ପୁରୀ ବୀର ନରସିଂହପୁର ଠାରେ ମା ଦକ୍ଷିଣକାଳୀ- ଜଳୁଛି ଅଖଣ୍ଡ ଦୀପ
ବୀରନରସିଂହପୁରରେ ମା ଦକ୍ଷିଣକାଳୀଙ୍କ ପୀଠ ଅବସ୍ଥିତ । ଭକ୍ତମାନେ ମାଙ୍କ ଦର୍ଶନ କରି ପୂଣ୍ୟ ଅର୍ଜନ କରୁଛନ୍ତି । ପ୍ରତିଦିନ ବ୍ରାହ୍ମଣଙ୍କ ଚଣ୍ଡୀପାଠ ମନ୍ତ୍ରରେ ମା’ଙ୍କ ପୀଠ କମ୍ପୁଛି । ମାନସିକଧାରୀ ଭକ୍ତମାନଙ୍କ ପାଇଁ ଜଳୁଛି ଅଖଣ୍ଡ ଦୀପ । ଭକ୍ତପ୍ରିୟ ମା ଦକ୍ଷିଣକାଳୀ । ମନ୍ତ୍ର-ତନ୍ତ୍ର-ଯନ୍ତ୍ର ଓ ବାମାଚାର ପୂଜାର୍ଚ୍ଚନାରେ ମହକୁଛି ମନ୍ଦିର ପରିସର ।କାହିଁ କେଉଁଆଡ଼ୁ ଭକ୍ତମାନେ ଛୁଟି ଆସୁଛନ୍ତି ମାଙ୍କ ପୀଠକୁ । ମାଙ୍କ ପରମଭକ୍ତ ସେବକ ତଥା କାଳୀ ସାଧକ ଗିରିଶଚନ୍ଦ୍ର ବାନାର୍ଜୀ (ତାରୁ ଭାଇନା)ଙ୍କ ଭକ୍ତି ଭାବରେ ମା ସନ୍ତୁଷ୍ଟ ହୋଇ ମନ୍ଦିର ନିର୍ମାଣ ନିମନ୍ତେ ସ୍ୱପ୍ନାଦେଶ କରିଥିଲେ । ଚନ୍ଦନପୁର ନିକଟ ଶାସନଗ୍ରାମ ବୀରନରସିଂହପୁର ବାଇପାସ୍ ରାସ୍ତା ନିକଟରେ ଗ୍ରାମବାସୀଙ୍କ ସହଯୋଗ କ୍ରମେ ମାଙ୍କ ମନ୍ଦିର ନିର୍ମାଣ ହୋଇଛି । ମା’ଙ୍କ ମହିମା ଓ ପୂଜକଙ୍କ ସାଧନା ଯୋଗୁ ଭକ୍ତମାନେ ପ୍ରତିଦିନ ପୀଠକୁ ଆସୁଛନ୍ତି । ମାନସିକ ଧାରୀମାନେ ସେମାନଙ୍କ ମନସ୍କାମନା ପୁରଣ ହେବା ପରେ ମାଙ୍କ ପାଖରେ ପୁଜାର୍ଚ୍ଚନା କରୁଛନ୍ତି । ଭକ୍ତମାନଙ୍କ ସାହାର୍ଯ୍ୟ ଓ ସହଯୋଗରେ ନୂଆ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁରହିଛି । ନୂଆ ମନ୍ଦିରଟି ମା’ଙ୍କ ବାସ୍ତୁତତ୍ୱ ଅନୁସାରେ ନିର୍ମାଣ କାର୍ଯ୍ୟ ଚାଲିଛି । ନାଟମଣ୍ଡପ, ଭୋଗମଣ୍ଡପ ଓ ସିଂହାସନ ନିର୍ମାଣ କାର୍ଯ୍ୟ ଚାଲୁରହିଛି । ଭକ୍ତମାନଙ୍କ ପାଇଁ ବିଶ୍ରାମହଲ ଓ ପ୍ରସାଦସେବନ ହଲ ନିର୍ମାଣ ହେବ । ନୁଆ ମନ୍ଦିରରେ ୧୧ଟି ପାହାଚ ରହିଛି । ୧୦ଟି ବଡ଼ ବଡ଼ ପିଲରେ ଗଢିଉଠିଛି ମନ୍ଦିର ମୂଳଦୁଆ । ମନ୍ଦିର ପାଶ୍ୱର୍ ଦେବାଦେବୀ ଭାବେ ବ୍ରାହ୍ମୀ, ମାହେଶ୍ୱରୀ ଓ ନାରାୟଣୀ ବିରାଜମାନ କରିବେ । ମନ୍ଦିର ବେଢା ପରିକ୍ରମା ପାଇଁ ସ୍ୱତନ୍ତ୍ର ସ୍ଥାନ ରଖାଯାଇଛି । ମାଙ୍କ ପୂଜାର୍ଚ୍ଚନା ପାଇଁ ପଛପାଶ୍ୱର୍ରେ ରହିଛି ମିଠା ଜଳପୂର୍ଣ୍ଣ କୁଅ । କୁଅ ପାଖରେ ରହିଛି ମାଙ୍କ ପୋଖରୀ । କାର୍ତିକ ଅମାବାସ୍ୟା କାଳୀପୂଜା ପୂର୍ବରୁ ମା’ଙ୍କ ମାଟିମୂର୍ତୀ ପାଇଁ ପୋଖରୀରୁ ମାଟି ଆସିଥାଏ । କଳସ ପାଇଁ ପାଣି ଅଣାଯାଏ । ଅତି ମନୋରମ ପରିବେଶରେ ରହିଛି ମାଙ୍କ ପୀଠ । ନାରୀକେଳ ବଗିଚା ବେଷ୍ଟନୀ ମଧ୍ୟରେ ମାଙ୍କ ମନ୍ଦିର । ଜଗନ୍ନାଥ ସଡ଼କର ଅପର ପାଶ୍ୱର୍ରେ ଶାସନ ଗ୍ରାମର ବାଉଁଶ ବୁଦାରେ ପବନ ମାଡ଼ ହୋଇ ସାଇଁ ସାଇଁ ଶଦ୍ଧରେ ଭକ୍ତ ମନ ଆନେ୍ଦାଳିତ ହେଉଛି । ବଉଳର ବାସ୍ନା ଓ ଫୁଲମୟ ବାସ୍ନାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଖୁବ୍ଶୀଘ୍ର ରାସ୍ତା ପାଶ୍ୱର୍ରେ ନିର୍ମାଣ ହେବ ସୁସଜ୍ଜିତ ମାଙ୍କ ତୋରଣ । ଭକ୍ତଙ୍କ କାର ଓ ବାଇକ ପାଇଁ ରହିବ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା । ତୋରଣ ପାଖ ପ୍ରବେଶ ପଥରେ ଫୁଲ ବଗିଚା ନିର୍ମାଣ ହେବ । ମାଙ୍କ ପୀଠରେ ସ୍ୱତନ୍ତ୍ର ପୂଜାସାମଗ୍ରୀ ପାଇଁ ତିନୋଟି ଦୋକନ ରହିଛି । ମାଙ୍କ ପୂଜାର୍ଚ୍ଚନା ପାଇଁ ଶାଢି, ଶଙ୍ଖା, ସିନ୍ଦୁର, ଦୀପ, ଘିଅ, ଚୁନରୀ ଘେର ସହ ମା’ଙ୍କ ଫଟୋ ବିକ୍ରି ହେଉଛି । ମନ୍ଦିର ଚାରିପଟେ ପାଚେରି ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଉଛି । ସବୁ ମାଙ୍କ ଇଚ୍ଛା ଓ ଭକ୍ତଙ୍କ ସାହାର୍ଯ୍ୟରେ ନିର୍ମାଣ କାର୍ଯ୍ୟ ଚାଲିଛି । ମା’ଙ୍କ ଦୈନନ୍ଦିନ ନୀତିକାନ୍ତି ମଧ୍ୟରେ ସକାଳ ସାଢେ ୭ଟା ମଧ୍ୟରେ ମଙ୍ଗଳଆଳତି, ୧୨ଟା ୩୦ରେ ଶୀତଳଭୋଗରେ ଫଳ ଓ ମିଠା ଭୋଗ କରାଯାଇଥାଏ । ମଧ୍ୟାହ୍ନ ୧-୩୦ରୁ ୨-୩୦ ମଧ୍ୟରେ ସଙ୍ଖୁଡ଼ି ଭୋଗରେ ଖେଚଡ଼ି ଅନ୍ନ, ଡ଼ାଲମା ଓ ମାଛ ବେସର ରହିଛି । ପାଞ୍ଜି ଅନୁସାରେ ସଂଧ୍ୟା ଆଳତି ପ୍ରତ୍ୟେହ ଅନୁÂିତ ହୋଇଥାଏ । ରାତି ୮ଟାରେ ଛେନା ରାବିଡ଼ି ଭୋଗ ହୋଇଥାଏ । ପରେ ପରେ ବଡ଼ସିଂହାର ବେଶ ହୋଇ ପହୁଡ଼ ପଡ଼ିଥାଏ । ପ୍ରତି ସପ୍ତାହର ମଙ୍ଗଳବାର ଓ ଶନିବାର ଦିନ ଭକ୍ତଙ୍କ ଗହଳି ଲାଗିଥାଏ । ବିଶେଷ କରି ପ୍ରତିମାସ ସଂକ୍ରାନ୍ତିରେ ଅନେକ ଭକ୍ତ ମାଙ୍କ ବେଶ ସହ ଦର୍ଶନ କରିଥାନ୍ତି । ସଂକ୍ରାନ୍ତି ଦିନ ମା’ଙ୍କର ରାଜରାଜେଶ୍ୱରୀ ବେଶ ଅନୁÂିତ ହୁଏ । ମନ୍ଦିରରେ ପୁଜାର୍ଚ୍ଚନା ଓ ଅନ୍ୟାନ୍ୟ କାମରେ ବଙ୍ଗୀୟ ବ୍ରାହ୍ମଣମାନଙ୍କ ମଧ୍ୟରେ ଚଣ୍ଡୀପ୍ରସାଦ ବାନାର୍ଜୀ, ଅନିକେତ ବାନାର୍ଜୀ, ଆଲୋକ ବାନାର୍ଜୀ , ହାରାଧନ ବାନାର୍ଜୀ, ସରୋଜ ବାନାର୍ଜୀ, ଭବାନି ବାନାର୍ଜୀ, ସତ୍ୟଜିତ୍ ବାନାର୍ଜୀ, ଦୁର୍ଗାପ୍ରସାଦ ବାନାର୍ଜୀ, କାଳିପ୍ରସାଦ ବାନାର୍ଜୀ ଓ ସଚ୍ଚିନ୍ଦ୍ର ବାନାର୍ଜୀ ପ୍ରମୁଖ ସହଯୋଗ କରୁଛନ୍ତି ।
ବ୍ୟୂରୋ ରିପୋର୍ଟ, ପୁରୀ, ତୀର୍ଥକ୍ଷେତ୍ର
