ହସୁଛି ମାଳିକା କାନ୍ଦୁଛି ବେଦ
ହସୁଛି ମାଳିକା କାନ୍ଦୁଛି ବେଦ
ରଞ୍ଜୁଲତା ପାଢୀ
ଶହ ଶହ ବର୍ଷ ପୁରୁଣା ଭବିଷ୍ୟ
ମାଳିକାର ସତ୍ୟ ବାଣୀ
ଦିବ୍ୟଦୃଷ୍ଟି ବଳେ ଲେଖନୀର ମୂଳେ
ଅଚ୍ୟୁତାନନ୍ଦ ଯେ ଭଣି।
ପାଞ୍ଚଶ ବରଷ ତଳର ଭବିଷ୍ୟ
ଫଳେ ଆଜି ଗୋଟି ଗୋଟି
ଅଜଣା ଭୁତାଣୁ ଆତଙ୍କେ ଜୀବନ
କ୍ଷୟ, ମହାମାରୀ ଘୋଟି।
ସତ୍ୟହେଉଅଛି ମାଳିକା ବଚନ
ବେଦଯାଏ କ୍ଷୟ ହୋଇ
ମିଛ ପାଶେ ସତ ବନ୍ଧା ପଡିଯାଏ
ଅନ୍ୟାୟର ଦ୍ୱାହି ଦେଇ।
ଋଷି ମୁନୀବାଣୀ କଳ୍ପିତ କାହାଣୀ
ଚିନ୍ତି ଅଟ୍ଟହାସ୍ୟ କରେ
ବଡ ସାନ ଆଉ ନ ମାନନ୍ତି କେହି
ଡୁବିଯାଇ ଭ୍ରଷ୍ଟାଚାରେ ।
ଯେ ବେଦର ମନ୍ତ୍ର ସଂସ୍କୃତି ସ୍ୱତନ୍ତ୍ର
ହୋଇଥିଲା ବିଶ୍ୱେ ଦିନେ
ସେ ଆଜି କାନ୍ଦୁଛି ଲୋତକ ମୁରୁଛି
ଅବହେଳିତର ପଣେ।
ବ୍ରହ୍ମାଙ୍କର ମୁଖ ନିଃସୃତ ବେଦର
ପବିତ୍ର ଓଁକାର ଧ୍ୱନି
ବିଶ୍ୱମାନସରେ ଶାନ୍ତି ସ୍ଥାପନରେ
ହସୁଥିଲା ଏ ମେଦିନୀ।
ଅନ୍ୟାୟ ଅନୀତି ଶୀର୍ଷସ୍ଥାନେ ସ୍ଥିତି
ରକ୍ଷକ ନାହିଁ କେ ଜଣେ
ପାପ ପିଆଲାର ପାର୍ଥିବ ପାଶରେ
ଛନ୍ଦା କୋଣେ ଅନୁକୋଣେ।
ଗୁରୁ ଗୁରୁଜନେ ନିନ୍ଦା ଅପମାନେ
କୁତ୍ସିତ ଭାଷା ପ୍ରୟୋଗେ
ସଂସାର ସୋଉଧ ଅବ୍ୟର୍ଥ ଅମେଧ
ଅଭିଶପ୍ତ ପ୍ରାୟ ଭୋଗେ।
ହଜିଯାଇଅଛି ବୁଦ୍ଧି ବିଚାରଟି
ଲୋଭ ମୋହ ମାୟା ବଳେ
ଦୁର୍ଦ୍ଦାନ୍ତ ରକ୍ଷକ ସାଜୁଛି ଭକ୍ଷକ
ବଞ୍ଚିବା କଷ୍ଟ ଶୟଳେ।
ମନ୍ଦିର ନଯାଇ ମଧୁଶାଳା ଯାଇ
ପ୍ରୀତିର ପଣତ ଖୋଲି
ବୁଢି ଆଣୀ ଜାଲ ବିଛାଇ ଚାଲିଛି
ଅର୍ଥ ବ୍ୟବସାୟ ମେଲି।
ସଭ୍ୟତା ନାମରେ ନଗ୍ନତାକୁ ଭରେ
ପରକୀୟା ପ୍ରୀତି କରି
ସନ୍ତାନଚର୍ଯ୍ୟାର ଆଦ୍ୟ ଅମୃତର
ପୋଷଣରେ ନୁହେଁ ଭରି।
ନାରୀ ହୋଇ ନାରୀ ବଂଶ ନାଶ କରି
ଉଡାଏ ବିଜୟଧ୍ୱଜ
ପାଞ୍ଚଶ ବରଷ ପୁରୁଣା ଭବିଷ୍ୟ
ଫଳ ଫଳୁଅଛି ଆଜ।
ପ୍ରକୃତି ତାଣ୍ଡବ କେ ଅବା ବର୍ଣ୍ଣିବ
ଆକାଶରୁ ଅଗ୍ନିପିଣ୍ଡ
ଖସୁଛି ସତେକି ଭସ୍ମ କରିଦେବ
ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ।
ନିଜଗୋଡେ ନିଜେ କୁରାଢୀ ମାରୁଛି
ଦୋଷ ଅବା ଦେବ କା’ରେ
ଅହଂକାରୀ ମନ ଅନଳ ସମାନ
ଭୋଗେ ସେ ପଶ୍ଚାତାପରେ।
ସଂସ୍କୃତି ସଂପନ୍ନ ଏ ଜାତି ବିପନ୍ନ
ପାଶ୍ଚାତ୍ୟ ପଛେ ଗୋଡେଇ
ହସୁଛି ମାଳିକା ବାଜି ମାରେ ଏକା
ବେଦ କାନ୍ଦେ କଇଁ କଇଁ।
କପଟ ଚାତୁରୀ ମୁଖେ ଅଛି ଭରି
ଆଚରଣେ ଉଚ୍ଚାରଣେ
ସୁଧାର ଏ ଜାତି ହେ ବିଶ୍ୱସମ୍ରାଟ
ନମଇଁ ପଦ୍ମ ଚରଣେ।।
ରାଉରକେଲା।।ସୁନ୍ଦରଗଡ।।
