କୋଣାର୍କ ଯାତ୍ରୀନିବାସରେ ନିମ୍ନମାନର ରଙ୍ଗ ବୋଳି ଲୁଟ୍ ମସୁଧା ଆଗରେ ରଙ୍ଗ ବୋଳିଲେ, ପଛ ପାଖ ଛାଡ଼ିଦେଲେ

କୋଣାର୍କ, ୧୬/୧୨- ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଚଳିତ ବର୍ଷ କୋଣାର୍କ ଉତ୍ସବ ସଫଳତା ସହ ସରିଯାଇଥିଲା ବେଳେ ଉତ୍ସବ ନିମନ୍ତେ ବିଭାଗ ପକ୍ଷରୁ ଠିକାଦାର ଦ୍ବାରା ଆବଶ୍ୟକ କାର୍ଯ୍ୟଗୁଡ଼ିକ କରାଯାଇଥିଲା ମାତ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚ ଓ ସମ୍ମୁଖରେ ଥିବା ଅତିଥି ଓ କଳାକାରମାନେ ରହିବ ପାଇଁ ଥିବା ଏକମାତ୍ର ସରକାରୀ ଯାତ୍ରୀନିବାସକୁ ନୂତନ ରୂପରେଖ ଦେବାପାଇଁ ଏହାକୁ ପ୍ରତିବର୍ଷ ପରି ଠିବ ଠିକାଦାର ଦ୍ବାରା ପ୍ରାୟ ଲକ୍ଷ ଟଙ୍କା ବ୍ୟୟରେ ଆନୁମାନିକ ୩ ଲକ୍ଷ ବର୍ଗଫୁଟ ରଙ୍ଗ କରାଯିବା ପାଇଁ ବ୍ଯବସ୍ଥା କରାଯାଇଥିଲା। ମାତ୍ରପର୍ଯ୍ୟଟନ ବିଭାଗ ନିୟୋଜିତ କନିଷ୍ଠ ଯନ୍ତ୍ରୀ, ଅସାଧୁ ଠିକାଦାର ଓ ସ୍ଥାନୀୟ ଯାତ୍ରୀନିବାସ ଅଧିକାରୀଙ୍କ ମିଳିତ ମଧୁଚନ୍ଦ୍ରିକାରେ ଯୋଜନା ମୁତାବକ ଉଚ୍ଚାଧିକାରୀ ଓ ସାଧାରଣ ଲୋକମାନଙ୍କ ନଜର ନପଡ଼ିବା ସ୍ଥାନରେ ଠିକ୍ ଭାବରେ ସଫା ନକରି ଅତି ନିମ୍ନମାନର ରଙ୍ଗ କରାଯାଇଛି। ସେହିପରି ଚଞ୍ଚକତା କରି ସର୍ବସାଧାରଣ ନଜରରେ ପଡୁ ନଥିବା ଯାତ୍ରୀ ନିବାସ ବିଲ୍‌ଡିଂର ରୁମ୍‌ମାନଙ୍କରେ ପଛପାର୍ଶ୍ଵ ଅବଶିଷ୍ଟ ପ୍ରାୟ ୭୦ରୁ ୮୦ ହଜାର ବର୍ଗଫୁଟ ସ୍ଥାନରେ ରଙ୍ଗ ମରା ନଯାଇ ୧୫ ଲକ୍ଷରୁ ଅଧିକ ଟଙ୍କା ହରିଲୁଟ୍ କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ଏନେଇ ଠିକାଦାର ତାଙ୍କ ସମସ୍ତ ବିଲ୍‌ ଆଗାମୀ ୨୫ ତାରିଖ ସୁଧା କରିନେବାକୁ ଯୋଜନା କରିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିଜସ୍ବ ବିଭାଗ ଓ ନିଜ ଅଞ୍ଚଳରେ ହୋଇଥିବା ବେଳେ ଓ ପର୍ଯ୍ୟଟନ ବିଭାଗରେ ଦକ୍ଷ ପର୍ଯ୍ୟଟନ ଶାସନ ସଚିବ ବଲବନ୍ତ ସିଂ ପରି ଅଧିକାରୀ ଥିବା ସତ୍ତ୍ବେ ସାଧାରଣ ଲୋକଙ୍କ ପଇସାକୁ ଏପରି ଲୁଟ୍ କରାଯିବାକୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ପର୍ଯ୍ୟଟନ ବିଭାଗର ଉଚ୍ଚଧିକାରୀଙ୍କ ଦ୍ବାରା ଏହାକୁ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *