ମହା ସରସ୍ୱତୀ ବେଶରେ ମା’ଭଦ୍ରକାଳୀ
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ଆଦ୍ୟାଶକ୍ତି ମା’ଭଦ୍ରକାଳୀ ସପ୍ତମାତୃକା ବେଶର ପଞ୍ଚମ ଦିବସରେ ମହା ସରସ୍ୱତୀ ବେଶ ରୂପେ ପୂଜା ପାଇଛନ୍ତି । ମା’ଙ୍କ ଏହି ଅପୂର୍ବ ରୂପକୁ ଦର୍ଶନ କରି ଆଶିଷ ପ୍ରାପ୍ତ ହେବା ନିମନ୍ତେ ପୀଠରେ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା । ମହା ସରସ୍ୱତୀ ବେଶରେ ମା’ଙ୍କ ମୁଖ ମଣ୍ଡଳ କମଳା ବର୍ଣ୍ଣ ଥିବାବେଳେ ମା’ନାଲି ପାଟ ଲୁଗା ପରିଧାନ କରିଥିଲେ। ବାମ ହସ୍ତଯୁଗଳରେ ପଦ୍ମ ଧାରଣକରିଥିବାବେଳେ ଦକ୍ଷିଣ ହସ୍ତ ଯୁଗଳରେ ଶଙ୍ଖ ଚକ୍ର ଧାରଣ କରିଥିଲେ I ସ୍ପର୍ଶ ରୌପ୍ୟ ଅଳଙ୍କାରରେ ମଣ୍ଡିତ ହୋଇ ବିଭିନ୍ନ ଆଭୂଷଣରେ ସଜ୍ଜିତ ପୂର୍ବକ ମହା ସରସ୍ୱତୀ ବେଶ ରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।
ମା’ଆଜି ମହା ସରସ୍ୱତୀ ବେଶ ରେ ବିରାଜ ମାନ କରିଥିଲେ। ମା’ଜଗତକୁ ଶିକ୍ଷା ପ୍ରଦାନ କରିଥିବାରୁ ସେ ସେ ପାଳନ କରୁଛନ୍ତି ପୁଣି ସମଗ୍ର ସଂସାରକୁ ପୋଷଣ କରୁଛନ୍ତି। ସେ ଆଦି ପୁଣି ଅନାଦି ସେ ହିଁ ଆରମ୍ଭ ପୁଣି ସେ ଅନନ୍ତ । ସୃଷ୍ଟିର ଜୀବ ଜଗତ, ପ୍ରାଣୀ ଜଗତ, ଉଭିଦ ଜଗତ ସବୁଠି ତାଙ୍କର ଶକ୍ତି ଓ ସତ୍ତା ଅନୁଭୂତ ହୁଏ। ମା’ଙ୍କ ବିନା ନିର୍ଦ୍ଦେଶରେ ଗଛରୁ ପତ୍ରଟି ଏ ମଧ୍ଯ ହଲି ନ ଥାଏ । ଶାସ୍ତ୍ର ମତ ଅନୁସାରେ ଦେବତା ମାନେ ମଧ୍ୟ ମା’ଙ୍କୁ ସରସ୍ୱତୀ ରୂପେ ପୂଜା କରି ଶକ୍ତି ପ୍ରାପ୍ତ ହୋଇଥାନ୍ତି। ମହାଯଜ୍ଞର ପଞ୍ଚମ ଦିବସରେ ପୀଠରେ ଗୀତ ପାଠ, ଚଣ୍ଡୀ ପାଠ, ବେଦ ପାଠ ଏବଂ ଆଚାର୍ଯ୍ୟ ମାନଙ୍କର ମନ୍ତ୍ର ଓ ସ୍ମୃତିରେ ପୀଠ ପ୍ରକମ୍ପିତ ହେଉଛି। ସନ୍ଧ୍ୟା ଆଳତୀ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଭଜନ ସନ୍ଧ୍ୟାରେ ଗାୟକ ସୌରଭ ନାୟକ ଦର୍ଶକଙ୍କୁ ଆକର୍ଷିତ କରିବା ସହିତ ପରିବେଶରେ ଆହୁରି ଆଧ୍ୟାତ୍ମିକତା ଭରି ଦେଇଥିଲେ। ଶନିବାର ମା’ଙ୍କ ମହାସରସ୍ବତୀ ବେଶ ଏବଂ ମା’ଙ୍କ ମହାଲକ୍ଷ୍ମୀ ବେଶ ସହିତ ବିଶ୍ଵ ଶାନ୍ତି ମହାଯଜ୍ଞର ପୂର୍ଣାହୂତି ହେବ। ମା’ଙ୍କ ଏହି ବେଶ ଏବଂ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପୂର୍ଣ୍ଣାହୂତି ଦିବସରେ ମା’ଙ୍କ ପହୁଡ଼ ଭୋଗ ସହ ଅନ୍ନ ପ୍ରସାଦ ହଜାର ହଜାର ଭକ୍ତଙ୍କୁ ବଣ୍ଟନ କରାଯାଇଥାଏ। ଚଳିତ ବର୍ଷ ପୁର୍ଣ୍ଣାହୂତି ନିମନ୍ତେ ଭକ୍ତ ମାନଙ୍କର ଭିଡ଼କୁ ଲକ୍ଷ କରି ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିମନ୍ତେ ପୁଲିସ ମୁତୟନ ବ୍ୟବସ୍ଥା କରାଯାଇଛି ।
