ଜୀବନ ଏକ ରଜ ଦୋଳି
ଜୀବନ ଏକ ରଜ ଦୋଳି
( ରାଗ — ବଙ୍ଗଳା ଶ୍ରୀ )
✍️କବିରତ୍ନ ନୂତନ କୁମାର ବେହେରା
ସଂସାର ସର୍ଜନା ଅଟଇ ବିଚିତ୍ର
ଗୁଢ ରହସ୍ୟ ସେ ତତ୍ତ୍ଵ,
ନିରାକାର ବ୍ରହ୍ମ ସ୍ବରୂପେ ଅଛନ୍ତି
ବ୍ରହ୍ମାଣ୍ଡେ ଭିତରେ ନିତ୍ୟ।
ସର୍ବମୟ ସିଏ ହର୍ତ୍ତା କର୍ତ୍ତା ସ୍ରଷ୍ଟା
ସେ ହିଁ ଜଗତରେ ସତ୍ୟ,
ତାଙ୍କ ଆରାଧନା ଉପାସନା ବ୍ରତ
ଭକ୍ତ ବୁଝେ ତା’ ମହତ୍ତ୍ଵ।
ଷଡ଼ ଋତୁ ଭ୍ରମେ ଏକ ପରେ ଏକ
ଗ୍ରୀଷ୍ମ ପରେ ଆସେ ବର୍ଷା,
ଖରା ପରେ ଧାରା ଆଣି ଦିଏ ଶାନ୍ତି
ଜଗତ ପାଏ ସାହାରା।
ଆଦ୍ୟ ବର୍ଷା ଋତୁ ଆସେ ଆଷାଢ଼ରେ
ହୋଇ ତା’ ରଜ ସଂକ୍ରାନ୍ତି,
ଐତିହ୍ୟ ସଂସ୍କୃତି ପରମ୍ପରା ପାଳି
ପ୍ରାଣୀ ରହେ ଶୁଭ ଚିନ୍ତି।
ଆସିଲେ ମୌସୁମୀ ବର୍ଷା ଦିଏ ପାଣି
କୃଷକ ଆରମ୍ଭେ ଚାଷ,
ରଜ ପର୍ବ ପାଳି ସୁଚିନ୍ତି ଆରାମେ
କରିଥାଏ ବସବାସ।
ରଜ ଦୋଳି କହେ ଜୀବନ ଦର୍ଶନ
ସମୟ ଝୁଲାରେ ଝୁଲେ,
ଅଦୃଶ୍ୟରେ କାଳ କରୁଥାଏ ଖେଳ
ଜୀବ ପଡ଼େ ମାୟା ଜାଲେ।
ଶରୀର ବୃକ୍ଷରେ ଏ ଜୀବନ ଦୋଳି
ଜୀବ ଖେଳେ ଝୁଲି ଝୁଲି,
ଶ୍ଵାସ ପ୍ରଶ୍ଵାସରେ ଦୋହଲି ଦୋହଲି
ପ୍ରାଣବାୟୁ ଥାଏ ଚାଲି।
ଏ ଦୋଳି ଓହଳି ଶୂନ୍ଯରୁ ଝୁଲୁଛି
ଜୀବ ପରମରେ ମିଳି,
ମନ ତା’ ଚାଳକ ଆତ୍ମା ବସି ଅଛି
ଅସ୍ତିତ୍ଵକୁ ତା’ ସମ୍ଭାଳି।
କେତେବେଳେ ଉଠି ଯାଏ ଗଗନକୁ
କେତେବେଳେ ରସାତଳ,
ତଳରୁ ଉପର ଉପରରୁ ତଳ
ଅର୍ଦ୍ଧବୃତ୍ତେ ଜଳସ୍ଥଳ।
ଦ୍ରୁତରୁ ମନ୍ଥର ଇଚ୍ଛା ଅନୁସାରେ
କରୁଥାଏ ସିଏ ଗତି,
ନିୟନ୍ତ୍ରଣ କରି ଝୁଲୁଥାଏ ଦୋଳି
ସଂସାର ମୋହରେ ମାତି।
ଏ ଜୀବନ ଦୋଳି ହେଲେ ଅଣାୟତ୍ତ
ଅଟକାଇ ହୁଏନାହିଁ,
ଶୂନ୍ୟରୁ ଶୂନ୍ୟରେ ଶୂନ୍ୟ ହୋଇଯାଏ
ଆଖି ଆଗେ ଥିଲେ ଚାହିଁ।
ଜୀବନ ଦୋଳିରେ ଝୁଲି ଝୁଲି ସର୍ବେ
ପାଉଥାନ୍ତି ସୁଖ ଶାନ୍ତି,
ଜୀବ ପରମଙ୍କ ହେଲେ ଭେଟାଭେଟ
ଦୂର ହୁଏ କ୍ଲେଶ କ୍ଳାନ୍ତି।
ରଜ ପର୍ବ ଦିଏ ମନେ ଭରି ଜ୍ଞାନ
କର୍ଷଣେ ହୁଅଇ କୃଷି,
ଜୀବନ ଭୂଇଁରେ କଲେ ଭଲ ଚାଷ
ଜଗତ ଉଠଇ ହସି।
କୋହି,ବାରିପଦା,ମୟୂରଭଞ୍ଜ।
