ମାଘମେଳା ନୀତି ସମ୍ପାଦନ ବୈଠକ ଅନୁଷ୍ଠିତ

ବିଶ୍ୱ ପ୍ରସିଦ୍ଧ ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ବୁଡ ତଥା ପବିତ୍ର ମାଘମେଳା ନିମନ୍ତେ ନୀତି ସମ୍ପାଦନ ବୈଠକ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଉପ ଜିଲ୍ଲାପାଳ ରାଜକିଶୋର ଜେନାଙ୍କ ତତ୍ବାବଧାନରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁପଦ ସେଠୀ , ନିମାପଡା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ନୀତି ସମ୍ପାଦନ, ମାଘ ମେଳା ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ତିନି ଆରାଧ୍ୟ ଦେବତା ବାବା ତ୍ରିବେଣିଶ୍ୱର, ବାବା ଐଶାନେଶ୍ୱର ଓ ବାବା ଦକ୍ଷିଣେଶ୍ୱରଙ୍କ ନୀତି ସମ୍ପାଦନ ଉପରେ ଆଲୋଚନା ହୋଇଥିଲା। ମହେନ୍ଦ୍ର ବେଳା ସହିତ ତିନି ଠାକୁରଙ୍କ ନୀତି, ଶୋଭାଯାତ୍ରା ଓ ଠାକୁରଙ୍କ ବୁଡ ପକାଇବା ସମୟ ଆଦି ନିର୍ଦ୍ଧାରଣ କରାଯାଇଛି। ପ୍ରାତଃ ୪.୩୭ ରେ ତିନି ଠାକୁର ପ୍ରଥମେ ସ୍ନାନ କରିବେ ତା ପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ମାନେ ବୁଡ ପକାଇବା ନେଇ ସ୍ଥିର କରାଯାଇଛି। ଏଥି ସହିତ ବିଦ୍ୟୁତ୍ ଆଲୋକ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ପରିବହନ ଓ ରାସ୍ତାଘାଟ ମରାମତି, ଶାନ୍ତି ଶୃଙ୍ଖଳା ଓ ଆରକ୍ଷୀ ବ୍ୟବସ୍ଥା, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡ ମୁତୟନ, ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ବେଚ୍ଛାସେବୀ ମୁତୟନ, ଦୁଇ ଦିନ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ, ବୁଲା ଗାଇ ଗୋରୁଙ୍କ ବ୍ୟବସ୍ଥା ଉପରେ ଶିଘ୍ର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ପାଇଁ ୬୦ ପୋଲିସ୍ ଅଧିକାରୀଙ୍କ ସହ ୩୦ ପ୍ଲାଟୁନ ଫୋର୍ସ , ୨୦ଜଣ ଲାଇଫ ଗାର୍ଡ ମୁତୟନ ହେବେ। ୩୫୦ ଜଣ ସ୍ବେଚ୍ଛାସେବୀ ଶ୍ରଦ୍ଧାଳୁଙ୍କ ସହଯୋଗ କରିବେ। ଚଳିତ ବର୍ଷ ମାଘ ସପ୍ତମୀ ବୁଡ ଅଲଭ୍ୟ ଯୋଗ ରହୁଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *