ଜୀବନ ଖେଳେ ଲୁଚକାଳି
ଜୀବନ ଖେଳେ ଲୁଚକାଳି
🖋️କବିରତ୍ନ ନୂତନ କୁମାର ବେହେରା
ଜଣେ କେହି ପ୍ରିୟ ସାଙ୍ଗ କଲେ ଆଖି ବନ୍ଦ
ଅନ୍ୟ ସବୁ ସହଚର ସାଥୀ ଯାଉଥିଲେ
କିଏ କେଉଁଠି ଆଢୁଆଡ଼େ ଲୁଚି କରୁଥିଲେ ଛନ୍ଦ
ନେପଥ୍ୟରୁ ଦେଉଥିଲେ ମଧ୍ୟ ସଂକେତ
ତାଙ୍କ ଭିତରୁ ଜଣକୁ ଖୋଜି ପାଇବା ଥିଲା ଦ୍ବନ୍ଦ୍ବ
ହେଉଥିଲା ବିଳମ୍ବ…ଜିତିବାକୁ ଖେଳର ବାଜି
ସହଜେ ଧରା ଦେବାକୁ ହେଉ ନ ଥିଲୁ ରାଜି
ଧୀଶକ୍ତିରେ କରି ଅନୁମାନ… ଅନୁସନ୍ଧାନ
ଖୋଜି ବାହାର କରି ଖୁସି କରୁଥିଲୁ ନିଜ ମନ
ଛୁଇଁ ଦେଲେ ଯାଇ କାହାକୁ…କି ଆନନ୍ଦ
ହେଉ ନ ଥିଲା କାହାରି ସାଥେ ବାଦ ବିବାଦ
ଗଡ଼ ବୋଧେ ଜିତି ଗଲି…ହସୁଥିଲୁ ହଟ ହଟ
ଲାଗୁଥିଲା ନିକକୁ ଦିଗବିଜୟୀ ସମ୍ରାଟ
ବାଲ୍ୟ ଚପଳାମୀର ଖେଳ ଥିଲା ଭାରି ମଜା
ନାଚି କୁଦି ଖେଳି ଉଠାଉଥିଲୁ ବିଜୟ ଧ୍ଵଜା
ଲୁଚକାଳି…ଅଳି ଅର୍ଦ୍ଦଳି…ପାଟିଗୋଳ କଳି
ମନେ କେହି ବି ରଖୁ ନ ଥିଲୁ…ଯାଉଥିଲୁଁ ଭୁଲି
ଖେଳ ମେଳ ବେଳର ଥିଲା ହାସ୍ୟରୋଳ
ଚାଲି ଗଲା ପରେ ସେ ପିଲା ଦିନ
ଏବେ ତ ଜଞ୍ଜାଳ ପରେ ଖାଲି ଜଞ୍ଜାଳ
କାହାର କେତେ ଆଳ…ଖାଲି ଚଳ ଚଞ୍ଚଳ
ଏକ ପଲକ ଭିତରେ ଶହେ ପ୍ରକାର ଝାମେଲା
ପରିବାର ଠାରୁ ପର ପର୍ଯ୍ୟନ୍ତ…. ସବୁ ଝୁଲା
ପରକୁ ନିଜର କରୁ କରୁ ନିଜର ହୁଏ ପର
ନିଜେ ବି ରଖି ହେଉ ନାହିଁ ନିଜ ଖବର
ଗୁଣ ଦେଖିବାକୁ ବେଳ କାହିଁ…କେବଳ ଖୁଣ
ଜୀବନ ଖେଳେ ଲୁଚକାଳି…ପକାଇ ପାଳି
ପ୍ରିୟ ସାଙ୍ଗକୁ ଖୋଜିଲେ ଲୁଚେ…ଝୁଲେ ଦୋଳି
ଆମ୍ଵ ବଉଳି ହୁଏନା ଚଣା…ଯାଏ ମଉଳି
ଆନନ୍ଦ ଖୋଜୁ ଖୋଜୁ ଆଖିରୁ ଲୁହ ପଡ଼େ ଝରି
କିଛିରେ ମନ ଲାଗେନି…ଆଶା ଅସୁମାରି
ସମୟ କୁଆଡ଼େ ଯାଏ ସର୍ବଦା ହୁଏ ଅକୁଳାଣ
ରହୁନି ନିଜର ଟାଣ… କେତେ ହଇରାଣ
କାହାକୁ କେତେ କହିବା କାରଣ କରି ବାରଣ
ଜୀବନ ଖେଳେ ଲୁଚକାଳି…ଶୁଭେ ତାଳି
ବରଦାସ୍ତ କରି ହୁଏନା ସାମ୍ନାରେ ଦେଲେ ଗାଳି
ଏଇତ ଜୀବନ… କେତେ କୌଶଳେ ରଖୁ ସମ୍ଭାଳି
ସଂସାର ଯାକର ଦୁଃଖ କଷ୍ଟ ପଡ଼େ ବଳି
ଟଣା ଓଟାରାରେ ଚଳି… ରହିବାକୁ ହୁଏ ମିଳି
ଏଇ ଭଳି ଜୀବନ ଖେଳେ ଲୁଚକାଳି…।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
