ଶୃଙ୍ଖଳା
ଶୃଙ୍ଖଳା
( ରାଗ — ବଙ୍ଗଳା ଶ୍ରୀ )
🖊️କବିରତ୍ନ ନୂତନ କୁମାର ବେହେରା
ଜୀବନେ ମଣିଷ ଚାହେଁ ସୁଖ ଶାନ୍ତି
ଯା’ ଲାଗି ଲୋଡ଼ା ଶୃଙ୍ଖଳା,
ନୀତି ନିୟମରେ ପାଳୁଥିଲେ ତାହା
ଆସଇ ଶୁଭର ବେଳା।
ପ୍ରକୃତିର ରୀତି ଜୀବନର ସ୍ଥିତି
ନିୟତିର ସବୁ ଲୀଳା,
ରଖି ସମନ୍ଵୟ କରିଲେ କରମ
ହୁଅଇ ତାହା ଶୃଙ୍ଖଳା,
କଲେ ଅବହେଳା ବିକାଶ ପ୍ରକାଶ
ହୁଏ ତାର ବାଧାପ୍ରାପ୍ତ,
ଆଶା ସ୍ବପ୍ନ ହଜେ ଦୁଃଖ କଷ୍ଟ ପାଏ
ପ୍ରତିଭା ହୁଅଇ ଲୁପ୍ତ।
ଆଜିର ସମାଜେ ଶୃଙ୍ଖଳା ଟିକିଏ
ଅନେକଙ୍କ ପାଶେ ନାହିଁ,
ତାର କୁପ୍ରଭାବେ ଉପୁଜେ ଆତଙ୍କ
ହିଂସା ବଢ଼ୁଛି ତା’ ପାଇଁ।
ନିୟମ ନ ମାନି ଦୁଷ୍ଟ ହୁଏ ଯିଏ
କରେ ଅନ୍ୟାୟ ଆନୀତି,
ଶୃଙ୍ଖଳା କଅଣ ବୁଝେ ନାହିଁ ଆଦୌ
ହେଉ ବରଂ ଯେତେ କ୍ଷତି।
ସରସ ସୁନ୍ଦର ଜୀବନ ଗଢ଼ିବା
ଲାଗି ଶୃଙ୍ଖଳା ଜରୁରୀ,
ସଂସ୍କାର ସଂସ୍କୃତି ଭୁଲି ଯାଏ ଯିଏ
ଜୀବନେ ସେ ଯାଏ ହାରି।
ବ୍ୟକ୍ତିର ଶୃଙ୍ଖଳା ବଢ଼ାଏ ସମ୍ମାନ
କରଇ ତାହାକୁ ସଭ୍ୟ,
ଗଢ଼ିଦିଏ ତାର ନିର୍ମଳ ଚରିତ୍ର
ସୌଭାଗ୍ୟ ହୁଅଇ ଲଭ୍ୟ।
ପ୍ରତ୍ୟେକଙ୍କ ପାଇଁ ଶୃଙ୍ଖଳା ଏକାନ୍ତ
ହୁଅଇ ଅପରିହାର୍ଯ୍ୟ,
ମନ ରଖି ସୁସ୍ଥ ଉଚିତ ବିଚାରି
କରେ ସିଏ ଭଲ କାର୍ଯ୍ୟ।
ଶୃଙ୍ଖଳା ବିହୁନେ ଜୀବନ ବାହୁଲ୍ୟ
ମିଳେନା ଉତିତ ମାନ୍ୟ,
ଶୃଙ୍ଖଳାରେ ଥିଲେ ଧନେ ମାନେ ଜ୍ଞାନେ
ଜୀବନ ହୁଅଇ ଧନ୍ୟ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
