ସାତ ସୁରେ ବନ୍ଧା ଏ ଜୀବନ — ୨
ସାତ ସୁରେ ବନ୍ଧା ଏ ଜୀବନ — ୨
🔹କବିରତ୍ନ ନୂତନ କୁମାର ବେହେରା
ସୃଷ୍ଟିର ସ୍ଥିତିରେ ତ ପୁରୁଷ ଓ ପ୍ରକୃତି
ଜୀବନର ସମ୍ପର୍କ ନେଇ ତାଙ୍କର ବିସ୍ତୃତି
ସକଳ ଶକ୍ତି ସଂକ୍ଷିପ୍ତ ବିକ୍ଷିପ୍ତ ଭାବେ
କେନ୍ଦ୍ରସ୍ଥ ପୁଣି ବିକେନ୍ଦ୍ରୀକରଣ ହୁଏ ଭବେ
ତାର ସମନ୍ବୟରେ ସଂହତି ଓ ଏକତା
ପୃଥକେ ବାଦ ବିବାଦର ବିଭିନ୍ନତା
ଧନ ମାନ ଜ୍ଞାନେ କରେ ସଂପର୍କ ସ୍ଥାପନ
ସାତ ସୁରେ ବନ୍ଧା ଏ ଜୀବନ
ତାତ୍ତ୍ଵିକ ଦୃଷ୍ଟିରେ ସାତସିନ୍ଧୁ ସାତ ଭୂଖଣ୍ଡ ସ୍ଥଳ
ସାତ ବାର ସାତ ରଙ୍ଗ ସାତ ଋଷିଙ୍କ ମଣ୍ଡଳ
ଶରୀରର ସହିତ ପ୍ରାଣ ଥାଏ ଜଡ଼ିତ
ଆତ୍ମଜ୍ଞାନ ଅନୁଭବେ ଲାଗେ ଚିର ଶାଶ୍ଵତ
ସାତ ଜନ୍ମ ଜନ୍ମାନ୍ତର ଧରି ରହେ ପ୍ରଭାବ
ଉପଭୋଗ ଓ ତ୍ୟାଗର ପ୍ରାକୃତିକ ବିଭବ
କାଳର କ୍ରମରେ ହୁଅଇ ପରିବର୍ତ୍ତନ
ସାତ ସୁରେ ବନ୍ଧା ଏ ଜୀବନ
ଗୀତ,ବାଦ୍ୟ ଓ ନୃତ୍ୟର ସମାହାର ସଙ୍ଗୀତ
ହୃଦୟର ସ୍ଵଚ୍ଛ ପ୍ରେମ ଭାବରୁ ହୁଏ ଜାତ
ମାନବ ଜୀବନକୁ କରେ ଅନୁପ୍ରାଣିତ
ତାର ମଧୁର ମୂର୍ଚ୍ଛନାରେ ଶ୍ରୋତା ହୁଏ ପ୍ରୀତ
ସା ରେ ଗା ମା ପା ଧା ନି…ତାର ସାତ ସୁର
ତ୍ରି ମାତ୍ରା ଉଚ୍ଚ ନୀଚ୍ଚ ମଧ୍ୟମେ ତୋଳେ ଝଙ୍କାର
ରୁଚି ନୀତି ଗୁଣ ନେଇ ପ୍ରସନ୍ନ ରହେ ମନ
ସାତ ସୁରେ ବନ୍ଧା ଏ ଜୀବନ
ଏ ସାତ ସୁରର ତାନରୁ ଝରେ ଅମିୟ
ଯା’ର ଛନ୍ଦେ ଛନ୍ଦେ ତଲ୍ଲୀନ ହୁଅଇ ହୃଦୟ
ଭାଗ୍ୟାକାଶେ ଝଲସେ ସାତରଙ୍ଗୀ ଇନ୍ଦ୍ରଧନୁ
ପ୍ରାଣର ସ୍ଫନ୍ଦନେ ବାଜେ ଆତ୍ମାର ବେଣୁ
ମହୌଷଧି ରୂପେ କାର୍ଯ୍ୟ କରେ ଦୁଃଖ ବିଷାଦେ
ମନ ଉଲ୍ଲସିତ ହୋଇ ନାଚେ ଆନନ୍ଦେ
ଆତ୍ମଦର୍ଶନେ ଅନୁଗ୍ରାହୀ କରେ ମୂଲ୍ୟାୟନ
ସାତ ସୁରେ ବନ୍ଧା ଏ ଜୀବନ…।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ।
