ମଣିଭଦ୍ରା ଉତ୍ସବ ଉଦଯାପିତ
ମଣିଭଦ୍ରା ଉତ୍ସବ ଉଦଯାପିତ, ଲକ୍ଷାଧିକ ଭକ୍ତଙ୍କ ସମାଗମ ଗଣିଆ -ନୟାଗଡ ଜିଲ୍ଲା ଗଣିଆ ବ୍ଳକର ଗଣପର୍ବ ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ ତଥା ମଣିଭଦ୍ରା ମହୋତ୍ସବ ବୁଧବାର ଉଦଯାପିତ ହୋଇଯାଇଛି । ୪ ଦିନ ଧରି ଚାଲିଥିବା ଉତ୍ସବକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ସାଧୁସନ୍ଥ,ଅସହାୟ ଗରୀବ ଜନସାଧାରଣଙ୍କୁ ଯଜ୍ଞ କମିଟି ତରଫରୁ ଶୀତବସ୍ତ୍ର,କମ୍ବଳ ଏବଂ ଶାଢୀ ବଣ୍ଟନ କରାଯାଇଥିଲା । ୪ ଦିନ ଧରି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଶେଷ ଦିନରେ ୫୦ ହଜାରରୁ ଅଧିକ ଭକ୍ତ ଉପସ୍ଥିତ ଥିଲେ । ବିଭିନ୍ନ ଦିନରେ ପ୍ରବଚନ,ଦୀପ ଯଜ୍ଞ,ଭଜନ, ନୃତ୍ୟ, ପ୍ରସାଦ ସେବନ, ହନୁମାନ ଚାଳିଶା ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ସନ୍ଧ୍ୟାରେ ଧର୍ମ ମଣ୍ଡପରୁ ସ୍ବର୍ଗତ ବାବା ରାମଦାସଙ୍କ ଚରଣ ପାଦୁକା ନେଇ ଯଜ୍ଞାହୁତି କାର୍ଯ୍ୟ ସମାପନ କରିଥିଲେ। ସନ୍ଧ୍ୟାରେ ଏକ ହଜାର ଆଠ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆବାଳବୃଦ୍ଧବନିତା ଏହି ଦୀପଦାନ ଉତ୍ସବରେ ସାମିଲ ହୋଇଥିଲେ । ଜନସମାଗମ ଯୋଗୁଁ ବହୁ ସମୟ ଧରି ଟ୍ରାଫିକ ଜାମ୍ ହୋଇଥିଲା । ଜିଲ୍ଲା ପୋଲିସ ତଥା ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ମାଳତିପୁଟ ଗ୍ରାମବାସୀଙ୍କ ସହଯୋଗ ତଥା ସତ୍ୟ, ଶାନ୍ତି ସେବା ଟ୍ରଷ୍ଟର ସଭାପତି ଅଜୟ ପଟ୍ଟନାୟକ, ଉପଦେଷ୍ଟା ନିର୍ମଳ ପଟ୍ଟନାୟକ, ଧୀରେନ୍ଦ୍ର ପାଣିଗ୍ରାହୀ, ସୁଧାଂଶୁ ଶେଖର ମିଶ୍ର, ଆଦିତ୍ୟ ନାରାୟଣ ମହାସୁପକାର, ପାର୍ଥ ସାରଥୀ,ଶୋଭନ ମହାକୁଡଙ୍କ ସମେତ କର୍ମକର୍ତ୍ତା ସହଯୋଗ କରିଥିଲେ ।
