ଲୋକସଭା ବାଚସ୍ପତିଙ୍କୁ ପଦଚ୍ୟୁତ କରିବା ପ୍ରସ୍ତାବ ଉପରେ ଆଲୋଚନା ପରେ ସଦନରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିବୃତି
ଲୋକସଭା ବାଚସ୍ପତିଙ୍କୁ ପଦଚ୍ୟୁତ କରିବା ପ୍ରସ୍ତାବ ଉପରେ ଆଲୋଚନା ପରେ ସଦନରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିବୃତି l ମାନନୀୟ ସଦସ୍ୟଗଣ,ସ୍ୱାଧୀନ ଭାରତର ସଂସଦୀୟ ଇତିହାସରେ ତୃତୀୟ ଥର ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସଂକଳ୍ପ ଉପରେ ଗତ ଦୁଇ ଦିନ ମଧ୍ୟରେ ସଦନରେ ମାନନୀୟ ସଦସ୍ୟମାନେ ୧୨ ଘଣ୍ଟାରୁ ଅଧିକ ଆଲୋଚନା କରିଛନ୍ତି ।ବିଭିନ୍ନ ଦଳର ମାନ୍ୟବର ସଦସ୍ୟମାନେ ନିଜ ନିଜ ବିଚାର, ନିଜର ତର୍କ ଏବଂ ନିଜର ଚିନ୍ତା ଏହି ସଦନ ସାମ୍ନାରେ ରଖିଛନ୍ତି।ବିରୋଧୀ ଦଳର ମାନ୍ୟବର ସଦସ୍ୟଗଣ ବିରୋଧୀଙ୍କ ସ୍ୱରକୁ ଚାପି ଦେବା ଏବଂ ନିରପେକ୍ଷତାର ଅଭାବ ବିଷୟ ଉଠାଇଥିଲେ।ମାନ୍ୟବର ସଦସ୍ୟମାନେ ପଦବୀର ନିରପେକ୍ଷତା, ସଦନର କାର୍ଯ୍ୟକୁଶଳତା ଏବଂ ଭାରତୀୟ ସଂସଦର ବିଶ୍ୱସ୍ତରୀୟ ଉପଲବ୍ଧି ବିଷୟରେ କହିଥିଲେ।ଅନ୍ୟପଟେ ମାନନୀୟ ସଦସ୍ୟମାନେ ଆମ ସଂସଦୀୟ ଗଣତନ୍ତ୍ରର ବ୍ୟାଖ୍ୟା କରିଥିଲେ ଏବଂ ସଦନର ଗରିମାପୂର୍ଣ୍ଣ ପରମ୍ପରା, ନିୟମ ଏବଂ ପ୍ରକ୍ରିୟା ଉପରେ ନିଜର ଦୃଷ୍ଟିକୋଣ ମଧ୍ୟ ରଖିଥିଲେ।ମାନନୀୟ ସଦସ୍ୟଗଣ, ଏହି ସଦନ ଭାରତର ୧୪୦ କୋଟି ନାଗରିଙ୍କ ସାର୍ବଭୌମ ଇଚ୍ଛାର ପ୍ରତିନିଧିତ୍ୱ କରିଥାଏ। ଏଠାରେ ଉପସ୍ଥିତ ପ୍ରତ୍ୟେକ ସଦସ୍ୟ ଲକ୍ଷ ଲକ୍ଷ ନାଗରିକଙ୍କ ଜନାଦେଶକୁ ନିଜ ସହ ନେଇ ଆସିଛନ୍ତି। ପ୍ରତ୍ୟେକ ମାନ୍ୟବର ସଦସ୍ୟ, ଭାରତର ନାଗରିକଙ୍କ ସମସ୍ୟା, ଅଭାବ, କଷ୍ଟ ଦୂର କରିବା ଏବଂ ସେମାନଙ୍କର ଆଶା, ଆକାଂକ୍ଷା ଓ ଇଚ୍ଛାକୁ ପୂରଣ କରିବାର ଲକ୍ଷ୍ୟ ନେଇ ମଧ୍ୟ ଆସିଛନ୍ତି ।ମୁଁ ସବୁବେଳେ ଏହି ପ୍ରୟାସ କରିଛି ଯେ ସଦନ ଭିତରେ ପ୍ରତ୍ୟେକ ମାନ୍ୟବର ସଦସ୍ୟ ନିୟମ ଏବଂ ପ୍ରକ୍ରିୟା ଅଧୀନରେ ନିଜର ବିଷୟ/ପ୍ରସଙ୍ଗ ଉପରେ ନିଜର ବିଚାର ବ୍ୟକ୍ତ କରନ୍ତୁ ଏବଂ ସବୁ ମାନ୍ୟବର ସଦସ୍ୟଙ୍କୁ ଏଥିପାଇଁ ଯଥେଷ୍ଟ ସୁଯୋଗ ମିଳୁ। ଏହି ସଦନ ସମାଜର ଅନ୍ତିମ ଧାଡ଼ିରେ ଛିଡ଼ା ହୋଇଥିବା ସେହି ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱର ପାଲଟୁ, ଯେଉଁମାନଙ୍କର ଆଜି ଆମର ସବୁଠୁ ଅଧିକ ଆବଶ୍ୟକତା ରହିଛି ।ଯେଉଁମାନେ ନୂଆ ଆସିଛନ୍ତି କିମ୍ବା କହିବାରେ ସଂକୋଚ କରୁଛନ୍ତି ସେଭଳି ମାନ୍ୟବର ସଦସ୍ୟମାନଙ୍କୁ ସଦନ କାର୍ଯ୍ୟରେ ଅଂଶଗ୍ରହଣ କରିବା ଲାଗି ଉତ୍ସାହିତ କରିବା ନିମନ୍ତେ ମଧ୍ୟ ମୁଁ ନିରନ୍ତର ପ୍ରୟାସ କରିଆସିଛି। ଦୁଇଟି କାର୍ଯ୍ୟକାଳରେ ମୁଁ ସେହି ସବୁ ମାନ୍ୟବର ସଦସ୍ୟମାନଙ୍କୁ କହିବାକୁ ଅନୁରୋଧ କରିଛି ଯେଉଁମାନେ ସଦନରେ ଗୋଟିଏ ଥର ମଧ୍ୟ କିଛି କହିନାହାନ୍ତି।କାରଣ ଏ ସଦନରେ କହିବା ଦ୍ୱାରା ଗଣତନ୍ତ୍ରର ସଂକଳ୍ପ ଆହୁରି ମଜବୁତ ହୋଇଥାଏ ଏବଂ ସରକାରଙ୍କ ଉତ୍ତରଦାୟିତ୍ୱ ମଧ୍ୟ ନିର୍ଦ୍ଧାରିତ ହୁଏ।ଏ ସଦନ ବିଚାର ଏବଂ ଚର୍ଚ୍ଚାର ଏକ ଜୀବନ୍ତ ମଞ୍ଚ ରୂପେ କାର୍ଯ୍ୟ କରିଆସିଛି। ଆମ ସଂସଦୀୟ ଗଣତନ୍ତ୍ରଷର ସହମତି-ଅସହମତିର ମହାନ ପରମ୍ପରା ସବୁବେଳେ ରହି ଆସିଛି ।ମାନନୀୟ ସଦସ୍ୟଗଣ,ଆମ ସମ୍ବିଧାନ ନିର୍ମାତାମାନେ ଯେତେବେଳେ ସ୍ୱାଧୀନ ଭାରତ ପାଇଁ ସମ୍ବିଧାନ ପ୍ରସ୍ତୁତ କରିଥିଲେ, ସେତେବେଳେ ସେମାନେ ଗଭୀର ବିଚାରବିମର୍ଶ ଏବଂ ଅଭିଜ୍ଞତା ଆଧାରରେ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଗ୍ରହଣ କରିଥିଲେ। ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥା ଆଜି ନିସନ୍ଦେହରେ ବିଶ୍ୱ ଶାସନର ସର୍ବଶ୍ରେଷ୍ଠ ପଦ୍ଧତି ହୋଇପାରିଛି।ଏହି ବ୍ୟବସ୍ଥାରେ ସଂସଦ କେବଳ ଆଇନ ପ୍ରସ୍ତୁତ କରିବାର ମଞ୍ଚ ନୁହେଁ ବରଂ ଦେଶର ଗଣତାନ୍ତ୍ରିକ ଚେତନା କେନ୍ଦ୍ର ମଧ୍ୟ ହୋଇପାରିଛି ।ଭାରତୀୟ ସମ୍ବିଧାନର ଧାରା ୯୩ରେ ବାଚସ୍ପତି ନିର୍ବାଚନ ପ୍ରସ୍ତାବ ରହିଛି। ଏହି ପବିତ୍ର ସଦନ ଦ୍ୱିତୀୟ ଥର ବାଚସ୍ପତି ହେବାର ଦାୟିତ୍ୱ ନିର୍ବାହ କରିବା ଲାଗି ମୋତେ ସୁଯୋଗ ଦେଇଛି।ମୁଁ ସବୁବେଳେ ଏହି ପ୍ରୟାସ କରିଛି ଯେ ସଦନର କାର୍ଯ୍ୟ ପରିଚାଳନା ନିରପେକ୍ଷତା, ଶୃଙ୍ଖଳା, ସନ୍ତୁଳନ ଏବଂ ନିୟମ ଆଧାରରେ ହେଉ। ସଦନରେ ସମସ୍ତଙ୍କୁ ସାଥୀରେ ନେଇ ସାମଞ୍ଜସ୍ୟ ମାଧ୍ୟମରେ ବ୍ୟବସ୍ଥା ଓ କାର୍ଯ୍ୟଦକ୍ଷତା ବଜାୟ ରଖିବା ବାଚସ୍ପତିଙ୍କର ମୁଖ୍ୟ କାମ।ସଦନର ଗରିମା, ମର୍ଯ୍ୟାଦା ଏବଂ ପ୍ରତିଷ୍ଠାରେ ଉତ୍ତରୋତ୍ତର ବୃଦ୍ଧି ହେଉ ବୋଲି ମୁଁ ସବୁବେଳେ ପ୍ରୟାସ କରି ଆସିଛି।ମଙ୍ଗଳବାର, ତାରିଖ ୧୦ ଫେବୃଆରୀ ୨୦୨୬ରେ ବିରୋଧୀ ଦଳର କିଛି ମାନ୍ୟବର ସଦସ୍ୟ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଥିଲେ।ଆମର ମହାନ ସମ୍ବିଧାନ ଦ୍ୱାରା ପ୍ରତିଷ୍ଠିତ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ମୋର ଅତୁଟ ବିଶ୍ୱାସ ରହିଛି।ମୁଁ ମୋର ନୈତିକ କର୍ତ୍ତବ୍ୟ ପାଳନ କରି ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ ସହିତ ସଦନର କାର୍ଯ୍ୟରୁ ନିଜକୁ ଦୂରେଇ ରଖିଲି।ଗତ ଦୁଇ ଦିନ ମଧ୍ୟରେ, ଏହି ସଦନ ଆମ ଗଣତନ୍ତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ପ୍ରକ୍ରିୟା ସମାପ୍ତ କରିଛି। ଏହି ବିତର୍କ ସମୟରେ, ଏ ସଦନରେ ଅନେକ ଚିନ୍ତାଧାରା, ଦୃଷ୍ଟିକୋଣ ଏବଂ ଭାବନା ଉପସ୍ଥାପିତ ହୋଇଛି। ମୁଁ ସଦନର ପ୍ରତ୍ୟେକ ମାନ୍ୟବର ସଦସ୍ୟଙ୍କ କଥାକୁ ଗମ୍ଭୀରତା ଏବଂ ଧ୍ୟାନର ସହିତ ଶୁଣିଛି।ମୋତେ ସମର୍ଥନ କରି ନିଜର ମତାମତ ପ୍ରକାଶ କରିଥିବା କିମ୍ବା ସମାଲୋଚନା ଆକାରରେ ନିଜର ପରାମର୍ଶ ଦେଇଥିବା ଏହି ସଦନର ସମସ୍ତ ମାନ୍ୟବର ସଦସ୍ୟଙ୍କ ପ୍ରତି ମୁଁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି । ଏହା ଗଣତନ୍ତ୍ରର ପ୍ରମୁଖ ବିଶେଷତ୍ୱ: ପ୍ରତ୍ୟେକ ସ୍ୱର ଶୁଣାଯାଏ ଏବଂ ପ୍ରତ୍ୟେକ ଦୃଷ୍ଟିକୋଣକୁ ମହତ୍ୱ ଦିଆଯାଇଥାଏ।ମାନନୀୟ ସଦସ୍ୟଗଣ, ଏ ଆସନ କୌଣସି ବ୍ୟକ୍ତିଙ୍କର ନୁହେଁ। ଏହା ଭାରତର ଗଣତାନ୍ତ୍ରିକ ପରମ୍ପରା, ସମ୍ବିଧାନର ଭାବନା ଏବଂ ଏ ମହାନ ଅନୁଷ୍ଠାନର ପ୍ରତିଷ୍ଠାର ପ୍ରତୀକ।ମୋର ପୂର୍ବ ବାଚସ୍ପତିମାନେ ଏ ସଦନର ମର୍ଯ୍ୟାଦା ଏବଂ ପରମ୍ପରାକୁ ମଜବୁତ କରିଛନ୍ତି ଏବଂ ସବୁବେଳେ ଏ ସଦନର ପ୍ରତିଷ୍ଠା ବୃଦ୍ଧି କରିଛନ୍ତି। ଅନୁଷ୍ଠାନ, ମର୍ଯ୍ୟାଦା ଏବଂ ପରମ୍ପରା ସ୍ଥାୟୀ ରହିଥାଏ।ସଦନ ମୋ ଉପରେ ବିଶ୍ୱାସ ପ୍ରକଟ କରିଥିବାରୁ ମୁଁ ହାର୍ଦ୍ଦିକ ସମ୍ମାନ ଜଣାଉଛି।ମୁଁ ଆପଣମାନଙ୍କୁ କଥା ଦେଉଛି ଯେ ଏହି ବିଶ୍ୱାସକୁ ନିଜର ଉତ୍ତରଦାୟିତ୍ୱ ଭାବେ ଗ୍ରହଣ କରି ସମ୍ପୂର୍ଣ୍ଣ ନିଷ୍ଠା, ନିରପେକ୍ଷତା ଏବଂ ସାମ୍ବିଧାନିକ ମର୍ଯ୍ୟାଦା ସହିତ ଆଗକୁ ନିର୍ବାହ କରିବା ଲାଗି ପ୍ରୟାସ କରିବି।ବିଷୟ – ୧ – ବିରୋଧୀ ଦଳ ନେତାଆଲୋଚନା ସମୟରେ କେତେ ଜଣ ମାନ୍ୟବର ସଦସ୍ୟମାନେ କହିଥିଲେ ଯେ ବିରୋଧୀ ଦଳ ନେତାଙ୍କୁ କହିବାକୁ ଦିଆଯାଉନାହିଁ କିମ୍ବା ତାଙ୍କୁ କହିବା ଲାଗି ଯଥେଷ୍ଟ ସୁଯୋଗ ମିଳୁନାହିଁ।ମୁଁ ଏହି ପବିତ୍ର ଆସନରୁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ସେ ଗୃହର ନେତା ହୁଅନ୍ତୁ, ବିରୋଧୀ ଦଳ ନେତା ହୁଅନ୍ତୁ, ମନ୍ତ୍ରୀ ହୁଅନ୍ତୁ କିମ୍ବା ଅନ୍ୟ କୌଣସି ସଦସ୍ୟ ହୁଅନ୍ତୁ – ସମସ୍ତ ମାନ୍ୟବର ସଦସ୍ୟ ଗୃହର ନିୟମ ଅନୁଯାୟୀ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରିବା ପରେ ହିଁ କହିବାର ଅଧିକାର ପାଆନ୍ତି।କିଛି ମାନ୍ୟବର ସଦସ୍ୟ ବିଶ୍ୱାସ କରନ୍ତି ଯେ ବିରୋଧୀ ଦଳ ନେତା ଯେକୌଣସି ସମୟରେ ଆସନରୁ ଉଠି ଯେକୌଣସି ବିଷୟରେ କହିପାରିବେ। ସେମାନେ ବିଶ୍ୱାସ କରନ୍ତି ଯେ ଏହା ସେମାନଙ୍କର ବିଶେଷ ଅଧିକାର।ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ସଦନ ନିୟମ ଦ୍ୱାରା ପରିଚାଳିତ ହୁଏ – ଏବଂ ସଦନର ପରିଚାଳନା ନିୟନ୍ତ୍ରଣ କରୁଥିବା ନିୟମଗୁଡ଼ିକ ସଦନ ଦ୍ୱାରା ହିଁ ତିଆରି କରାଯାଏ, ସରକାର କିମ୍ବା ବିରୋଧୀ ଦଳ ଦ୍ୱାରା ନୁହେଁ। ଏହି ନିୟମଗୁଡ଼ିକ ମୋତେ ଉତ୍ତରାଧିକାରୀ ଭାବରେ ମିଳିଛି। ଏହି ନିୟମଗୁଡ଼ିକ ଏ ସଦନର ସମସ୍ତ ସଦସ୍ୟଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ।ଯେତେବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ କିମ୍ବା ମାନ୍ୟବର ମନ୍ତ୍ରୀମାନଙ୍କୁ ଗୃହରେ ସର୍ବସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କୌଣସି ବିଷୟରେ ବିବୃତି ଦେବାକୁ ପଡ଼େ, ସେମାନଙ୍କୁ ନିୟମ ୩୭୨ ଅନୁଯାୟୀ ବାଚସ୍ପତିଙ୍କ ପୂର୍ବ ସମ୍ମତି ନେବାକୁ ପଡିବ। ଏଥିପାଇଁ ନୋଟିସ ମଧ୍ୟ ଦିଆଯାଇଥାଏ।କୌଣସି ମାନ୍ୟବର ସଦସ୍ୟଙ୍କୁ ଏହି ସଦନର ନିୟମ ବାହାରେ କହିବାର ବିଶେଷାଧିକାର ଦିଆଯାଇନାହିଁ।ଆମ ଦେଶରେ ଗଣତାନ୍ତ୍ରିକ ଅନୁଷ୍ଠାନର ମର୍ଯ୍ୟାଦା, ଗରିମା ଏବଂ ନିୟମକୁ ସମ୍ମାନ ଦେବାର ଏକ ସମୃଦ୍ଧ ପରମ୍ପରା ରହିଛି। ମୁଁ ଆପଣଙ୍କ ସମ୍ମୁଖରେ ଏହି ସଦନର ମାନ୍ୟବର ପୂର୍ବତନ ବାଚସ୍ପତିଙ୍କ ନିଷ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରିବାକୁ ଚାହେଁ।ଉଦାହରଣ ସଂଖ୍ୟା ୧(୧) ୧୯୫୭ରେ ମାନନୀୟ ରାଷ୍ଟ୍ରପତି ଜୀଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ନିଜର ବକ୍ତବ୍ୟ ରଖୁଥିବା ଶ୍ରୀ ଅଟଳ ବିହାରୀ ବାଜପେୟୀ ଜୀ ଯେତେବେଳେ ଜମ୍ମୁ ଓ କଶ୍ମୀର ସହ ଜଡ଼ିତ କେତେକ ଫଟୋକୁ ନିଜେ କହୁଥିବା କଥାର ପ୍ରମାଣ ସ୍ୱରୂପ ସଦନ ସାମ୍ନାରେ ରଖିବାକୁ ଚାହିଁଥିଲେ, ସେତେବେଳେ ବାଚସ୍ପତିଙ୍କ ଆସନ ତରଫରୁ କୁହାଯାଇଥିଲା ଯେ ଏପରି କରିବା ପୂର୍ବରୁ ସେହି ଦସ୍ତାବିଜକୁ ପ୍ରଥମେ ବାଚସ୍ପତିଙ୍କୁ ଦେଖାଇବାର ଆବଶ୍ୟକତା ରହିଛି। ତା’ପରେ ଏପରି କରାଯାଇପାରିବ କି ନାହିଁ ସେ ସମ୍ପର୍କରେ ବାଚସ୍ପତି ନିଷ୍ପତ୍ତି ନେବେ।ଅଟଳ ଜୀଙ୍କ ସମେତ ସମ୍ପୂର୍ଣ୍ଣ ସଦନ ବାଚସ୍ପତିଙ୍କ ଦ୍ୱାରା ନିର୍ଦ୍ଧାରିତ ଏହି ବ୍ୟବସ୍ଥାକୁ ଗ୍ରହଣ କରିଥିଲେ ଏବଂ ସସମ୍ମାନ ପାଳନ କରିଥିଲେ।ଉଦାହରଣ ସଂଖ୍ୟା ୨(୨) ୧ ମାର୍ଚ୍ଚ ୧୯୫୮ରେ, ଯେତେବେଳେ ମାନ୍ୟବର ସଦସ୍ୟ ଶ୍ରୀମତୀ ରେଣୁ ଚକ୍ରବର୍ତ୍ତୀ ସଦନ ସାମ୍ନାରେ ଏକ ବେସରକାରୀ ଦଲିଲ୍ ରଖିବାକୁ ଚେଷ୍ଟା କରିଥିଲେ, ଅଧ୍ୟକ୍ଷ ଏହାକୁ ଅନୁମତି ଦେବାକୁ ମନା କରି ଦେଇଥିଲେ କାରଣ ବାଚସ୍ପତିଙ୍କୁ ନ ଦେଖାଇ ଏହାକୁ ସଦନ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ ନାହିଁ।ଉଦାହରଣ ସଂଖ୍ୟା ୩(୩) ୨୬ ମାର୍ଚ୍ଚ ୧୯୫୮ରେ, ଯେତେବେଳେ ମାନ୍ୟବର ସଦସ୍ୟ, ଏସ୍.ଏମ୍. ବାନାର୍ଜୀ, ତାଙ୍କ ମତକୁ ସମର୍ଥନ କରି ଏକ ଚିଠିରୁ ଉଦ୍ଧୃତ କରିବାକୁ ଚାହୁଁଥିଲେ, ମାନ୍ୟବର ଉପବାଚସ୍ପତି ତାଙ୍କୁ ଏଥିପାଇଁ ବାରଣ କରି କହିଥିଲେ ଯେ ଏହା କରିବା ପୂର୍ବରୁ ଆପଣଙ୍କୁ ଏହାକୁ ବାଚସ୍ପତିଙ୍କୁ ଦେଖାଇବାକୁ ପଡିବ ଏବଂ ଆପଣ ତାହା କରିନାହାନ୍ତି।ଏହି ଦୁଇଟି ପ୍ରସଙ୍ଗରେ ମଧ୍ୟ ସଦନ ବାଚସ୍ପତିଙ୍କ ନିଷ୍ପତ୍ତିକୁ ସମ୍ମାନର ସହ ସ୍ୱୀକାର କରିଥିଲା।ସେହିପରି ଲୋକସଭା ଏବଂ ସଂସଦର ଅନ୍ୟତମ ସଦନ, ରାଜ୍ୟସଭାରେ ଏପରି ଅନେକ ଉଦାହରଣ ଅଛି, ଯେତେବେଳେ ଅଧ୍ୟକ୍ଷଙ୍କ ପୂର୍ବ ଅନୁମତି ବିନା କୌଣସି ଦଲିଲକୁ ଗୃହର ଟେବୁଲରେ ରଖିବାକୁ କିମ୍ବା ଉଦ୍ଧୃତ କରିବାକୁ ଅନୁମତି ଦିଆ ଯାଇନଥିଲା।ଏହି ପରମ୍ପରାକୁ ଆମେ ସବୁବେଳେ ସମ୍ମାନ କରିଛୁ।ଯେକୌଣସି ମାନ୍ୟବର ସଦସ୍ୟ ବାଚସ୍ପତିଙ୍କ ନିଷ୍ପତ୍ତି ସହିତ ବ୍ୟକ୍ତିଗତ ଭାବରେ ସହମତ କିମ୍ବା ଅସହମତ ହୋଇପାରନ୍ତି, କିନ୍ତୁ ସଦନର ନିୟମ, ପ୍ରକ୍ରିୟା ଏବଂ ପରମ୍ପରାକୁ କାର୍ଯ୍ୟକାରୀ କରିବା ମୋର କର୍ତ୍ତବ୍ୟ।ଯେତେବେଳେ କିଛି ମାନ୍ୟବର ସଦସ୍ୟ ସଦନର ମର୍ଯ୍ୟାଦା ବିରୁଦ୍ଧରେ ଆଚରଣ କରନ୍ତି, ସେତେବେଳେ ମୋତେ କଠୋର ନିଷ୍ପତ୍ତି ନେବାକୁ ପଡ଼ିଥାଏ ଏବଂ ସଦନର ମର୍ଯ୍ୟାଦା ବଜାୟ ରଖିବା ପାଇଁ ବ୍ୟବସ୍ଥା କରିବାକୁ ପଡ଼ିଥାଏ।ବିଷୟ ସଂଖ୍ୟା -୨ଆଲୋଚନା ସମୟରେ, ଜଣେ ବିଦ୍ୱାନ ମାନନୀୟ ସଦସ୍ୟ ସମ୍ବିଧାନର ଧାରା ୧୦୫ ଅନୁଯାୟୀ ସଂସଦରେ ସାଂସଦଙ୍କ ଅଭିବ୍ୟକ୍ତି ସ୍ୱାଧୀନତାj ଅଧିକାର ବିଷୟରେ କହିଥିଲେ।ମୁଁ ଏହି ସଦନ ସମ୍ମୁଖରେ ଆମ ସମ୍ବିଧାନର ଧାରା ୧୦୫ (୧) ପଢ଼ି ଏହି ସ୍ଥିତି ସ୍ପଷ୍ଟ କରିବାକୁ ଚାହୁଁଛି:‘‘୧୦୫ (୧) ଏହି ସମ୍ବିଧାନର ବ୍ୟବସ୍ଥା ଏବଂ ସଂସଦର କାର୍ଯ୍ୟପଦ୍ଧତିକୁ ନିୟନ୍ତ୍ରଣ କରୁଥିବା ନିୟମ ଏବଂ ସ୍ଥାୟୀ ଆଦେଶ ଅନୁଯାୟୀ, ସଂସଦରେ ବାକ୍ ସ୍ୱାଧୀନତା ରହିବ।’’ଅର୍ଥାତ୍, ଆମ ସଂସଦରେ କହିବାର ସ୍ୱାଧୀନତା ଅଛି, କିନ୍ତୁ ସଦନ ଦ୍ୱାରା ଗୃହୀତ କାର୍ଯ୍ୟପଦ୍ଧତିର ନିୟମ ଏବଂ ସ୍ଥାୟୀ ଆଦେଶ ଅଧୀନରେ ଏହା କରିବାକୁ ହେବ।ନିୟମ ୩୫୨, ଏହାର ଏଗାରଟି ଉପ-ନିୟମ ମାଧ୍ୟମରେ, ସଦସ୍ୟମାନେ ଗୃହରେ କିପରି କହିବା ଉଚିତ ଏବଂ କେଉଁ ପ୍ରକାରର ବିବୃତି କିମ୍ବା ଅଭିବ୍ୟକ୍ତିକୁ ଏଡ଼ାଇବା ଉଚିତ ସେ ବିଷୟରେ ବିସ୍ତୃତ ନିର୍ଦ୍ଦେଶାବଳୀ ପ୍ରଦାନ କରେ।କିଛି ମାନ୍ୟବର ସଦସ୍ୟ ଏହା ମଧ୍ୟ କହିଛନ୍ତି ଯେ ଅଧ୍ୟକ୍ଷ କିଛି ବିରୋଧୀ ସଦସ୍ୟଙ୍କ ମାଇକ୍ରୋଫୋନ୍ ବନ୍ଦ କରିଦିଆଯାଉଛି।ମୁଁ ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ ଅଧ୍ୟକ୍ଷଙ୍କ ପାଖରେ ମାଇକ୍ରୋଫୋନ୍ ଚାଲୁ କିମ୍ବା ବନ୍ଦ କରିବା ପାଇଁ କୌଣସି ବଟନ୍ ନାହିଁ। କିଛି ବିରୋଧୀ ସଦସ୍ୟ ନିଜେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଏ ବିଷୟରେ ଭଲ ଭାବରେ ଜାଣନ୍ତି।ସଦନର ବ୍ୟବସ୍ଥା ଏପରି ଯେ କେବଳ କହିବାକୁ ଅନୁମତି ପାଇଥିବା ସଦସ୍ୟଙ୍କ ମାଇକ୍ରୋଫୋନ୍ ଚାଲୁ ରହିଥାଏ।ବିଷୟ ସଂଖ୍ୟା ୪ଆଲୋଚନା ସମୟରେ, ମହିଳା ସଦସ୍ୟଙ୍କ ପ୍ରତି ସମ୍ମାନ ସମ୍ପର୍କରେ ମଧ୍ୟ ଚିନ୍ତା ପ୍ରକାଶ କରାଯାଇଛି।ମୁଁ ସର୍ବଦା ସମସ୍ତ ମାନ୍ୟବର ମହିଳା ସଦସ୍ୟଙ୍କ ପ୍ରତି ସର୍ବୋଚ୍ଚ ସମ୍ମାନ ରଖିଆସିଛି। ପ୍ରତ୍ୟେକ ମହିଳା ସଦସ୍ୟଙ୍କୁ ଗୃହରେ କହିବାର ସୁଯୋଗ ଦେବା ପାଇଁ ମୋର ସର୍ବଦା ପ୍ରୟାସ ରହି ଆସିଛି ।ମୁଁ ଏହି କଥାକୁ ନେଇ ଗର୍ବ ଅନୁଭବ କରୁଛି ଯେ ମୋ କାର୍ଯ୍ୟକାଳ ମଧ୍ୟରେ ନୂଆ ସଦସ୍ୟଙ୍କ ସମେତ ପ୍ରତ୍ୟେକ ମହିଳା ସଦସ୍ୟ ଏହି ଗୃହରେ ତାଙ୍କର ମୂଲ୍ୟବାନ ମତାମତ ପ୍ରକାଶ କରିଛନ୍ତି।ତଥାପି, ଯେତେବେଳେ କିଛି ସଦସ୍ୟ ସଦନର ମଧ୍ୟ ଭାଗକୁ ଚାଲି ଆସି ନାରାବାଜି କରିବା ଏବଂ ବ୍ୟାନର ପ୍ରଦର୍ଶନ କରି ଟ୍ରେଜରୀ ବେଞ୍ଚ ନିକଟକୁ ଯିବା ଭଳି କାର୍ଯ୍ୟ କରନ୍ତି ତାହା ଏକ ଅପ୍ରତ୍ୟାଶିତ ପରିସ୍ଥିତି ସୃଷ୍ଟି କରିଥାଏ। ଏପରି ପରିସ୍ଥିତିକୁ ରୋକିବା ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ, ମୁଁ ସଦନର ନେତାଙ୍କୁ ସେହି ମୁହୂର୍ତ୍ତରେ କକ୍ଷ ଭିତରକୁ ପ୍ରବେଶ ନକରିବାକୁ ଅନୁରୋଧ କରିଥିଲି।ଏପରି କଠିନ ପରିସ୍ଥିତିରେ, ମୁଁ ଗୃହର ମର୍ଯ୍ୟାଦା ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଯାହା ଆବଶ୍ୟକ ମନେ କରିଥିଲି ତାହା କରିଥିଲି।କିଛି ସଦସ୍ୟ ଏହା ମଧ୍ୟ କହିଛନ୍ତି ଯେ ବିରୋଧୀ ସଦସ୍ୟମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଉନାହିଁ।ବିଷୟ ସଂଖ୍ୟା – ୫ କିଛି ସଦସ୍ୟ ଏହା ମଧ୍ୟ କହିଥିଲେ ଯେ ବିରୋଧୀ ସଦସ୍ୟମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଏ ନାହିଁ।ସପ୍ତଦଶ ଏବଂ ଅଷ୍ଟାଦଶ ଲୋକସଭାରେ ସଂସଦୀୟ କାର୍ଯ୍ୟପନ୍ଥା ସମ୍ପର୍କରେ ସରକାରୀ ତଥ୍ୟ ପ୍ରକୃତ ସତ୍ୟ ପ୍ରକାଶ କରେ। ସଂଖ୍ୟାଗତ ଶକ୍ତି ଆଧାରରେ, ମାନ୍ୟବର ବିରୋଧୀ ସଦସ୍ୟମାନେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ, ବଜେଟ୍, ଗୁରୁତ୍ୱପୂର୍ଣ୍ଣ ବିଲ୍ ଏବଂ ଅନ୍ୟାନ୍ୟ ବିଶେଷ ଆଲୋଚନା, ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ସମୟରେ ସେମାନଙ୍କର ନିର୍ଦ୍ଧାରିତ ସମୟଠାରୁ ଅଧିକ କହିବାର ସୁଯୋଗ ପାଇଛନ୍ତି। ଗତ ଦୁଇ ଦିନର ବିତର୍କ ସମୟରେ ଏହି ତଥ୍ୟଗୁଡ଼ିକୁ ଏଠାରେ ଅନେକ ଥର ଉପସ୍ଥାପିତ କରାଯାଇଛି।ମୁଁ ସବୁବେଳେ ଚେଷ୍ଟା କରେ ଯେ ସଦନରେ ସମସ୍ତ ସଦସ୍ୟଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳିବ। ମୁଁ ସବୁବେଳେ ଚେଷ୍ଟା କରିଛି ଯେ ଛୋଟ ଦଳ, କେବଳ ଜଣେ ସଦସ୍ୟ ଥିବା ଦଳ ଏବଂ ସ୍ୱାଧୀନ ସଦସ୍ୟମାନଙ୍କୁ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ମିଳିବ। ତେଣୁ, ମୁଁ ପ୍ରାୟତଃ ଶୂନ୍ୟ କାଳ ଏବଂ ବିତର୍କ ପାଇଁ ନିର୍ଦ୍ଧାରିତ ସମୟ ବୃଦ୍ଧି କରେ।ବିଷୟ ସଂଖ୍ୟା – ୬କିଛି ମାନ୍ୟବର ସଦସ୍ୟ ନିଲମ୍ବନ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।ଦଳୀୟ ସୀମା ଅତିକ୍ରମ କରି ମୋର ସମସ୍ତ ମାନନୀୟ ସଦସ୍ୟଙ୍କ ସହିତ ଏକ ଗଭୀର ବ୍ୟକ୍ତିଗତ ସମ୍ପର୍କ ଅଛି । ମୁଁ କେବେବି ଚାହେଁ ନାହିଁ ଯେ କୌଣସି ସଦସ୍ୟଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତଥାପି, ଯେତେବେଳେ ମଧ୍ୟ ଗୃହରେ ଶୃଙ୍ଖଳା ବଜାୟ ରଖିବା ପାଇଁ କୌଣସି ମାନନୀୟ ସଦସ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ, ମୁଁ ଗଭୀର ଦୁଃଖ ଅନୁଭବ କରେ।ତଥାପି, ଆମକୁ ବିଚାର କରିବାକୁ ପଡିବ ଯେ ଏପରି ପରିସ୍ଥିତି କାହିଁକି ସୃଷ୍ଟି ହେଲା ଯେ ଏହି ଗୃହକୁ ଶୃଙ୍ଖଳା ବଜାୟ ରଖିବା ପାଇଁ ନିଲମ୍ବନ ଭଳି କଠୋର ନିଷ୍ପତ୍ତି ନେବାକୁ ପଡିଲା।ଏହି ଗୃହରେ ସର୍ବୋଚ୍ଚ ମାନଦଣ୍ଡ ଏବଂ ଉଚ୍ଚକୋଟିର ପରମ୍ପରା ବଜାୟ ରଖାଯାଉ ବୋଲି ମୁଁ ସର୍ବଦା ଜୋର ଦେଇ ଆସିଛି।ସ୍ଲୋଗାନ ଦେବା, ଜାଣିଶୁଣି ବିଭ୍ରାଟ ସୃଷ୍ଟି କରିବା ଏବଂ କୋଳାହଳ କରିବା ଆମର ସଂସଦୀୟ ପରମ୍ପରାର ଅଂଶ ନୁହେଁ ବୋଲି ଆଜି ମଧ୍ୟ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ।୧୯୯୭ ମସିହାରେ ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସମ୍ମିଳନୀରେ ଏବଂ ୨୦୦୧ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ମାନ୍ୟବର ପୀଠାସୀନ ପଦାଧିକାରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ସଚେତକଙ୍କ ସମ୍ମିଳନୀରେ ସର୍ବସମ୍ମତିକ୍ରମେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ସଦନରେ ଅନୁଚିତ ଆଚରଣ ଯେପରିକି ସ୍ଲୋଗାନ ଦେବା, ଇସ୍ତହାର ପ୍ରଦର୍ଶନ କରିବା, ଚିଠି ଚିରିବା ଏବଂ ଫିଙ୍ଗିବା, ଅନୁପଯୁକ୍ତ ଏବଂ ଅଶାଳୀନ ଭଙ୍ଗୀ ଗ୍ରହଣ କରିବା, ଗୃହର ଅଧ୍ୟକ୍ଷଙ୍କ ନିକଟକୁ ଯିବା, ବିକ୍ଷୋଭ ପ୍ରଦର୍ଶନ କରିବା, ଧାରଣାରେ ବସିବା, କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ଅନ୍ୟ ସଦସ୍ୟମାନଙ୍କୁ କହିବାରୁ ନିବୃତ କରିବା, ଶୃଙ୍ଖଳା ବଜାୟ ରଖିବା ପାଇଁ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକୁ ପାଳନ ନ କରିବା, ଅଧ୍ୟକ୍ଷାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବା ଇତ୍ୟାଦି ସଂସଦ ଏବଂ ବିଧାନସଭାର ସଠିକ୍ କାର୍ଯ୍ୟକାରିତାକୁ ପ୍ରତିକୂଳ ଭାବରେ ପ୍ରଭାବିତ କରିଥାଏ। ୨୦୦୧ ରେ ଅନୁଷ୍ଠିତ ସମ୍ମିଳନୀରେ, ମାନ୍ୟବର ବିରୋଧୀ ଦଳ ନେତା, ଯିଏ କି କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା କହିଥିଲେ, ବାଧାକୁ କମ କରିବା ପାଇଁ ଗୃହର ମଧ୍ୟଭାଗକୁ ପ୍ରବେଶକୁ ସମ୍ପୂର୍ଣ୍ଣ ନିଷେଧ କରାଯିବା ଉଚିତ। ଏହି ମୌଳିକ ନିୟମର ଉଲ୍ଲଂଘନ କ୍ଷେତ୍ରରେ ସ୍ୱୟଂଚାଳିତ ଭାବରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ସେ କହିଥିଲେ, ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ କୌଣସି ପ୍ରକାରର ବାଧା ସୃଷ୍ଟି କରାଯିବା ଉଚିତ୍ ନୁହେଁ । ଏହି ପ୍ରସ୍ତାବଗୁଡ଼ିକ ବ୍ୟାପକ ଜାତୀୟ ସ୍ୱାର୍ଥ ପାଇଁ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।ଆମକୁ ସର୍ବଦା ମନେ ରଖିବାକୁ ହେବ ଯେ ସଂସଦୀୟ ବିତର୍କରେ ମତଭେଦ ଏବଂ ତୀବ୍ର ବିତର୍କ ହେବା ସ୍ୱାଭାବିକ। ତଥାପି, ଗଣତାନ୍ତ୍ରିକ ଆଲୋଚନା ଏବଂ ଅବ୍ୟବସ୍ଥା ମଧ୍ୟରେ ଏକ ସ୍ପଷ୍ଟ ସୀମାରେଖା ଅଛି।ପ୍ଲାକାର୍ଡ ହଲାଇବା, ସ୍ଲୋଗାନ ଦେବା, କାଗଜ ଚିରିବା କିମ୍ବା ଡେସ୍କ ଉପରେ ଚଢ଼ିବା ଆମର ମହାନ ସଂସଦୀୟ ପରମ୍ପରାର ବିପରୀତ। ଏପରି ଆଚରଣ କେବଳ କାର୍ଯ୍ୟଧାରା ବ୍ୟାହତ କରେ ନାହିଁ ବରଂ ଗୃହର ମର୍ଯ୍ୟାଦା ମଧ୍ୟ ହ୍ରାସ କରେ।ଏହି ଗୃହର ପ୍ରତ୍ୟେକ ସଦସ୍ୟ ସମ୍ମାନନୀୟ ଏବଂ ମୁଁ ବ୍ୟକ୍ତିଗତ ଭାବରେ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ସମ୍ମାନ କରେ। ଏଠାରେ ବସିଥିବା ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ, ମୁଁ ଭାରତର ଲକ୍ଷ ଲକ୍ଷ ନାଗରିକଙ୍କୁ ଦେଖୁଛି ଯେଉଁମାନଙ୍କର ଆପଣମାନେ ପ୍ରତିନିଧିତ୍ୱ କରନ୍ତି।ମାନ୍ୟବର ସଦସ୍ୟଗଣ,ଗତ ଦୁଇ ଦିନର ଆଲୋଚନା ସମୟରେ, ଅନେକ ସଦସ୍ୟ ସଂସଦରେ ୨୨ଟି ଭାଷାରେ ଅନୁବାଦ, ଡିଜିଟାଲ ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ଗବେଷଣା ସହାୟତା, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ପି-ଟ୍ୱେଣ୍ଟି ଏବଂ ସିଏସପିଓସି ଭଳି କାର୍ଯ୍ୟକ୍ରମର ସଫଳ ଆୟୋଜନ, ଏବଂ ବନ୍ଧୁତା ଗୋଷ୍ଠୀ ଭଳି ସଫଳତା ଉପରେ ମଧ୍ୟ ଆଲୋକପାତ କରିଥିଲେ।ମୁଁ ଜୋର ଦେବାକୁ ଚାହେଁ ଯେ ଏହି ସଫଳତାଗୁଡ଼ିକ ବ୍ୟକ୍ତିଗତ ସଫଳତା ନୁହେଁ; ଏଗୁଡ଼ିକ ଏହି ଗୃହର ସାମୂହିକ ସଫଳତା।ଭାରତର ଗଣତନ୍ତ୍ର ସାରା ବିଶ୍ୱରେ ଅତ୍ୟନ୍ତ ସମ୍ମାନର ପାତ୍ର। ଅନେକ ଦେଶର ବିଧାୟକ ଏବଂ ଅଧିକାରୀମାନେ ତାଲିମ ପାଇଁ ଆମ ସଂସଦକୁ ଆସନ୍ତି। ଯେତେବେଳେ ମୁଁ ବାଚସ୍ପତି ଭାବରେ ଅନ୍ତର୍ଜାତୀୟ ସମ୍ମିଳନୀରେ ଅଂଶଗ୍ରହଣ କରେ, ମୁଁ ଆମର ସମ୍ବିଧାନ ଏବଂ ଆମ ସଂସଦକୁ ନେଇ ଅତ୍ୟନ୍ତ ଗର୍ବ ଅନୁଭବ କରେ।ମାନ୍ୟବର ସଦସ୍ୟଗଣ,ସଦନର କାର୍ଯ୍ୟ ପରିଚାଳନା ପାଇଁ ପ୍ରସ୍ତୁତ ନିୟମ ପାଳନ କରିବା ଆମର ବ୍ୟକ୍ତିଗତ ଏବଂ ସାମୂହିକ ଦାୟିତ୍ୱ।ଯଦି କୌଣସି ସଦସ୍ୟ ଏହି ନିୟମଗୁଡ଼ିକୁ ଅବମାନନା କରନ୍ତି ଏବଂ ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତି, ତେବେ ଏହି ଆସନରେ ବସିଥିବା ବାଚସ୍ପତିଙ୍କ କର୍ତ୍ତବ୍ୟ ହେଉଛି, ସେପରି ସଦସ୍ୟମାନଙ୍କୁ ମାର୍ଗଦର୍ଶନ କରିବେ, ଚେତାବନୀ ଦେବେ ଏବଂ ଆବଶ୍ୟକ ହେଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।ନିୟମ ୩୭୮ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥାଏ ଯେ, ବାଚସ୍ପତି ଗୃହରେ ଶୃଙ୍ଖଳା ରକ୍ଷା କରିବେ । ତାଙ୍କୁ ନିଜ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଆବଶ୍ୟକ କ୍ଷମତା ମିଳିବ।ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ସ୍ଥାୟୀ। ଦୃଢ଼ ଅନୁଷ୍ଠାନ ଏକ ଶକ୍ତିଶାଳୀ ଗଣତନ୍ତ୍ର ଗଠନ କରନ୍ତି। ଯଦି ଆମେ ନିଜେ ଏହି ଅନୁଷ୍ଠାନଗୁଡ଼ିକର ମର୍ଯ୍ୟାଦା ହ୍ରାସ କରୁ, ତେବେ କ୍ଷତି କୌଣସି ବ୍ୟକ୍ତି କିମ୍ବା ଦଳର ନୁହେଁ, ବରଂ ସମଗ୍ର ଦେଶର ହେବ।ସାମ୍ବିଧାନିକ ଅନୁଷ୍ଠାନ ପ୍ରତି ସମ୍ମାନ କେବଳ ଏକ ଔପଚାରିକତା ନୁହେଁ; ଏହା ଗଣତାନ୍ତ୍ରିକ ସ୍ଥିରତାର ମୂଳଦୁଆ।ସଦନରେ ଯେତେବେଳେ କୋଳାହଳ କିମ୍ବା ସଂଗଠିତ ବିଭ୍ରାଟ ହୁଏ, ଏହା ଲୋକଙ୍କ ମନରେ ନିରାଶା ସୃଷ୍ଟି କରେ।ମୁଁ ଆପଣମାନଙ୍କୁ ବିନମ୍ରତାର ସହ ନିବେଦନ କରୁଛି ଯେ ଏହି ଗୃହ ପ୍ରତି ଭାରତର ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସ ବଜାୟ ରଖିବାରେ ସହଯୋଗ କରନ୍ତୁ।ଆମର ମହାନ ସମ୍ବିଧାନ, ଆମର ନିୟମ ଏବଂ ଆମର ପରମ୍ପରା ହେଉଛି ଏକ ଐତିହ୍ୟ ଯାହା ଆମେ ଉତ୍ତରାଧିକାରୀ ଭାବରେ ପାଇଛୁ। ଯଦିଓ ମୁଁ ଏହି ଐତିହ୍ୟ ପାଇଁ ବହୁତ ଗର୍ବ କରେ, ମୁଁ ଏହାକୁ ସଂରକ୍ଷଣ ଓ ସୁଦୃଢ଼ କରିବା ଏବଂ ଏହି ଗୃହର ମର୍ଯ୍ୟାଦା କେବେ ହ୍ରାସ ନହେବାକୁ ଦେବା ଲାଗି ସମାନ ଭାବରେ ସଂକଳ୍ପବଦ୍ଧ।ମୁଁ ଟ୍ରେଜରୀ ବେଞ୍ଚ ଏବଂ ବିରୋଧୀ ଦଳ ଉଭୟଙ୍କୁ ଏହି ଅନୁଷ୍ଠାନର ସମାନ ରକ୍ଷକ ଭାବରେ ଗ୍ରହଣ କରିଥାଏ।ପରିସ୍ଥିତି ଯେତେ ପ୍ରତିକୂଳ ହେଉ ନା କାହିଁକି, ଏହି ଗୃହର ମର୍ଯ୍ୟାଦା ଏବଂ ଗରିମା ବଜାୟ ରଖିବା ମୋର ଦୃଢ଼ ସଂକଳ୍ପ। ଏହି ସଦନ ସର୍ବଦା ନିୟମ ଏବଂ ପ୍ରକ୍ରିୟା ଅନୁସାରେ କାର୍ଯ୍ୟ କରିଆସିଛି, ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ – କୌଣସି ସଦସ୍ୟ ଏଥିରେ ରାଜି ହୁଅନ୍ତୁ କି ନ ହୁଅନ୍ତୁ।ମାନ୍ୟବର ସଦସ୍ୟଗଣ,ପ୍ରଶଂସା ମିଳୁ କି ସମାଲୋଚନା, ମୋର ସଂକଳ୍ପ ଗୋଟିଏ : ଗୃହର ମର୍ଯ୍ୟାଦା ଏବଂ ଏହାର ନିୟମାବଳୀକୁ ବଜାୟ ରଖିବା।ଆସନ୍ତୁ ଆମେ କେବଳ ସମ୍ବିଧାନର ଶବ୍ଦଗୁଡ଼ିକୁ ନୁହେଁ ବରଂ ସାମ୍ବିଧାନିକ ନୈତିକତାକୁ ମଧ୍ୟ ବଜାୟ ରଖିବା।ଆସନ୍ତୁ ଆମେ ଆଜିଠାରୁ ଏକ ନୂତନ, ସକାରାତ୍ମକ ଏବଂ ଗଠନମୂଳକ ଅଧ୍ୟାୟ ଆରମ୍ଭ କରିବା। ଆସନ୍ତୁ ଆମେ ରାଷ୍ଟ୍ର ସେବା ଏବଂ ରାଷ୍ଟ୍ର ନିର୍ମାଣ ପଥରେ ଏକଜୁଟ ହୋଇ ଆଗକୁ ବଢ଼ିବା।
