କୃଷ୍ଣ ବଳରାମ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି। ଗତକାଲି ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବାପରେ ଆଜିର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ ଓ ଶ୍ରୀ ବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ | ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନଭିନ୍ନ ଆୟୁଧ ସହ ପଦ୍ମାସନରେ ଉପବେସନ କରିବେ । ଉଭୟ କୃଷ୍ଣ ଏବଂ ବଳରାମ କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି । ଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ ଶୋଭାପାଏ । ବଳରାମଙ୍କ ଡାହାଣ ହାତରେ ଶିଙ୍ଘ ଓ ବାମ ହସ୍ତରେ ପଦ୍ମ ଫୁଲ ମଧ୍ୟ ଶୋଭାପାଏ । କିରୀଟ ଉପରେ ସୋଲରେ ନିର୍ମିତ ସପ୍ତଫେଣିଆ ସର୍ପ ବିରାଜମାନ କରିଥାଏ । ଏହି ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି । ସେହି ପାଗ ଦ୍ୱୟ କିରୀଟଯୁକ୍ତ ହୋଇଥାଏ । ରତ୍ନ ସିଂହାସନ ଉପରେ ଖଞ୍ଜାଯାଇଥିବା ଏକ କ୍ଷୁଦ୍ରକାଷ୍ଠ ନିର୍ମିତ ତଥା ଜରି ଜମ୍ବୁରାରେ ଆଚ୍ଛାଦିତ ସିଂହାସନରେ ଚକାମୁଣ୍ଡି ପକାଇ ପ୍ରଭୁ ପଦ୍ମାସନରେ ଉପନିବେଶ କରିଥାନ୍ତି । ବାଙ୍କଚୂଳ କିରୀଟ ଉପରେ ପତ୍ରଲଗା କଦମ୍ବ ଫୁଲ ଶୋଭାପାଏ । ଏହି ବେଶରେ ଶ୍ରୀପୟର, ପାଉଁଜି,ବାଙ୍କି,ପାହୁଡ଼, ଗୋଡ଼ମୁଦି,ମଲ୍ଲୀକଢ଼,ଚନ୍ଦ୍ର, ଚିତା,ନାକଚଣା,ହାତଫେର,ଖଡୁ ଇତ୍ୟାଦିରେ ସାରା ଶରୀର ମହାପ୍ରଭୁଙ୍କ ଶୋଭା ପାଇଥାଏ । ସୁଭଦ୍ରାଙ୍କ ମସ୍ତକରେ ମଧ୍ୟ ଏକ କିରୀଟ ଶୋଭାପାଏ । ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ଦୁଇ ପାର୍ଶ୍ୱରେ ନନ୍ଦ, ଉପନନ୍ଦ, ବସୁଦେବ, ଗୋପାଳ ବାଳକମାନେ, ଗୋପୀ, ବ୍ରହ୍ମା, ସହସ୍ର ଚକ୍ଷୁ ଇନ୍ଦ୍ର, ନାରଦ, ରୋହିଣୀ ଓ ଯଶୋଦାଙ୍କୁ ଦଣ୍ଡାୟମାନ ଭଙ୍ଗୀରେ ରଖାଯାଏ । ଠାକୁରଙ୍କ ଆଗରେ ଚାରିଗୋଟି ଗାଈ ଦଣ୍ଡାୟମାନ ଭଙ୍ଗୀରେ ଠିଆ ହୋଇଥାନ୍ତି । ଦ୍ୱିପହର ଧୂପ ପରେ ଏହି ବେଶ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ରହିଥାଏ । ଏହି ବେଶରେ ଖିରି ଓ ଅମାଲୁ ଭୋଗ ମଧ୍ୟ ଲାଗିଥାଏ । ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି |

Leave a Reply

Your email address will not be published. Required fields are marked *