ମରିନି ମହିଷାସୁର

ଶୀର୍ଷକ -ମରିନି ମହିଷାସୁର


ରୀତାରାଣୀ ଦାଶ
ବାଲେଶ୍ୱର

ମରିନାହିଁ ମହିଷା ଯେ ଅଛି ସେ ଜୀବିତ
ଦାନଵ ପଣିଆ ତାର ଶକ୍ତି ପରିବ୍ୟାପ୍ତ |
ପ୍ରତିଧ୍ୱନିତ ସର୍ବତ୍ର ଯିଏ ତ୍ରିଭୁବନେ
କଳିଯୁଗରେ ପ୍ରାଧାନ୍ୟ ପ୍ରତି ଅନୁକୋଣେ
ବକ୍ର ଶିଙ୍ଗ ବିଶାଳ ସେ ଚନ୍ଦ୍ରୋଜ୍ଜ୍ୱଳ ଠାଣି
ଉଗ୍ର ଆନନ୍ଦରେ କଲା ଶାସନ ଜାଣି ଶୁଣି |
ଝଡ ରାତ୍ରିର ଗର୍ଜନ ସମ ତା ଗର୍ଜନ
ଯୁଦ୍ଧ କାଳେ ପରାକ୍ରମୀ ଶକ୍ତି ଯେ ଅନନ୍ୟ |
ଜଗତ ଜନନୀ ମାତା ଶଙ୍କର ଘରଣୀ
ରୂପ ଲାବଣ୍ୟର ଲୋଭେ ନରାଧମ ପୁଣି |
ଅସହ୍ୟ ହୋଇଲେ ମାତା ଦେବୀ ଦଶ ଭୁଜା
ବଧ କରି ମେଣ୍ଟାଇଲେ ପାପୀର ପିପାସା |
ମରିବି ଆଜି ଅମର ଦୈତ୍ୟାସୁର ମହିଷା
ଯୁଗ ଯୁଗର ପ୍ରତୀକ ଅନୀତି ଓ ହିଂସା |
ଘରେ ଘରେ ଜଳୁଅଛି ଅଶାନ୍ତିର ନିଆଁ
ନାରୀର ମନରେ ଭୟ ଦୁର୍ବଳତା ସିଆଁ |
କେଉଁଠାରେ ମହିଷା ରୂପୀ ଦୁଷ୍ଟ ଦାନଵ
ନାରୀ ପ୍ରତି ଅତ୍ୟାଚାର କରେ ଅଭିନଵ |
ଚିତ୍କାର ଶୁଭୁଛି ଆଖିରୁ ଝରୁଛି ଲୁହ
ଦୁଃଖ, ଭୟରେ ଥରୁଛି ସର୍ବାଙ୍ଗ ତାର ଦେହ |
ଦୁର୍ଗାରୁପେ ଅବନୀରେ ମାତା ଅବତରି
ଅନ୍ୟାୟୀ ଅତ୍ୟାଚାରୀଙ୍କୁ ସମୂଳେ ସଂହାରୀ |
ନାରୀର ମର୍ଯ୍ୟାଦା ରଖ ଅଟେ ସେ ଦୁର୍ବଳା
ତ୍ରିଭୁବନେ ମାତୃକୃପା ଶ୍ରେଷ୍ଠ ଯେ ସାହାରା |
ଶକ୍ତିରୂପିଣୀ ଭବାନୀ ଅଭୟ ଦାୟିନୀ
ମହିଷାସୁର ମର୍ଦ୍ଦିନୀ ଶଙ୍କଟ ହାରିଣୀ |
ପ୍ରତିକ୍ଷେତ୍ରେ ହିଂସା, କୂଟ, କପଟ ଅଶାନ୍ତି
ତୁମ ଆଗମନେ ମିଳୁ ନାରୀକୁ ଯେ ଶକ୍ତି |
ପାପ କଳୁଷ କାଳିମା ଯାଉ ଅପସରି
ଯାବତ ଏ ଧରା ମହିଷାସୁର ଯାଉ ମରି |
ତନୁ ମନ ଅସ୍ଥିର ଯେ ବିଷର ଜ୍ୱାଳାରେ
ମରି ମରି ଶେଷ ହ୍ଵନ୍ତି ଆତ୍ମାର ହତ୍ୟାରେ |
ତୁମ କୃପାରେ ମା ଗୋ ଶାନ୍ତିର କୁସୁମ
ପ୍ରସ୍ଫୁଟିତ ହେଉ ଆଜି ପାରିଜାତ ସମ |
ନାରୀ ଜାତି ଜାଗିଉଠୁ ଦୁଷ୍ଟର ଦମନେ
ଶକ୍ତି ଦାତ୍ରୀ କୃପା ବଳେ ପାପୀର ନିଧନେ |

Leave a Reply

Your email address will not be published. Required fields are marked *