ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ନିମନ୍ତେ ଲୋକାରଣ୍ୟ ମେଳା ପଡିଆ
ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ନିମନ୍ତେ ଲୋକାରଣ୍ୟ ମେଳା ପଡିଆ, ଜମୁଛି ମାଟିହାଣ୍ଡିରେ ରୋଷେଇ, ଭୋର ୪ଟା ୪୧ରେ ତୀର୍ଥରେ ବାରୁଣୀ ବୁଡ ପକାଇବେ ଶ୍ରଦ୍ଧାଳୁ ଓ ସାଧୁସନ୍ଥ।କୋଣାର୍କ – ପବିତ୍ର ମାଘସପ୍ତମୀ ବୁଡ ନିମନ୍ତେ ଚନ୍ଦ୍ରଭାଗା ମାଘ ବୁଡ ପଡିଆ ଲୋକାରଣ୍ୟ ହୋଇଛି ।ଚଳିତ ବର୍ଷ ଏକ ଅଲଭ୍ୟ ଯୋଗରେ ବାରୁଣୀ ଅନୁଷ୍ଠିତ ହେଉଛି। ମେଳା ପଡ଼ିଆ ଓ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଓଡିଶା ତଥା ଓଡିଶା ବାହାରୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ, ସାଧୁସନ୍ଥଙ୍କ ସମେତ ଧର୍ମ ପରାୟଣ ଜନସାଧାରଣ ମାନେ ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ମାଟି ହାଣ୍ଡିରେ ବ୍ୟଞ୍ଜନ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ଅବସରରେ ଶ୍ରଦ୍ଧାଳୁ ଭକ୍ତ ମାନେ ମାଟି ହାଣ୍ଡିରେ ରୋଷେଇ କରି ଅର୍କାଦିତ୍ଯ କୁ ଅର୍ପଣ କରିବା ପରେ ତାଙ୍କୁ ସେବନ କରିବା ପରେ ହାଣ୍ଡିରେ ଥିବା ବଳକା ବ୍ୟଞ୍ଜନ ସହ ମାଟି ହାଣ୍ଡିକୁ ବାଡେଇ ତୀର୍ଥ ପୁଷ୍କରିଣୀ ସଂଲଗ୍ନ ମାଟିବାଡିଆ ପୁଷ୍କରିଣୀରେ ପକାଇଥାନ୍ତି ।ଏହି ପରମ୍ପରା ଦୀର୍ଘ ଦିନ ଧରି ହୋଇ ଆସୁଛି। ମାଘ ଷଷ୍ଠୀ ଅବସରରେ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ, ସାଧୁସନ୍ଥଙ୍କ ସମେତ ଜନସାଧାରଣ ମାନଙ୍କ ସମାଗମ ହୋଇଛି। ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସୁରକ୍ଷା ଓ ସୁରକ୍ଷିତ ସ୍ନାନ କୁ ଦୃଷ୍ଟିରେ ରଖି ୩୪ ପ୍ଲାର୍ଟୁନ ପୋଲିସ ଫୋର୍ସ ଓ ୩୦୦ ସ୍ବେଚ୍ଛାସେବୀ ମୁତୟନ କରାଯାଇଛି। ପୂର୍ତ୍ତବିଭାଗ, ଡ୍ରେନେଜ ବିଭାଗ, ଓ୍ବାଟକୋ ଓ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ନିମନ୍ତେ ଓ୍ବାଟକୋ କର୍ତୃପକ୍ଷଙ୍କ ପକ୍ଷରୁ ୪ଗୋଟି ଟ୍ଯାଙ୍କର ଯୋଗେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଓ ୬୦ରୁ ଅସ୍ତାୟୀ ନଳକୂପ ଖନନ କରାଯାଇ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ନିରବଛିନ୍ନ ସେବା ପ୍ରଦାନ କରାଯାଉଛି। ଶ୍ରଦ୍ଧାଳୁ ଭକ୍ତ ଓ ତୀର୍ଥଯାତ୍ରୀ ମାନଙ୍କ ନିମନ୍ତେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଶୌଚାଦି କାର୍ଯ୍ୟ ନିମନ୍ତେ ୧୦୦ ଗୋଟି ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି।

ପୂର୍ତ୍ତବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ଓ ବ୍ୟାରିକେଡ ନିର୍ମାଣ ସହ ଅନ୍ୟାନ୍ୟ ବିଭାଗ ପକ୍ଷରୁ ଆଲୋକିକରଣ ସମେତ ବିଭିନ୍ନ କାର୍ଯ୍ୟ କରାଯାଇଛି। ମାଘସପ୍ତମୀ ବୁଡ ଅବସରରେ କୋଣାର୍କ ସୂର୍ଯ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ବିତରଣ, ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ଓ ଆଳତି କାର୍ଯ୍ୟକ୍ରମ, ଅର୍କାର୍ଘ୍ଯ ଆଧ୍ୟାତ୍ମିକ ପତ୍ରିକାର ଉନ୍ମୋଚନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ କୋଣାର୍କ – ଗୋପ ବିକାଶ ପରିଷଦ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଚା ଓ ବିସ୍କୁଟ ବଣ୍ଟନ କରାଯାଇଛି। ପୁରୀ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ମାଘ ସପ୍ତମୀ ବୁଡ ନିମନ୍ତେ ଷଷ୍ଠୀ ରାତିରେ ତ୍ରିଶମ୍ଭୁଙ୍କୁ ଏକ ଶୋଭାଯାତ୍ରା ରେ ନିଆଯାଇ ରାତି ୨ଘ ୩୦ ମିନିଟ୍ ସମୟରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଠାରେ ପହଞ୍ଚିବା ପରେ ସେଠାରେ ପୁଷ୍କରିଣୀରୁ ପବିତ୍ର ଜଳ ଆଣିବା ପରେ ତିନି ଠାକୁରଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ସମେତ ମହାସ୍ନାନ ନୀତି ଅନୁଷ୍ଠିତ ହେବ। ମାଘସପ୍ତମୀ ତୀଥିରେ ଭୋର ୪ଟା ୪୧ ମିନିଟ୍ ସମୟରେ ଶ୍ରଦ୍ଧାଳୁ ଭକ୍ତ ମାନେ ବାରୁଣୀ ବୁଡ ପକାଇ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ଓ ସୂର୍ଯ୍ୟୋଦୟ ଦେଖିବା ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା।
