ମୋ ଆରତ ଶୁଣ ହେ ଆର୍ତ୍ତତ୍ରାଣ
ମୋ ଆରତ ଶୁଣ ହେ ଆର୍ତ୍ତତ୍ରାଣ
( ରାଗ — ରସକୁଲ୍ୟା )
🖊️କବିରତ୍ନ ନୂତନ କୁମାର ବେହେରା
ମୋ ଆରତ ଶୁଣ ହେ ଆର୍ତ୍ତତ୍ରାଣ
ଅନ୍ତରର ଭାବ କରେ ଜଣାଣ,
ଏ ଜୀବନ ତୁମ ଦୟାର ଦାନ
ତୁମ ଚରଣରେ ପାଉ ଶରଣ ସେ,
କରେ ମୁହିଁ ଆରାଧନା ଯେ
ଭବ ଦୁଃଖ ହର ହେ କରୁଣାକର
ଏତିକି ରଖ ପ୍ରାର୍ଥନା ଯେ।୧।
ଜାଣେନା ଅଛି କି ପ୍ରାରବ୍ଧ ମୋର
କି କର୍ମ ଲାଗି ଆସିଛି ସଂସାର ?
ଚେତନାରୁ ଚିନ୍ତି କରେ ବିଚାର
ବୁଦ୍ଧି ଜ୍ଞାନେ ମନ ରହେ ତତ୍ପର ସେ,
ଭାବକୁ ହୁଅ ନିକଟ ଯେ
ତୁମେ ପରମାତ୍ମା ପ୍ରତିବିମ୍ବ ଆତ୍ମା
ଦେଖାଅ ସତ୍ୟର ବାଟ ଯେ।୨।
ଦୁଃଖକୁ ମଣି ଜୀବନର ସୁଖ
କର୍ମ କରି ଦେଖେ ତୁମ ଶ୍ରୀମୁଖ,
ତୁମେ ସୁଖ ଶିରୀ ଦିଅ ବିତରି
ତୁମ ପାଶେ ଭକ୍ତ କରେ ଗୁହାରି ସେ,
ଯିଏ କରେ ଯାହା ଆଶା ଯେ
ଦୋଷ କରି କ୍ଷମା ଦେଖାଅ ମହିମା
ମୁଖେ ଫୁଟେ ମଧୁ ଭାଷା ଯେ।୩।
ମୋ ଭକ୍ତିର ଭାବ ହୃଦୟେ ରଖି
ରହିଛି ଭବରେ ଚାଲୁଛି ଦେଖି,
ଯେତିକି ପାଉଛି ତୁମ କରୁଣା
ମୋ ଲକ୍ଷ୍ୟ ପଥରେ ତୁମ ପ୍ରେରଣା ସେ,
ଘଟେ ଘଟେ ତୁମେ ରହି
ଦିଅ ସଦବୁଦ୍ଧି ହୁଅଇ ସମୃଦ୍ଧି
ତା’ ମନକୁ ନିଅ ମୋହି ଯେ।୪।
ତୁମ ଭକ୍ତଟିଏ କର ହେ ସାଇଁ
ରହିଛି ତୁମର ଶ୍ରୀପାଦ ଛୁଇଁ,
ତୁମ ଆଶ୍ରୟେ ପାଇଲେ ଆଶରା
ଭାଗ୍ୟକୁ ମୋହର ହେବ ସାହାରା ସେ,
ତୁମକୁ କରୁଛି ଅଳି ଯେ
ଏତିକି କରୁଣା କରିବନି ଊଣା
ଦେବ ନାହିଁ ପ୍ରଭୁ ଟାଳି ଯେ।୫।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
