ଜୀବନ ନୁହଁଇ ଗୋଲାପର ଶଯ୍ୟା — ୨
ଜୀବନ ନୁହଁଇ ଗୋଲାପର ଶଯ୍ୟା — ୨
✍🏼କବିରତ୍ନ ନୂତନ କୁମାର ବେହେରା
ଜୀବନ ନୁହଁଇ ଗୋଲାପର ଶଯ୍ୟା
ହେବ କମନୀୟ ନମନୀୟ ବାସଭରା
ସୁଖର ନିଦ୍ରାରେ ବାସ୍ତବ କରିବ ସ୍ବପ୍ନକୁ
ସମ୍ଭାବନା ହେବ ନାହିଁ ମରୀଚିକା ଭଳି
ଢ଼ାଳି ଦେଉଥିବ ଅନୁପମ ଶାନ୍ତି ସନ୍ତୋଷ
ଆଶା ଆଶ୍ଵସନାରେ ମନ ରହିବ ମଜି
ଜୀବନ ଯେ ଏକ ମହାସଂଘର୍ଷର ଆହ୍ଵାନ
ବହୁଦୂର ପଥେ ତା’ ଠିକଣାର ଲକ୍ଷ୍ୟସ୍ଥଳ
କଷ୍ଟରେ ଚାଲିବାକୁ ହୁଏ ଦୁର୍ବାର ଦୁର୍ଗମରେ
ଆଗରେ ଥାଏ ପ୍ରତିକୂଳର ପ୍ରତିବନ୍ଧକ
ଶତ୍ରୁ ପରି ଆସନ୍ତି ଯେତେ ସୀମାନ୍ତ ଡେଇଁ
ଚାହାଁନ୍ତି ଜୟ କରିବାକୁ ମନର ରାଜ୍ୟ
ତାଙ୍କୁ ସାବଧାନ ସତର୍କରେ ଜଗି ରହି
ତୀବ୍ର ପ୍ରତିରୋଧରେ ଘଉଡ଼ାଇବାକୁ ହୁଏ
ଗଛର ପାଚିଲା ଫଳ ପରି ଖସି ପଡ଼େନା
କା’ ଆଗେ କୃତିତ୍ୱର କିଛି ସଫଳତା
ଅନେକ ବିଫଳତାରରେ ବି ଦବି ନଯାଇ
ସବୁକୁ ଗଢ଼ିଲେ କରି ଏକ ମଜଭୁତ ସ୍ତମ୍ଭ
ସଗର୍ବରେ ଉଡ଼ିଥାଏ ବିଜୟର ଧ୍ଵଜା
ଜୀବନ ନୁହଁଇ ଗୋଲାପର ଶଯ୍ୟା
ହାତ ବଢ଼ାଇ ତୋଳି ଆଣିବ ପୁଣ୍ୟଫଳ
ଇଚ୍ଛାରେ କୁହୁକ ପରି ଦିଶିବ ଦୃଶ୍ୟପଟ୍ଟ
ଏଠି ତ ସବୁ କିଛି ନିଜର ପରିଶ୍ରମରେ
ଧୈର୍ଯ୍ୟ ଓ ସାହସରେ ଅର୍ଜିବାକୁ ହୁଏ
ଜନ୍ମଗତ ପରିଚୟରେ ବି ହୁଏନା ସାର୍ଥକ
ନିଜ ସାଧନାରେ ହିଁ ଆଣିବାକୁ ହୁଏ ସିଦ୍ଧି
ଯଶ ଖ୍ୟାତି ସୁନାମ ନୁହେଁ ବଜାରର ଦ୍ରବ୍ୟ
ଉଚ୍ଚ ମୂଲ୍ୟ ବଦଳରେ କିଣି ଆଣି ହେବ
ପ୍ରତିଷ୍ଠା ପ୍ରତିପତ୍ତି ସ୍ଥାପିବାକୁ ଶ୍ରମ ଲୋଡ଼ା
ସତ୍ୟରେ ରହେ ଜାଜ୍ଜ୍ୱଲ୍ୟମାନ ଅକ୍ଷୁଣ୍ଣ
ମିଥ୍ୟାରେ ସେ ମହାସ୍ତୁପ ହୁଏ ଧୂଳିସାତ
ସାଧାରଣ ସ୍ତରରୁ ହେବାକୁ ଅସାଧାରଣ
ଅକୁଣ୍ଠିତେ କରିବାକୁ ହୁଏ ବହୁ ତ୍ୟାଗ
ନର୍କେ ରହି କଲେ ତର୍କ ମିଳେନା ନିର୍ମାଲ୍ୟ
ପୁଣ୍ୟବଳେ ପହଞ୍ଚି ସଫଳତାର ସେ ଶୀର୍ଷକୁ
କୁହନ୍ତି ଅନୁଭବି ଅଭିଜ୍ଞ ସାଧୁ ସନ୍ଥ ବିଜ୍ଞ
” ଜୀବନ ନୁହଁଇ ଗୋଲାପର ଶଯ୍ୟା “…।
କୋହି,ବାରିପଦା,ମୟୂରଭଞ୍ଜ।
