ବାହୁଡ଼ି ଆସିଲେ ପ୍ରଭୁ ଶ୍ରୀଜଗନ୍ନାଥ

  ବାହୁଡ଼ି ଆସିଲେ ପ୍ରଭୁ ଶ୍ରୀଜଗନ୍ନାଥ

 ✍️କବିରତ୍ନ ନୂତନ କୁମାର ବେହେରା

ସରଗରୁ ପଡୁଛି ପାରିଜାତ
              ମହକ ତା’ ହୁଏ ମହକିତ,
ଦେବା ଦେବୀଗଣ ଯେ ଆନନ୍ଦିତ
             ପ୍ରଭୁଙ୍କର ଦର୍ଶନରେ ପ୍ରୀତ।
ଆକାଶୁଁ ଝରେ ବରଷାର ଧାରା
           ନବ ରୂପେ ହସି ଉଠେ ଧରା,
ମନୋରମ ପ୍ରକୃତିର ଚେହେରା
         ଅନୁଭବେ ରହେ ଅପାସୋରା।
ପ୍ରଭୁ ବରଜି ରତ୍ନ ସିଂହାସନ
            ଆସିଥିଲେ ଦେବାକୁ ଦର୍ଶନ,
ନନ୍ଦିଘୋଷ କରି ସେ ଆରୋହଣ
            ସ୍ଵୟଂ କରିଥିଲେ ଅଭିଯାନ।
ଯାଇଥିଲେ ସେ ଜନମ ବେଦୀକୁ
        ସାଥେ ନେଇ ଭାଇ ଭଉଣୀଙ୍କୁ,
ସକଳେ ଚାହିଁଥିଲେ ଦେଖିବାକୁ
               ମହାପ୍ରଭୁଙ୍କ ରଥଯାତ୍ରାକୁ।
ନବରାତ୍ର ଯାଇଥିଲେ ଭ୍ରମଣେ
              ଭକତ ଜନଙ୍କର ରକ୍ଷଣେ,
ଦୀନ ଦୁଃଖୀଙ୍କ ଆରତ ଶ୍ରବଣେ
          ରଖନ୍ତି ତାଙ୍କୁ ନିଜର ଶରଣେ।
ଆଡ଼ପ ମଣ୍ଡପରେ ପ୍ରଭୁ ରହି
              ଭକତ ମନ ନିଅନ୍ତି ମୋହି,
ଆଡ଼ପ ଅଭଡ଼ା କରି ମଣୋହି
             ପତିତେ ରଖନ୍ତି କରି ତ୍ରାହି।
ଦେଖାଇ ଦଶ ଅବତାର ରୂପ
             ଦୂର କରନ୍ତି ସେ ପରିତାପ,
ଦର୍ଶନେ ତାଙ୍କ କ୍ଷୟ ହୁଏ ପାପ
       କରୁଣା ତାଙ୍କର ଭବେ ଅମାପ।
ଆଷାଢ଼ ଶୁକ୍ଳ ଦଶମୀ ତିଥିରେ
             ତିନି ଠାକୁର ତିନି ରଥରେ,
ଆନନ୍ଦ ଉଲ୍ଲାସ କରି ମହୀରେ
           ବାହୁଡି଼ ଆସନ୍ତି ଶ୍ରୀମନ୍ଦିରେ।
ନା ନା ଅଳଙ୍କାର ପିନ୍ଧି ଶ୍ରୀଅଙ୍ଗେ
         ଲୀଳା ରଚିଲେ ମାନବ ଢ଼ଙ୍ଗେ,
ଭାଇ ଭଉଣୀଙ୍କୁ ଧରିଣ ସଙ୍ଗେ
       ନୀଳାଦ୍ରି ବିଜେ କରିଲେ ରଙ୍ଗେ।
ଅପୂର୍ବ ଦିବ୍ୟ ଠାଣି ଯେ ତାଙ୍କର
              ଜଗତେ ସିଏ ବଡ଼ଠାକୁର,
ମହାପ୍ରଭୁଙ୍କ ମହିମା ଅପାର
            ଭକତ ଲାଗି ଥା’ନ୍ତି ଉଦାର।
ଶ୍ରୀମନ୍ଦିରକୁ କରି ସେ ପ୍ରବେଶ
              ରଖିଥାନ୍ତି ଭରସା ବିଶ୍ଵାସ,
ତାଙ୍କରି ଲାଗି ବିକାଶ ପ୍ରକାଶ
            ବହୁଛି ଏ ନିଃଶ୍ବାସ ପ୍ରଶ୍ବାସ।
ତାଙ୍କ ଚରଣେ କୋଟିଏ ପ୍ରଣାମ
            କୃପାରେ ଦେଇଛନ୍ତି ଜନମ,
ଦିନ ଯାଉ ଭଜି ତାଙ୍କର ନାମ
           ହୃଦୟେ ରହୁ ଭକତି ପ୍ରେମ।

 କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *