ବାବା ବାଙ୍କେଶ୍ଵର ମହାଦେବଙ୍କ ମହାକ୍ଷୀର ସାଗର ମେଳା ଅନୁଷ୍ଠିତ।
ପୁରୀ ଜିଲ୍ଲା ଗୋପ ବ୍ଲକ ବଣିଆସାହି ଗ୍ରାମ ପଞ୍ଚାୟତରେ ଅବସ୍ଥିତ ତଥା ସତ୍ୟ, ନ୍ୟାୟ ଓ ନିୟମର ଦେବତା ଭାବେ ପରିଚିତ ଶ୍ରୀ ଶ୍ରୀ ବାବା ବାଙ୍କେଶ୍ଵର ମହାଦେବଙ୍କ ମହାକ୍ଷୀର ସାଗର ମେଳା ପବିତ୍ର କାର୍ତ୍ତିକ ମାସର ଶେଷ ଶନିବାର ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି। ମହାକ୍ଷୀର ସାଗର ମେଳା ପରିଚାଳନା ପରିଷଦ ଓ ଆଞ୍ଚଳିକ ଦୁଗ୍ଧ ସଂଗ୍ରହକାରୀ ଯାଦବ ସଙ୍ଘ ମିଳିତ ସହଯୋଗରେ ବାବାଙ୍କ ଚତୁର୍ଦ୍ଦଶତମ ବାର୍ଷିକ କ୍ଷୀର ସାଗର ଉତ୍ସବ ପାଳନ କରାଯାଇଛି। ସକାଳୁ ବାବାଙ୍କ ପୀଠକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଛି। ପ୍ରାୟ ୫୦ରୁ ୬୦ ଟନ କ୍ଷୀରରେ ମହାଦେବଙ୍କ ସ୍ନାନ କରାଯାଇଥିବା ନେଇ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସକାଳୁ ସନ୍ଧ୍ୟା ପର୍ୟ୍ୟନ୍ତ ଏହି ଉତ୍ସବ ଲାଗି ରହିଥିଲା ଯାହା ଫଳରେ ପରିବେଶ ଆଧ୍ୟାତ୍ମିକ ମେଳାରେ ପରିଣତ ହୋଇଥିଲା। ନାମ ସଂକୀର୍ତ୍ତନ, ଭଜନ, ଜଣାଣ, ଗୋପାଳ ଗୀତ, ଲଉଡି ଖେଳ ଆଦି ପରିବେଶକୁ ସାଂସ୍କୃତିକ ବାତା ବରଣରେ ବାନ୍ଧି ରଖିଥିଲା। ଜଣେ ୭ବର୍ଷର କୁନି ଝିଅ ଗୀତ ପରିବେଷଣ ଓ ଛୋଟ ପିଲାଙ୍କ ମୃଦଙ୍କ ବାଦନ ପୀଠରେ ଆକର୍ଷଣ ସାଜିଥିଲା। ବାବାଙ୍କ ପ୍ରସିଦ୍ଧ କ୍ଷୀରି ସହ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ଯାହାକୁ ହଜାର ହଜାର ଶ୍ରଦ୍ଧାଳୁ ମାନେ ପ୍ରସାଦ ରୂପେ ପାଇ ଖୁସି ହୋଇଥିଲେ। ଏଥି ନିମନ୍ତେ ବଣିଆସାହି ସରପଞ୍ଚ ସନ୍ତୋଷ ବରାଳଙ୍କ ତରଫରୁ ପାନୀୟ ଜଳ ଯୋଗାଣ, ସ୍ୱଚ୍ଛତା ନେଇ ବ୍ୟାପକ ସହଯୋଗ ପ୍ରଦାନ କରାଯାଇଥିଲା। ପରିଚାଳନା ପରିଷଦ ସଭାପତି ଅସିତ୍ କୁମାର ରାୟ, ସମ୍ପାଦକ ବିମଳ କାନ୍ତ ସ୍ବାଇଁ, କୋଷାଧ୍ୟକ୍ଷ ବେଣୁଧର ବେହେରା, ଜଟାଧାରୀ ପରିଡ଼ା, ସହଦେବ ପ୍ରଧାନ, ରମେଶ ଜେନା, ବଳଭଦ୍ର ଦାସ, ରାଜକିଶୋର ରାଉତ୍, ରବିନ୍ଦ୍ର ବେହେରା, ଗୁଣନିଧି ପାଣି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୁରୋହିତ ମାଧବ ଚନ୍ଦ୍ର ମିଶ୍ର, ବାବାଙ୍କ ପୂଜାପଣ୍ଡା ବାଙ୍କନିଧି ନାୟକ ପ୍ରମୁଖ ପୂଜାର୍ଚ୍ଚନା ଦାୟିତ୍ୱ ବହନ କରିଥିଲେ।
କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍
