ପଛକୁ ଆଉ ଚାହଁନା ଫେରି

      ପଛକୁ ଆଉ ଚାହଁନା ଫେରି

  🖋️କବିରତ୍ନ ନୂତନ କୁମାର ବେହେରା

ପଛକୁ ଆଉ ଚାହଁନା ଫେରି……
ଆଗକୁ ଦେଖ…ତୀକ୍ଷ୍ଣ ଦୃଷ୍ଟିରେ
ମୁଣ୍ଡରେ ମୁଣ୍ଡାଇଛ ଓଜନିଆ ବୋଝ କ’ଣ
ଯିବ କେତେ ବାଟ…ଲକ୍ଷ୍ୟସ୍ଥଳ କେଉଁଠି
ଆଗେଇ ଆସିଛ ଯେତେବେଳେ ଏତେ ବାଟ
ଚାଲିବାର ଅଭିଜ୍ଞତା ତ ଥିବ ନିଶ୍ଚିତ
କମେଇ ଦିଅନା ପୂର୍ବର ସେ ଆଗ୍ରହ ଉତ୍ସାହ
ଅବା ଥକି ପଡ଼ନି କି ରୁହନା ପଛେଇ
ନିଜକୁ ହିଁ ଯିବାକୁ ହେବ ନିଜର ଗତିରେ
ଦୃଢ଼ ଆତ୍ମବଳେ ଚାଲ ଠିକ୍ ବାଟରେ
ଆହୁରି…ଆହୁରି…ଆଗକୁ ଯାଅ
ପଛକୁ ଆଉ ଚାହଁନା ଫେରି…
ଯା’ ଛାଡ଼ି ଆସିଛ ତା’ ପାଇବନି ପୁଣି
ବିଗତ ଦିନର ହସଖୁସି ଅବା ଆଖିର ଲୁହ
ସ୍ମୃତିରେ କରିବ ଯେତେ ରୋମନ୍ଥନ
ହୋଇଥିଲେ ତା’ ସୁଖକର ଆନନ୍ଦଦାୟକ
ଏବେ ଯଦି ନାହିଁ ସେ ସ୍ଥିତି ଭାଙ୍ଗି ପଡ଼ିବ ନିଜେ
ଅଛି ଯଦି ସେଇ ଲୁହ ଆଗକୁ ଉଠିବନି ପାଦ
ସାଉଁଟିଛ ଯାହା କରି ଗଣ୍ଠିଧନ
ପାଇଛ ତା’ କେତେ କଷ୍ଟକର ଶ୍ରମରେ
ତାର ମୂଲ୍ୟାୟନ କର ବିବେକ ବିଚାରରେ
ଆସୁଥିବା ଦ୍ବନ୍ଦ୍ବ ହୃଦୟରୁ ହେବ ଦୂର
ପଛକୁ ଆଉ ଚାହଁନା ଫେରି…
ହଜାରେ ବିଫଳତା ପରେ ମଧ୍ୟ
ନିଜେ ଜିତିଥିବ କିଛି ନା କିଛି ଅବଶ୍ୟ
କେମିତି ଜିତିଲ ଏକାନ୍ତରେ କର ସମୀକ୍ଷା
ସେଇ ଧାରାକୁ ରଖ ବଳବତ୍ତର
ହାରିଯିବାର ନ ଥିବ ଭୟ କି ଆଶଙ୍କା
ଆତ୍ମବିଶ୍ଵାସର ସହିତ ଲଢ଼ିବ ବଢ଼ିବ ଆଗକୁ
ନିଃସନ୍ଦେହରେ ରଖ ଆତ୍ମଭରସା
ନିଜ ଅର୍ଜିତ ଯେତେ ସବୁ ଧନ ମାନ ଜ୍ଞାନ
ତୁମକୁ କରିଛି କେତେ ଦକ୍ଷ ପାରଙ୍ଗମ
ସେଇ କୃତିତ୍ୱ ହେବ ତୁମର ଆତ୍ମପରିଚୟ
ପଛକୁ ଆଉ ଚାହଁନା ଫେରି …।

   କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *