ଆସ ମହାଲକ୍ଷ୍ମୀ ଆମ ଘରକୁ
ଶୀର୍ଷକ _ଆସ ମହାଲକ୍ଷ୍ମୀ ଆମ ଘରକୁ
ରୀତାରାଣୀ ଦାଶ
ବାଲେଶର
ମୋ ଆରାଧ୍ୟ ଦେବୀ ଜଗତ ଜନନୀ
କୃପାମୟୀ ନାରାୟଣୀ
ଭକତି ନୈବେଦ୍ୟ ଅର୍ପଣ କରୁଛି
ଘେନାକର କମଳିନୀ |
ଶୟନେ ସ୍ୱପନେ ତୁମ ଛବି ଦେଖେ
ପ୍ରତିକ୍ଷଣେ ନୟନରେ
ପ୍ରଭାତରୁ ଉଠି ଶୟନ ପର୍ଯ୍ୟନ୍ତ
ଅନୁଭବେ ହୃଦୟରେ |
ନ ଜାଣଇ ମା ଗୋ ପୂଜା ଆରାଧନା
ଭକତିର ପୁଷ୍ପ ଦେଇ
ଦୁବ ବରକୋଳି ଫଳ ପୁଷ୍ପ ମୁହିଁ
ସଜାଡ଼ିଛି ତୁମ ପାଇଁ |
ମଗୁଶୀର ମାସେ ପିଠଉ ବାଟିଣ
ଅପୂର୍ବ ଉଲ୍ଲାସେ ଭରେ
ତୁମ ପାଦପଦ୍ମ ଚିତା କାଟିଅଛି
ଡାକି ଡାକି ଭକ୍ତିଭରେ |
ମଣିଷ ମାତ୍ରକେ ଦୋଷ ତ୍ରୁଟି ଥିଲେ
କ୍ଷମା କରିଦେବ ମାଆ
ଜାଣି ନାହିଁ ମା ଗୋ ହିଂସା, ଦ୍ୱେଷ, ଗ୍ଲାନି
ଆସି ହୋଇବ ଯେ ସାହା |
ଉନ୍ମୁକ୍ତ ମୋ ଦ୍ୱାର ଦୁଃଖୀ ରଙ୍କି ପାଇଁ
ଉନ୍ମୁକ୍ତ ମୋ ମାଆ ପାଇଁ
ନୟନର ନୀରେ ଧୋଇଦେବି ପାଦ
ପୂଜିବି ତତ୍ପର ହୋଇ |
ଅଯାଚିତ ଦାନେ ପୁରାଇ ଦେଇଛ
ଶୂନ୍ୟ ଆଞ୍ଜୁଳି ମୋହର
ସବୁ ଗୁରୁବାର ମାର୍ଗଶୀର ମୋର
ଉଛୁର କିମ୍ପାଇଁ କର |
ସପନରେ ଯାହା କଳି ମୁଁ ନ ଥିଲି
ପୂର୍ଣ୍ଣ ତୁମେ କରିଅଛ
ତୁମ କୃପା ବଳେ ପର ଉପକାରେ
କାହାଣୀ ଯେ ରଚୁଅଛ |
ଏତିକି ମାଗୁଣି କରେ ଯୋଡ ହସ୍ତେ
ଅଭୟ ଦାୟିନୀ ମାଆ
ବିରାଜିତ ହୋଇ ଏହି ମଗୁଶୀରେ
କରିବ ମୋତେ ସୁଦୟା |
ପାଖେ ପାଖେ ଥିବ ପଥ କଢାଇବ
କୃପା ବିନା ନିଃସ୍ୱ ମୁହିଁ
ଭିଜାଇ ଭକ୍ତିରେ ଅନ୍ତରକୁ ବାରେ
ପ୍ରବେଶ ମମତା ମୟୀ |
