ମୁଁ ଓ ମୋ କବିତା

              ମୁଁ ଓ ମୋ କବିତା

  

ମୁଁ ଓ ମୋ କବିତା ଦୁହେଁ ଅପୃଥକ୍ ଅଭିନ୍ନ
ଆମେ ଏକାତ୍ମା ମନର ସୂକ୍ଷ୍ମ ଦର୍ଶନରେ
ଶରୀର ଭିତରର ପ୍ରାଣ ଆଉ ସ୍ପନ୍ଦନ
ଦୁହେଁ ଅଛୁ ଦୁହିଁଙ୍କ ପାଇଁ ଶାଶ୍ଵତ ପ୍ରେମରେ
ମୁଁ ହେଲେ ଛନ୍ଦ କବିତା ତାର ସ୍ଵର
ଦୁହିଁଙ୍କ ମିଳନରୁ ଜନ୍ମେ ମଧୁର ସ୍ଵର ଝଙ୍କାର
ମୁଁ ଜୀବ କବିତା ମୋ ଜୀବନ
ମୁଁ ଦେହ ସେ ଦେହୀ ଅନ୍ତରର ଚିନ୍ତନ
ଆମେ ଗୋଟିଏ ବୃନ୍ତରେ ଦୁଇଟି ସୁମନ
କେବେ କେହି କାହାଠାରୁ ହଟାଉନା ଧ୍ୟାନ
ମୁଁ ଓ ମୋ କବିତା ଜୀବନ ନଈରେ ପ୍ଳାବନ
ମୁଁ ସେ ନଈର ଧାରା ହେଲେ ସେ କୂଳ
ଆମର ଯେତେ ସାଧନା କରିବାକୁ ମଙ୍ଗଳ
ସମୟର ଇଙ୍ଗିତରେ ଚାଲୁ ବହି ବହି
କପାଳରେ ଯା’ ଲେଖି ଦେଇଛି ବିହି
ଆସେ ଯେତେ ବାଧାବିଘ୍ନ କ୍ଳେଶ ଯାଉ ସହି
ଆନର ମନକୁ ନେବାକୁ ମୋହି
ଜୀବନ କିଛି ସ୍ବପ୍ନ କିଛି ଆଶାର ସମାହାର
ଅତୀତ ବର୍ତ୍ତମାନ ଭବିଷ୍ୟତ ଆମର
ଆକାଂକ୍ଷାର ସୂତାରେ ଗୁନ୍ଥା ଇସ୍ତାହାର
ପ୍ରାଣମୂର୍ଛା ଉଦ୍ୟମରେ ହୁଏ କିଛି ସାକାର
ମୁଁ ଓ ମୋ କବିତା ମନ ଆକାଶର ଭସା ବାଦଲ
ବର୍ଷି ଯିବାର ସମ୍ଭାବନାରେ ହେଉ ଝଲମଲ
କଳ୍ପନା କଳ୍ପବୃକ୍ଷରେ ଫୁଟୁ ହୋଇ ଫୁଲ
ମହକରେ ମହକି ଆମେ ପରସ୍ପରକୁ ପାଉ ଭଲ
ବିଧାତାର ସୃଷ୍ଟିରେ ହୋଇ ନିମିତ୍ତ ମାତ୍ର
କାୟ ମନ ବାକ୍ୟରେ ରହିବାକୁ ଚାହୁଁ ପବିତ୍ର
ସଂସାରର ରୀତି ନୀତି ବଡ଼ ବିଚିତ୍ର
ଖୋଜୁ ଯାହା ମିଳେ ନାହିଁ ଇଚ୍ଛାରେ ସର୍ବତ୍ର
ମୁଁ ଓ ମୋ କବିତା ଜୀବନେ ବଞ୍ଚିବାର ସୂତ୍ର।

🖊️କବିରତ୍ନ ନୂତନ କୁମାର ବେହେରା

କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *