ଅଇଲେ ମା’ ସରସ୍ବତୀ

  ଅଇଲେ ମା’ ସରସ୍ବତୀ
        ( ରାଗ — ନଳିନୀ ଗୌଡ଼ା )

 🖊️କବିରତ୍ନ ନୂତନ କୁମାର ବେହେରା

ଅଇଲେ ମା’ ସରସ୍ବତୀ
             ବିଦ୍ୟାଦାୟିନୀ ଭାରତୀ,
ହୃଦୟୁଁ ଢ଼ାଳି ପ୍ରଣତି
                କରୁଛି ଭକ୍ତିରେ ସ୍ତୁତି।
ମାଘମାସ ଶୁକ୍ଳପକ୍ଷ
               ଶ୍ରୀପଞ୍ଚମୀ ଯେ ପ୍ରମୁଖ,
ବାଣୀ ପୂଜନେ ଉଲ୍ଲେଖ
                 ଭକ୍ତ ପୂଜି ହୁଏ ଦକ୍ଷ।
ବୀଣା ପୁସ୍ତକ ଧାରିଣୀ
               ମାଆ କଲ୍ୟାଣକାରିଣୀ,
ଦୟାକର ଭକ୍ତି ଘେନି
           ଡ଼ାକ ମୋର ବାରେ ଶୁଶି।
ହେ ଦେବୀ ହଂସବାହିନୀ
             ବିଦ୍ୟାଦାତ୍ରୀ ଠାକୁରାଣୀ,
ଆରତେ କରେ ମାଗୁଣି
            ହେ ମା’ ଜ୍ଞାନ ସ୍ଵରୂପିଣୀ।
ଜ୍ଞାନ ବିନା ଅନ୍ଧକାର
               ଦିଶଇ ସାରା ସଂସାର,
ହଜେ ବିବେକ ବିଚାର
                 ସୃଷ୍ଟିହୁଏ ହାହାକାର।
ଅଇଲେ ମା’ ସରସ୍ବତୀ
              ହସି ଉଠେ ଏ ଧରିତ୍ରୀ,
ତାଙ୍କରି ପାଶେ ଗୁହାରି
              କରନ୍ତି ଯେ ନରନାରୀ।
ଅବୋଧ ଅଜ୍ଞାନ ମୁହିଁ
           ସୁପଥ ଖୋଜି ପାଉ ନାହିଁ,
ଭାଗ୍ୟ ରବି ସମ ଉଇଁ
              କୃପା କର ମୁଢ଼େ ଚାହିଁ।
ବର ଦିଅ ମା’ ବରଦା
              ଆରାଧନା କରେ ସଦା,
ହଟୁ ଅଜ୍ଞାନ ପରଦା
                 ବରଷୁ ଜ୍ଞାନର ସୁଧା।
ତୁମ ଦୟା ବଳେ ଅଜ୍ଞ
                  ମୁଢ଼ ହୁଏ ବିଜ୍ଞ ପ୍ରଜ୍ଞ,
ରହିବି ଚିର କୃତଜ୍ଞ
               କରି ଭବେ ଜ୍ଞାନ ଯଜ୍ଞ।
ଅଇଲେ ମା’ ସରସ୍ବତୀ
                ମିଳେ ସବୁ ସୁଖ ଶାନ୍ତି,
ଦେବୀ ମା’ଙ୍କୁ କରି ଭକ୍ତି
              ଯାଉ ମୋର ଦିନ ବିତି।
ମାଆ ପାଦପଦ୍ମେ ଧ୍ୟାୟୀ
              ରହିଛି ହୋଇ ଆଶାୟୀ,
ସେ ଶାରଦା ଦୟାମୟୀ
              ବାଗଦେବୀ କୃପାମୟୀ।

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ, 
   ନବସୃଜନ ଇ-ପତ୍ରିକା,

   କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *