ଖୋର୍ଦ୍ଧା ରୋଡ଼–ବଲାଙ୍ଗୀର ନୂଆ ରେଳ ଲାଇନ୍ ପ୍ରକଳ୍ପରେ ବଡ଼ ଉପଲବ୍ଧି

ଓଡ଼ିଶାର ସବୁଠାରୁ ସୁଦୀର୍ଘ ରେଳ ସୁଡ଼ଙ୍ଗ, (4,185 ମିଟର ଦୈର୍ଘ୍ୟ ବିଶିଷ୍ଟ), ଖୋର୍ଦ୍ଧା-ବଲାଙ୍ଗୀର ନୂତନ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ଟନେଲ୍ T-4 ର ଆଜି ସଫଳ ଭାବେ “ଡେଲାଇଟିଂ” (Breakthrough) ବ୍ରେକଥ୍ରୁ କାର୍ଯ୍ୟ କରାଯାଇଛି |ଏହି ଟନେଲ୍ ବୌଦ୍ଧ ଜିଲ୍ଲାର ଆଢେଣିଗଡ଼-ଚାରିଛକ ଷ୍ଟେସନ ମଧ୍ୟରେ ଅବସ୍ଥିତ ଏବଂ ଏହି କାର୍ଯ୍ୟ ନୂତନ ଜ୍ଞାନକୌଶଳ ପଦ୍ଧତି ଦ୍ୱାରା ସମାପ୍ତ ହୋଇଛି। ଏହି ଟନେଲ୍ କେବଳ ଏହି ପ୍ରକଳ୍ପରେ ନୁହେଁ, ବରଂ ସମଗ୍ର ଓଡ଼ିଶାରେ ସୁଦୀର୍ଘ ରେଳ ସୁଡ଼ଙ୍ଗ ଭାବେ ଇତିହାସ ରଚିଛି । ସୁଡ଼ଙ୍ଗର ଖନନରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ମେସିନ୍ ନିୟୋଜିତ କରାଯାଇଥିଲା, ଯାହା ପୂର୍ବ ଘାଟର ଚ୍ୟାଲେଞ୍ଜିଂ ଏବଂ ଦୁର୍ଗମ ଭୂଖଣ୍ଡକୁ ନେଭିଗେଟ୍ କରିବା ପାଇଁ ଡିଜାଇନ୍ କରାଯାଇଥିଲା। ଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସମୁଦାୟ ଦାର୍ଘ୍ୟ 301 କିଲୋମିଟର ଅଟେ ଯାହାକି ସୁଡ଼ଙ୍ଗ ନିର୍ମାଣ କ୍ଷେତ୍ରରେ ଅନେକ ଇଞ୍ଜିନିୟରିଂ ଏବଂ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ଗୁଡିକର ସାମ୍ନା କରିବାକୁ ପଡିଛି। ଏହି ପ୍ରକଳ୍ପରେ 75 କିଲୋମିଟର ଦୈର୍ଘ୍ୟ ମଧ୍ୟରେ ସାତଟି ସୁଡ଼ଙ୍ଗ ଅନ୍ତର୍ଭୁକ୍ତ ଯାହାକି ସମସ୍ତ ସୁଡ଼ଙ୍ଗ ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଅବସ୍ଥିତ। ଏହି ସୁଡ଼ଙ୍ଗଗୁଡ଼ିକର ବିଶେଷକରି ପୂର୍ବଘାଟର କଷ୍ଟକର ଭୂଖଣ୍ଡ ଦେଇ ନିର୍ମାଣ କାର୍ଯ୍ୟ ପ୍ରକଳ୍ପର ସବୁଠାରୁ ଜଟିଳ ଦିଗ ମଧ୍ୟରୁ ଗୋଟିଏ। ଏହି ପ୍ରକଳ୍ପରେ ଗୋଟିଏପଟେ ଖୋର୍ଦ୍ଧା ରୋଡ଼ ରୁ ଦଶପଲ୍ଲା ପର୍ଯ୍ୟନ୍ତ ଏବଂ ଅନ୍ୟ ପଟେ ବଲାଙ୍ଗୀର ରୁ ପୁରୁଣାକଟକ ପର୍ଯ୍ୟନ୍ତ226 କି.ମି. ଅଂଶ କାର୍ଯ୍ୟ ସମ୍ପୂର୍ଣ ହୋଇଛି । ଅବଶିଷ୍ଟ 75 କି.ମି. ଅଂଶ ଯାହା ମଧ୍ୟରେ 7ଟି ଟନେଲ୍ ରହିଛି, ବର୍ତ୍ତମାନ ନିର୍ମାଣଧୀନଅଛି ।T-4 ର “ଡେଲାଇଟିଂ” ବ୍ରେକଥ୍ରୁ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଗତି ବଢ଼ାଇବାରେ ମୁଖ୍ୟ ଭୂମିକା ନେବ । ଏହି ଐତିହାସିକ ସଫଳତା ଓଡ଼ିଶାର ଉପକୂଳ ଅଞ୍ଚଳ ସହିତ ପଶ୍ଚିମାଞ୍ଚଳକୁ ସଂଯୋଗ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଏହି ଅଞ୍ଚଳର ପରିବହନ ଏବଂ ଆର୍ଥିକ ସମ୍ଭାବନାକୁ ବୃଦ୍ଧି କରିବ।

Leave a Reply

Your email address will not be published. Required fields are marked *