ମା’ ବିରଜାଙ୍କ ସ୍ୱନକ୍ଷତ୍ର ଉତ୍ସବ ମହାସମାରୋହରେ ପାଳିତ

ଯାଜପୁର: ୧୮/୦୧ (ଏନ୍‌.ଏନ୍‌.ଏସ୍‌): ମାଘ ମାସ ଶ୍ରବଣା ନକ୍ଷତ୍ର ମକର ରାଶି ଅମାବାସ୍ୟା ତିଥି ତଥା ତ୍ରିବେଣୀ ଅମାବାସ୍ୟାରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ଆବିର୍ଭାବ ହୋଇଥିବାରୁ ରବିବାର ଦିନ ମା’ବିରଜାଙ୍କ ସ୍ୱନକ୍ଷତ୍ର ଉତ୍ସବ ମା’ବିରଜା ମନ୍ଦିରରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃରୁ ମା’ଙ୍କୁ ନିତ୍ୟ ସ୍ନାନ କରାଯାଇ ବେଶ କରାଯାଇ ପିଷ୍ଟକ ଲାଗିହେବା ପରେ ସକାଳ ୫.୩୦ ମିନିଟ୍‌ରେ ମା’ଙ୍କର ମୁଖ୍ୟ ଦ୍ୱାର ଖୋଲିଥିଲା । ମା’ଙ୍କ ଦାଣ୍ଡରେ ଅପେକ୍ଷା କରିଥିବା ଭକ୍ତମାନେ ମୁଖ୍ୟ ଦ୍ୱାର ଖୋଲିବା ପରେ ସ୍ୱନକ୍ଷତ୍ର ଉତ୍ସବରେ ମା’ଙ୍କୁ ଦର୍ଶନକରି ଆଶିଷ ଭିକ୍ଷା କରିବା ସହ ନିଜ ପରିବାର ଓ ସମାଜର ମଙ୍ଗଳକାମନା କରିଥିଲେ । ଏହି ଅବସରରେ ସକାଳ ୭ ଘଟିକା ପରେ ମା’ଙ୍କୁ ମହାସ୍ନାନ କରାଯାଇ ସାବିତ୍ରୀ ବେଶ ଓ ଅଳଙ୍କାରରେ ସଜ୍ଜିତ କରାଯିବା ପରେ ଭକ୍ତମାନେ ମା’ଙ୍କ ଦର୍ଶନ କରିଥିଲେ । ସ୍ୱନକ୍ଷତ୍ର ପୂଜା ନିମନ୍ତେ ମା’ଙ୍କ ରତ୍ନ ସିଂହାସନରେ ବିଶେଷ ଷୋଡ଼ଶୋପଚାର ବିଧି ଓ ସ୍ୱନକ୍ଷତ୍ର ପୂଜା ହେବା ପରେ ନବରତ୍ନ ମଣ୍ଡପେ ଯଜ୍ଞବେଦିରେ ଯଜ୍ଞାନୁଷ୍ଠାନ ହେବା ସହ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହେବା ପରେ ପୂର୍ଣ୍ଣାହୁତି ଓ ଆରତି ହେବା ସହ ଘଟବିସର୍ଜନାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ସନ୍ଧ୍ୟା ସମୟରେ ମା’ଙ୍କର ଆରତି ହେବା ସହ ରାତ୍ର ୧୦ଟାରେ ରୀତିନୀତି ଅନୁଯାୟୀ ପହୁଡ଼ ହୋଇଥିଲା । ଏହି ସ୍ୱନକ୍ଷତ୍ର ଉତ୍ସବ ଉପଲକ୍ଷେ ମା’ଙ୍କ ମନ୍ଦିରକୁ ଫୁଲ ଓ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା । ସନ୍ଧ୍ୟା ସମୟରେ ମା’ଙ୍କ ଦାଣ୍ଡରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମା’ଙ୍କ ଦାଣ୍ଡରେ ସ୍ୱନକ୍ଷତ୍ର ଉତ୍ସବ ନିମନ୍ତେ ବାଲୁକା ଶିଳ୍ପୀ ବାଲିରେ ମା’ଙ୍କ ବାଲୁକା କୂର୍ତ୍ତି ନିର୍ମାଣ କରିଥିଲେ । ଭକ୍ତଙ୍କ ଦର୍ଶନ ନିମନ୍ତେ ବିରଜା ମନ୍ଦିର ପ୍ରଶାସନ ଓ ଯାଜପୁର ପୁଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରାଇବାର ବ୍ୟବସ୍ଥା କରାଯାଇଥିଲା । ମା’ଙ୍କର ଶ୍ରୀଅଙ୍ଗ ସେବାୟତ ମାନେ ଭକ୍ତମାନଙ୍କର ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ । ସେହିପରି ମନ୍ଦିର ପରିସରରେ ବିରଜା ବାହିନୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ମା’ଙ୍କ ମନ୍ଦିର ପରିସର ଦୋଳ ମଣ୍ଡପରେ ଡି.ଏ.ଭି ଡ୍ୟାନ୍ସ ଗ୍ରୁପ ତରଫରୁ ମା’ଙ୍କ ଭଜନ ସହିତ ଜଗନ୍ନାଥ ଭଜନର ନୃତ୍ୟ ପରିବେଷଣ କରାଯାଇଥିଲା । ସ୍ୱନକ୍ଷତ୍ରର ଉତ୍ସବ ନିମନ୍ତେ ପ୍ରାତଃରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ମା’ଙ୍କ ମନ୍ଦିରରେ ପ୍ରବଳ ଭିଡ ଲାଗିରହିଥିବାର ଦେଖିବାକୁ ମିଳିଥିଲା । ଯାଜପୁର ଜିଲ୍ଲା ସମେତ ଓଡ଼ିଶା ତଥା ଭାରତର ବିଭିନ୍ନ ରାଜ୍ୟରୁ ଭକ୍ତମାନେ ଆସି ମା’ଙ୍କର ସ୍ୱତନ୍ତ୍ର ସ୍ୱନକ୍ଷତ୍ର ଉତ୍ସବରେ ମା’ଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ ।

Leave a Reply

Your email address will not be published. Required fields are marked *