ଜିଇଁବ ତ ଜିଅଁ ପ୍ରେମରେ                     ମରିବ ତ ମର ପ୍ରେମରେ

     ଜିଇଁବ ତ ଜିଅଁ ପ୍ରେମରେ
                     ମରିବ ତ ମର ପ୍ରେମରେ
             ( ରାଗ — ରାମକେରୀ )

   🖊️କବିରତ୍ନ ନୂତନ କୁମାର ବେହେରା

ଜିଇଁବ ତ ଜିଅଁ ପ୍ରେମରେ  ପ୍ରେମ ହିଁ ଚିରନ୍ତନ,
      ମରିବ ତ ମର ପ୍ରେମରେ  ପ୍ରେମ ଚିର ଅମ୍ଳାନ।
ପ୍ରେମ ବିନା ନାହିଁ ଆନନ୍ଦ  ମନେ ଘାରେ ବିଷାଦ,
         ପ୍ରେମେ ଅଛି ସୁଖ ସଚ୍ଛନ୍ଦ  ଝରଇ ମକରନ୍ଦ।
ଭଲ ପାଇବାର ଏ ମନ୍ତ୍ର   ରଖିଥାଏ ସ୍ଵତନ୍ତ୍ର,
        ଅଢ଼େଇ ଅକ୍ଷରର ଶାସ୍ତ୍ର  ଭାବ ରଖେ ପବିତ୍ର।
ଆତ୍ମାର ଅପୂର୍ବ ମିଳନ  ମନକୁ ରଖେ ସ୍ଵଚ୍ଛ,
       ସତ୍ୟର ଆଲୋକ ପ୍ରକାଶି  ଦୂରାଇ ଦିଏ ମିଛ।
ପ୍ରେମ ବସନ୍ତର ଫଗୁଣ  ଭରିଦିଏ ଶୋଭାଶ୍ରୀ,
     ଆଶାର ଫୁଲ ଫୁଟେ ମନେ  ମହକ ଯାଏ ଭରି।
ପ୍ରେମମୟ ସାରା ସଂସାର  ପ୍ରେମ ଚିର ଅମର,
   ହୃଦେ ଭରିଦେଇ ପ୍ରେରଣା  ପ୍ରାଣ କରେ ସଞ୍ଚାର।
ଜିଇଁବ ତ ଜିଅଁ ପ୍ରେମରେ  ରଖି ଦୃଢ଼ ବିଶ୍ଵାସ,
   ମରିବ ତ ମର ପ୍ରେମରେ  ସ୍ଵାର୍ଥେ ନହୋଇ ବଶ।
ପ୍ରକୃତ ପ୍ରେମ ନୁହେଁ କେବେ  ଇନ୍ଦ୍ରିୟର ଲାଳସା,
  କାମିନୀ କାଞ୍ଚନ ମୋହରେ   ଭୋଗୁଥିବ ଦୁର୍ଦ୍ଦଶା।
ନୁହେଁ ଏ ତ ଛନ୍ଦ କପଟ   କରିବ କଳଙ୍କିତ,
    ପ୍ରେମ ଅଟେ ଚିର ଶାଶ୍ଵତ  ରଖେ ସଦା ଜାଗ୍ରତ।
ସୃଷ୍ଟିର ଅନନ୍ୟ ନିଦାନ   ସ୍ଵର୍ଗୀୟ ବରଦାନ,
           ଏ ସରସ ସୁନ୍ଦର କରି  ଗଢ଼ିଦିଏ ଜୀବନ।
ପାର୍ଥିବ ଜଗତେ ଅମୂଲ୍ୟ  ନୁହଁଇ ତୁଳନୀୟ,
           ପବିତ୍ର ସଂପର୍କ ବନ୍ଧନ  ରହିଥାଏ ଅକ୍ଷୟ।
ସ୍ନେହ ଶ୍ରଦ୍ଧାର ନିର୍ଝରିଣୀ  ଧାର ତା’ ଚିରସ୍ରୋତା,
        ହୃଦୟକୁ କରି ପ୍ଳାବିତ  ବଢ଼ାଏ ଆତ୍ମୀୟତା।
ଜିଇଁବ ତ ଜିଅଁ ପ୍ରେମରେ  ପ୍ରେମ ହିଁ ସନାତନ,
     ମରିବ ତ ମର ପ୍ରେମରେ  ପ୍ରାଣ ଦିଏ ଆହ୍ବାନ।
  
             କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *