ବିବାହ ପ୍ରତିଶ୍ରୁତି ଦେଇ ହୋମ୍‌ଗାର୍ଡଙ୍କ ସହ କୁଜଙ୍ଗ ଥାନାଧୁକାରୀଙ୍କ ଅନୈତିକ ସଂପର୍କ

ଜଗତସିଂହପୁର 25/02ଖାକିରେ ପୁଣି ଲାଗିଛି କଳଙ୍କ ଛିଟା। କୁଜଙ୍ଗ ଥାନା ଅଧିକାରୀ ତପନ ନାହାକଙ୍କ ନାଁରେ ରୁଜୁ ହୋଇଛି ମାମଲା। ଅବିବାହିତା ହୋମ୍‌ଗାର୍ଡଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ସେ ବ୍ଲାକ୍‌ମେଲ୍ କରିବା ସହ ଶାରୀରିକ ଶୋଷଣ କରିଥିବା ନେଇ ହୋଇଛି ସଙ୍ଗିନ ଅଭିଯୋଗ। ମାମଲା ରୁଜୁ ପରେ ଘଟଣାକୁ ନେଇ ଅଧୁକ ବିବାଦ ହେବା ପୂର୍ବରୁ ପୁଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନକୁ ଓହ୍ଲାଇଛି। ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ମଙ୍ଗଳବାର କୁଜଙ୍ଗ ଥାନାଧିକାରୀ ଶ୍ରୀ ନାହାକଙ୍କୁ ଜଗତସିଂହପୁର ପୁଲିସ ନିଜ ହେପାଜତ୍‌କୁ ନେଇ ଥାନାରୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଅପସାରିତ କରିଛି। ମହିଳା ହୋମ୍‌ଗାର୍ଡ ନିଜ ଆଡୁ ପୁଲିସ ଇନ୍ସପେକ୍ଟରଙ୍କୁ ପ୍ରେମ ଜାଲରେ ଫସାଇଥିଲେ ନା, ଶ୍ରୀ ନାହାକ ନିଜ କ୍ଷମତାର ଦୁରୁପଯୋଗ କରି ଅନୈତିକ ସଂପର୍କ ରଖି ଶୋଷଣ କରିଛନ୍ତି ତାହା ସ୍ପଷ୍ଟ ଜଣାପଡ଼ିନାହିଁ।ବଦଳି ବାତିଲ ପଛରେ ରାଜନୈତିକ ଚାପ ଥିଲା ନା ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏ ନିଷ୍ପତ୍ତି ନିଆଯାଇଥିଲା ତାହା ଏବେ ବି ଅସ୍ପଷ୍ଟ। ଉଭୟଙ୍କ ଭିତରେ ସଂପର୍କ ଠିକ୍‌ଠାକ ଥିବା ବେଳେ ୪ ଦିନ ହେବ ସଂପୃକ୍ତ ହୋମ୍‌ଗାର୍ଡ ମୁହଁ ଖୋଲିବା ଆରମ୍ଭ କରିଥିଲେ । କଥା ପ୍ରଘଟ ସହ ଜିଲ୍ଲା ପୁଲିସରେ ଟୁପ୍‌ଟାପ୍ ଚାଲିବାରୁ ପୂରା ଘଟଣା ଉପରେ ତାଳି ପକାଇବାକୁ ଉଦ୍ୟମ ହୋଇଥିଲା। ଏଣେ କିନ୍ତୁ ଜଗତସିଂହପୁର ପୁଲିସ ମାମଲା ରୁଜୁ କରିଥିବାରୁ ତନାଘନାକୁ ଜୋର୍‌ଦାର କରିଥିଲେ । କୁହାଯାଉଛି କି, ଓଲଟପୁରରୁ ଶ୍ରୀ ନାହାକଙ୍କୁ ପୁଲିସ ନିଜ ହେପାଜତ୍‌କୁ ନେଇଛି। ଏବଂ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଆଣି ଅଟକ ରଖିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓ (ମେଡିକାଲ୍) ଡା. ସରୋଜ ଜେନାଙ୍କ କହିବା ମୁତାବକ, ପୀଡ଼ିତା ମହିଳା ହୋମ୍‌ଗାର୍ଡ ଡାକ୍ତରୀ ମାଇନା ନିମନ୍ତେ ସଫା ମନା କରିଥିଲେ। ଇନ୍ସପେକ୍ଟର ଶ୍ରୀ ନାହାକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିବା ନେଇ ଜଣା ପଡ଼ିନାହିଁ ।କିଛି ମାସ ତଳେ ଜଗତସିଂହପୁର ଥାନାର ଅତିରିକ୍ତ ଥାନାଧିକାରୀ ଭାବେ ଶ୍ରୀ ନାହାକ କାର୍ଯ୍ୟ କରୁଥିଲେ। ସେଇ ସମୟରେ ଉକ୍ତ ଥାନାର ମହିଳା ହୋମ୍‌ଗାର୍ଡଙ୍କ ସହ ତାଙ୍କର ସମ୍ପର୍କ ବଢିଥିଲା। ପରେ ଏହା ନିବିଡ଼ ହୋଇଥିଲା । ପରବର୍ତ୍ତୀ କାଳରେ ଶ୍ରୀ ନାହାକଙ୍କୁ ପର୍ଯ୍ୟାୟକ୍ରମେ ପ୍ରଥମେ ପୁରୀ ଓ ପରେ କୁଜଙ୍ଗ ଥାନାକୁ ବଦଳି କରାଯାଇଥିଲା। ହୋମ୍‌ଗାର୍ଡ ଓ ଶ୍ରୀ ନାହାକଙ୍କୁ ମୁହାଁମୁହିଁ କରାଇଥିଲେ ଜିଲ୍ଲାର କିଛି ବରିଷ୍ଠ ପୁଲିସ ଅଧିକାରୀ। ଆଲୋଚନା ସମୟରେ ଉଭୟ ପରସ୍ପରର ଛିଦ୍ର ସମ୍ବନ୍ଧରେ ଓଗାଳିଥିଲେ । ଫଳରେ ଆପୋସ ସମାଧାନର ବାଟ ମଉଳି ଯାଇଥିଲା ବୋଲି ଚର୍ଚ୍ଚା ଚାଲିଛି।ଘଟଣା ସଂପର୍କରେ ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା କହିଛନ୍ତି, ବିବାହର ପ୍ରତିଶ୍ରୁତି ଦେଇ ସଂପୃକ୍ତ ପୁଲିସ ଇନ୍ସପେକ୍ଟର ଶାରୀରିକ ସଂପର୍କ ରଖିଥିବା ମହିଳା ହୋମ୍‌ଗାର୍ଡ ଲିଖିତ ଅଭିଯୋଗ ଆଣିଥିଲେ।ହୋମ୍‌ଗାର୍ଡଙ୍କ ଅଭିଯୋଗ ଉପରେ ଜଗତସିଂହପୁର ଥାନାରେ ମାମଲା ରୁଜୁ କରାଯାଇଛି। ଘଟଣା ସଂକ୍ରାନ୍ତରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଦୁଇ ଦିନ ଭିତରେ ପୀଡ଼ିତାଙ୍କ ବୟାନ ରେକର୍ଡ ହେବ ବୋଲି ଶ୍ରୀ ଉଦ୍‌ଗାତା ସୂଚନା ଦେଇଥିଲେ।ଆଜି କୁଜଙ୍ଗ ଥାନା ଅଧିକାରୀ ଙ୍କୁ ନିଲମ୍ବିତ କରାଯାଇ ଥିବା ସୂଚନା ମିଳିଛି.

ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ।

Leave a Reply

Your email address will not be published. Required fields are marked *