ଅଳ୍ପ ବିଦ୍ୟା ଭୟଙ୍କରୀ
ଅଳ୍ପ ବିଦ୍ୟା ଭୟଙ୍କରୀ
ରଞ୍ଜୁଲତା ପାଢୀ
ବିଦ୍ୟାପରି ମହାଧନ ସଂସାରରେ ନାହିଁ
ଅଳପ ବିଦ୍ୟାଟି କିନ୍ତୁ ଭୟଙ୍କର ହୋଇ।
ବିଛାମନ୍ତ୍ର ନଜାଣିଣ ସର୍ପ ଗର୍ତ୍ତେ ହସ୍ତ
ଦେଲେଟି ଜାଣିବ ତହୁଁ ପ୍ରମାଦ ଆଗତ।
ଅଳପ ବିଦ୍ୟାରେ ସ୍ୱୟଂ ପଣ୍ଡିତ ବୋଲାଇ
ଭାଷଣ ଦେବା ଉଦ୍ଦେଶ୍ୟେ ସଭାମଧ୍ୟେ ଯାଇ।
ଅପମାନ ପାଇବାଟା ନିଶ୍ଚେ ହେବ ସାର
ତେଣୁ ଅଳ୍ପବିଦ୍ୟାରେ ନଦେଖାଅ ଚାତର।
ଅଗାଧ ଜଳେ ସଞ୍ଚରୀ ରୋହି ସ୍ଥିର ଥାଇ
ଗଣ୍ଡୁଶ ଜଳେ କେରାଣ୍ଡି ଫଡ ଫଡ ହୋଇ।
ତେସନେ ଅଳ୍ପବିଦ୍ୟାରେ ମୂରୁଖ ଅଜ୍ଞାନ
ଆପଣାକୁ ଦେଖାଏ ସେ ମହାତ୍ମା ବିଦ୍ୱାନ।
କଥାରେ ଚତୁରପଣ ଯେତେ ଦେଖାଇଲେ
ମୂର୍ଖତାଟା ଜଣାଯାଏ ଆପେ ଆପେ ଭଲେ।
ଅଳପ ବିଦ୍ୟାରେ ଆତ୍ମବଡିମା ଦେଖାଇ
ହେୟଜ୍ଞାନ କରୁଥାଏ ପଣ୍ଡିତକୁ ସେହି।
ମହାକାଶୁ ତାରାପୁଞ୍ଜ ତୋଳି ଆଣୁଥାଇ
ବୈଜ୍ଞାନିକ ପରିଭାଷା ଏକା ଜାଣେ ଯହିଁ।
କଥାରେ କଥାରେ ଖଣ୍ଡି ଇଂରାଜୀ ବୋଲଇ
ଆପଣାର ମାତୃଭାଷା ତିଳେ ଜଣାନାହିଁ।
ବାହାସ୍ଫୋଟ ମାରି ଯାହା ଅପଦସ୍ତ ହୁଏ
ଅସଲି କଥାପଦେକୁ ଯୋଗ୍ୟତା ନଥାଏ।
ସାମାନ୍ୟ ଜ୍ଞାନରେ ବୃଥା ଅହମିକା ପଣ
ନଦେଖାଇ,ବିଦ୍ୟାର୍ଜନେ ରଖ ନିଜ ଟାଣ।
ଅଳ୍ପବିଦ୍ୟା ଅଟେ ଯେଣୁ ଅତି ଭୟଙ୍କର
ତା’ପ୍ରୟୋଗେ ଅନର୍ଥ ଟି ନହେଉ କାହାର।
ରାଉରକେଲା।ସୁନ୍ଦରଗଡ।।
