ମା ମଙ୍ଗଳାଙ୍କ ଝାମୁ ଯାତ୍ରା ଅନୁଷ୍ଠିତ

କାକଟପୁର,୧୫.୦୪ ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ରାତି ତିନିଘଡି ଥାଇ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ। ବଲ୍ଲଭ ନୀତି ପରେ ପ୍ରାରମ୍ଭିକ ସମୟରେ ସକାଳ ଧୂପ କରାଯାଏ ଏବଂ ବନ୍ଦାପନା ଆଳତୀ ପରେ ସର୍ବସାଧାରଣ ଦର୍ଶନ ପାଇଁ ସାହାଣମେଲା କରାଦିଆଯାଏ। ଏବଂ ମା ଙ୍କର ରାଜରାଜେଶ୍ଵରୀ ବେଶ ଦର୍ଶନ କରିବା ସହ ସୀମନ୍ତିନୀ ଗଣ ମନ୍ଦିର ବେଢାରେ ପନ୍ଥେଇ ପୂଜା କରିଥାନ୍ତି। ପ୍ରାୟତଃ ମଧ୍ୟାହ୍ନ ସମୟରେ ଶାରଳା ପୀଠ ରୁ ଆସିଥିବା ଛଅଜଣ ମାଳୀ (ରାଉଳ) ସେବକ ମାନେ ଓ ପାଞ୍ଚଜଣ ଭୋଇ (ହରିଜନ) ସେବକ ମାନେ ପାଟୁକା ନୃତ୍ଯ କରିଥାନ୍ତି। ଭୋଇ ପାଟୁକା ମାନେ ବେଢା ବାହାରେ ଓ ମାଳୀ ପାଟୁକା ମାନେ ବେଢା ଭିତରେ ନାଚିଥାନ୍ତି। ଦ୍ବିପ୍ରହର ଧୂପ ପୂର୍ବରୁ ପାଟୁକା ମାନେ ମା’ ଙ୍କୁ ଦର୍ଶନ କରନ୍ତି। ମାଳୀ ପାଟୁକା ମା’ ଙ୍କର ଆଜ୍ଞାମାଳ ପାଇବା ପରେ ବାହାରେ ଅପେକ୍ଷା କରିଥିବା ଭୋଇ ପାଟୁକା ଙ୍କ ସହ ଯୋଗ ଦିଅନ୍ତି। ପ୍ରତ୍ୟେକ ସ୍ୱତନ୍ତ୍ର ପାଟୁକା ପୋଷାକ ପିନ୍ଧିଥାନ୍ତି ଓ ଗୋଟିଏ ଲେଖା କାଷ୍ଠ ଦଣ୍ଡ ସହିତ ପିତ୍ତଳ ନିର୍ମିତ ପଞ୍ଚମୁଖୀ ଘଟ ଧାରଣ କରିଥାନ୍ତି। ଘଣ୍ଟ, ଢୋଲ ଓ କାହାଳୀ ମଧ୍ଯରେ ପ୍ରାଚୀ ନଦୀ ର ଘଟତୋଳା ତୁଠ କୁ ଗମନ କରି ସେଠାରେ ପଞ୍ଚମୁଖୀ ଘାଟିରେ ପ୍ରାଚୀ ରୁ ପାଣି ତୋଳି ସାରି ମନ୍ଦିର କୁ ଫେରନ୍ତି। ଭୋଇ ପାଟୁକା ମାନେ ବାହାରେ ଅପେକ୍ଷା କରନ୍ତି ଓ ମାଳୀ ପାଟୁକା ମାନେ ବେଢା ମଧ୍ୟକୁ ପ୍ରବେଶ କରନ୍ତି। ଭଣ୍ଡ ଧୂପ ପରେ ଆଳତି ଦର୍ଶନ କରି ପାଟୁକା ମାନେ ନୃତ୍ୟରତ ହୁଅନ୍ତି। ଘଣ୍ଟ ପାଟୁଆ ସେବକ ମାନେ ନିଜକୁ ନାରୀ ବେଶରେ ସଜାଇ ହୋଇଥାନ୍ତି।ଏହି ପଞ୍ଚମ ପାଳି ମଙ୍ଗଳବାର, ଯେଉଁଦିନ କି ମା’ ଙ୍କର ମୂଖ୍ଯ ଭକ୍ତ ହଟ, ବଟ ଙ୍କ ଆରାଧନା ରେ ଦେବୀ ପ୍ରାଚୀ ଗର୍ଭ ରୁ ଉତ୍ଥିତା ହୋଇଥିଲେ, ମା’ ଙ୍କର ସର୍ବଶ୍ରେଷ୍ଠ ପର୍ବ “ଝାମୁଯାତ୍ରା” ଭାବରେ ପାଳନ କରାଯାଏ। ପ୍ରାୟ ଅଧିକାଂଶ ବର୍ଷ ମା’ ଙ୍କର ଝାମୁଯାତ୍ରା ବୈଶାଖ ମାସର ପ୍ରଥମ ମଙ୍ଗଳବାର ଦିନ ହୋଇଥାଏ। ଏହିଦିନ ସିଂହଦ୍ଵାର ସମ୍ମୁଖରେ ପ୍ରାୟ ୨୦ ଫୁଟ ଲମ୍ବ, ୨ ଫୁଟ ପ୍ରସ୍ଥ ଓ ୧ ଫୁଟ ଗଭୀର ର ଏକ ଖନ୍ଦକ ଖୋଲାଯାଇ ଅଙ୍ଗାରନିଆଁ କରାଯାଇ ଏଥିରେ ଝୁଣା ଦିଆଯାଇଥାଏ। ପାଟୁକା ମାନେ ଖାଲି ପାଦରେ ସେଥିରେ ପ୍ରବେଶ କରି ନୃତ୍ଯ କରନ୍ତି। ପାଟୁକା ନୃତ୍ଯ ସମାପନ ହୁଏ। ଏହିଦିନମାନଙ୍କରେ ଭକ୍ତ ମାନେ ପୂଣ୍ୟତୋୟା ପ୍ରାଚୀ ନଦୀରେ ସ୍ନାନ କରି ମା’ ଙ୍କର ପବିତ୍ର ପାଦ ଦର୍ଶନ କରି ଅକ୍ଷୟ ପୂଣ୍ୟ ଅର୍ଜନ କରିଥାନ୍ତି। ଏହାପରେ ମନ୍ଦିର ଗର୍ଭଗୃହ ଖାଲି କରାଯାଇ ଦ୍ବିପ୍ରହର ଧୂପ ଓ ଭଅଣ୍ଡ ଧୂପ କରାଯାଏ ଏବଂ ଦ୍ବିପ୍ରହର ପହୁଡ ପଡେ। ସଂନ୍ଧ୍ଯା ଆଳତି କରାଯାଇ ଉଲାଗି ଓ ମାର୍ଜନା କରାଯାଏ। ବେଶ ପରେ ଭାଗବତ ପାଠ ହୁଏ । ପ୍ରାୟତଃ ମଧ୍ଯରାତ୍ରି ସମୟରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ଖମାରେଇ ପରିବାର ଏଥିପାଇଁ ଉଦ୍ଦିଷ୍ଟ। ନିର୍ଦ୍ଦିଷ୍ଟ ବ୍ୟକ୍ତି ଦିନସାରା ଉପବାସ କରିଥାଏ। ରାତ୍ରି ପ୍ରାୟ ୧୧ ଟାରେ ଦେବୀ ଙ୍କର ପୂର୍ବତନ ଗୋଶାଳା ରେ ମହାକାଳୀ ବେଶରେ ସଜ୍ଜିତ ହୋଇ ଖଡ୍ଗ ଧାରଣ ପୂର୍ବକ ଘଣ୍ଟ, ଢୋଲ, ମହୁରୀ, ମଶାଲ ମଧ୍ୟରେ ମା ଙ୍କ ମନ୍ଦିର ଅଭିମୁଖେ ନାଚି ନାଚି ଯାତ୍ରା କରେ। ଏକଥର ବେଢା ପରିକ୍ରମା କରି ମନ୍ଦିର ମଧ୍ଯକୁ ପ୍ରବେଶ କରେ। ମା ଙ୍କର ସଂନ୍ଧ୍ଯା ଆଳତି ର ପରବର୍ତ୍ତୀ ବେଶକୁ ଦର୍ଶନ କରି ଦକ୍ଷିଣ ଦ୍ବାର ଦେଇ ନିର୍ଗତ ହୁଏ। ନାନା ବାଦ୍ୟ ମଧ୍ୟରେ ଓ ଦର୍ଶକ ମାନଙ୍କ ଦ୍ଵାରା ବେଷ୍ଟିତ ହୋଇ ଏହି ପଞ୍ଚମ ପାଳିରେ ପାଞ୍ଚ ଥର ବେଢା ପରିକ୍ରମା କରି କାକଟେଇଙ୍କ ମନ୍ଦିରକୁ ତିନି ଥର ପରିକ୍ରମା କରି ଦେବୀ ଙ୍କ ପୂର୍ବତନ ଗୋଶାଳା ଅଭିମୁଖେ ନାଚି ନାଚି ଚାଲିଥାଏ। ଗୋଶାଳା ନିକଟରେ ନିସ୍ତେଜ ହୋଇ ପତିତ ହୁଏ ଓ କାଳିକା ନାଚ ର ସମାପ୍ତି ଘଟିଥାଏ। ରାତ୍ରି ଧୂପ, ଗୀତଗୋବିନ୍ଦ ପାଠ ଓ ବଡସିଂହାର ପରେ ଭ୍ରମଣୀ ନୀତି ଅନୁଷ୍ଠିତ ହୋଇଥାଏ।ମା’ ଙ୍କର ବଡସିଂହାର ଧୂପ ସରିବା ପରେ ମା’ ଙ୍କର ଚଳନ୍ତି ପ୍ରତିମା ଓ ଦୁର୍ଗା ପ୍ରତିମା ଙ୍କୁ ଗୋଟିଏ ଆସନରେ ରଖି ମା’ ଙ୍କର ମନ୍ଦିର ର ବେଢା କୁ ତିନି ଥର ପରିକ୍ରମା କରାଯାଇଥାଏ। ଏହାପରେ ମନ୍ଦିର କୁ ଫେରାଇ ନିଆଯାଇ ସିଂହାସନ ଉପରେ ‘ଭ୍ରମଣୀ ଭୋଗ’ ନାମରେ ଏକ ବାଲ୍ୟ ଭୋଗ ଅର୍ପଣ କରାଯାଇଥାଏ। ଏହାପରେ ମା’ ଙ୍କର ପହଡ ପଡିଥାଏ।

Leave a Reply

Your email address will not be published. Required fields are marked *