁର ସମ୍ଵନ୍ଧେ ହୋଇଥାଏ ହିତ
ଏଡ଼ିବାକୁ ଗଲେ ମାୟା ଜାଲରେ ଯାଏ ପଡ଼ି
         କିଛି ସଜାଡ଼ିବା ହୁଏନା ସମ୍ଭବ ଯାଏ ଉଜୁଡ଼ି
ଜଟିଳ ସମସ୍ୟାରେ ହୁଏ ସମୀକରଣର ପ୍ରଶ୍ନ
             ଲୋଡ଼ା ହୁଏ ତା’ ପାଇଁ ସରଳ ସମାଧାନ
କେବେ ଅନୁପୂରକ କେବେ ପରିପୂରକ
              ହୋଇ ଅନ୍ଧକାରରେ ଦେଖାଏ ଆଲୋକ
ସମ୍ପର୍କର ବନ୍ଧନୀରେ ମଣିଷ ଜୀବନ
           ଖୋଜୁଥାଏ ସଦା ହେବାକୁ ସ୍ଵତନ୍ତ୍ର ସ୍ଵାଧୀନ
ନିଜ ଘର ପରିବାର ପଡ଼ୋଶୀ ସମାଜ
            ମଧ୍ୟେ ଯୋଗସୂତ୍ର ରଖିବାକୁ କରେ କାର୍ଯ୍ୟ
ସମସ୍ତଙ୍କ ପାଇଁ କର୍ତ୍ତବ୍ୟ ହୋଇଥାଏ ଧାର୍ଯ୍ୟ
         ଦାୟିତ୍ବ ସହ ତୁଲାଇବାକୁ ହୁଏ ଧରି ଧୈର୍ଯ୍ୟ
ଏକ ଅନୁଶାସନରେ ହେବାକୁ ପଡ଼େ ସଂଯମୀ
              ପରାକାଷ୍ଠା ଦେଖାଇଥାଏ କର୍ମରେ କର୍ମୀ
ପିତା ମାତା ଭ୍ରାତା ଭଗ୍ନୀ ବନ୍ଧୁ ପରିଜନ
             ସବୁରି ସହିତ କରିବାକୁ ସୁସମ୍ପର୍କ ସ୍ଥାପନ
ସମ୍ପର୍କର ବନ୍ଧନୀରେ ବନ୍ଧାଥାଏ ଜୀବନ
           ସେବା ତ୍ୟାଗ ଯତ୍ନ କରିବା ମହନୀୟ ଗୁଣ
ଧର୍ମ ଧାରଣରେ ତା’ ହୋଇଥାଏ ସମ୍ପାଦନ
        ରନ୍ଧନ ଲାଗି ଇନ୍ଧନ ଅନ୍ନ ଭୋଜନେ ବ୍ୟଞ୍ଜନ
ଥିଲେ ମୌଳିକ ସମନ୍ଵୟ ହୁଅଇ ପାବନ
         ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରି ପାରିଲେ ମନ
ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପଥରୁ ହଟେ ନାହିଁ ତାର ଧ୍ୟାନ
                ଏକାଗ୍ର ଚିତ୍ତରେ ସେ କରୁଥାଏ ସାଧନ
ଐତିହ୍ୟ ପରମ୍ପରା ସଂସ୍କୃତିକୁ ରଖେ ଅମ୍ଳାନ
        ସୁଖ ଶାନ୍ତିରେ ରହି ପାଇଥାଏ ଉଚିତ ସମ୍ମାନ
ସୁରକ୍ଷିତ ରହିଲେ ଧନ ମାନ ହସଇ ଭୁବନ
            ସମ୍ପର୍କର ବନ୍ଧନୀରେ ବନ୍ଧା ହୁଅଇ ଜୀବନ
ବ୍ୟତିକ୍ରମ ହେଲେ ଦେଖା ଦିଏ ନାନା ଅନର୍ଥ
          ସେ ସ୍ଵାଦହୀନ ଜୀବନେ ବଞ୍ଚିବା ହୁଏ ବ୍ୟର୍ଥ
ଦାନ ପ୍ରତିଦାନର ଭାବ ବିନିମୟରେ ସ୍ଥିତି
         ଆତ୍ମସ୍ଵାର୍ଥ ସାଧନେ ବ୍ୟସ୍ତ ହେଲେ ହୁଏ ଇତି
ତ୍ୟାଗ ସମର୍ପଣ ବିନା କିଛିରେ ନାହିଁ ପ୍ରଗତି
       ସମ୍ପର୍କ ମଧୁର ରଖିବାର ଏଇ ତ ଆଦର୍ଶ ନୀତି
ଏକା ଏକା କେହି ହୋଇ ପାରେନା ନିର୍ଭରଶୀଳ
           ସମୂହଙ୍କ ସହଯୋଗରେ ମିଳେ ପୁଣ୍ୟଫଳ
ପାର୍ଥିବ ଜଗତର କ୍ରମବିକାଶ ଲାଗି ଅଭିଯାନ
             ସମ୍ପର୍କର ଏକ ବନ୍ଧନୀରେ ବନ୍ଧା ଜୀବନ।

               କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *