ମେଡିକାଲ ପୋଟିକ ଛାତ ଭୁଷୁଡିବା ଘଟଣା, ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଘଟିଲା ଅଘଟଣ
ଗଣିଆ -ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନିର୍ମାଣଧିନ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ପୋଟିକ ଛାତ ଶୁକ୍ରବାର ସନ୍ଧ୍ୟାରେ ଭୁଷୁଡି ପଡିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ । ଆହତ ବ୍ୟକ୍ତି ମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି । ତେବେ ଏହି ପୋଟିକ ଛାତ ଭୁଷୁଡିବା ଘଟଣା ପାଇଁ ଠିକାଦାର ହିଁ ଦାୟୀ ବୋଲି ଜଣାପଡିଛି । ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଉପରୋକ୍ତ ଛାତ ଶୁକ୍ରବାର ନପକେଇବା ପାଇଁ ଠିକାଦାରଙ୍କୁ କହିଥିବା ବେଳେ ଠିକାଦାର ଜଣକ ତରବରିଆ ଭାବେ ଛାତ ପକାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଆନୁସଙ୍ଗିକ ଭିତ୍ତିଭୂମିକୁ ସଜାଡିବା ପରେ ହିଁ ଉକ୍ତ କାର୍ଯ୍ୟ ସଂପୂର୍ଣ୍ଣ ହେବା କଥା କିନ୍ତୁ ଛାତ ନିର୍ମାଣ ଆରମ୍ଭରୁ ତରବରିଆ ଭାବେ ହୋଇଥିବାରୁ ଏଭଳି ଘଟଣା ଘଟିଥିଲା । ତେବେ ଆଗାମୀ ଦିନରେ ସମସ୍ତ ଗାଇଡଲାଇନକୁ ପାଳନ କରି ଉକ୍ତ ଛାତ ନିର୍ମାଣ କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ ପ୍ରକାଶ କରିଛନ୍ତି । ତେବେ ବିଭାଗୀୟ ଅଧିକାରୀ ମାନେ ଠିକାଦାରଙ୍କ ଉପରେ ନିର୍ମାଣ କାର୍ଯ୍ୟ ଛାଡିଦେଇ ନିଜ ଦାୟିତ୍ବକୁ କିପରି ଭୂଲିଗଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କାର୍ଯ୍ୟ କରୁଥିବା ଶ୍ରମିକ ମାନେ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଥିବା ବେଳେ ଏଥିପାଇଁ କିଏ ଦାୟୀ ବୋଲି ସାଧାରଣରେ ଆଲୋଚନା ହେଉଛି । ଠିକାଦାର ଜଣକ ନିର୍ମାଣ କରିଥିବା ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ସ୍ଥାୟିତ୍ବ ଉପରେ ବୁଦ୍ଧିଜୀବୀ ମାନେ ପ୍ରଶ୍ନ ଉଠାଇଛନ୍ତି । ଘଟଣାସ୍ଥଳରୁ ଭୁଷୁଡି ପଡିଥିବା ସମସ୍ତ କାଠ, ସିମେଣ୍ଟ ଖଣ୍ଡ,ଲୁହା ରଡ ଆଦିକୁ ଠିକାଦାର ରାତିଅଧିଆ ଉଠାଇ ନେଇଥିବା ଘଟଣାକୁ ଆହୁରି ସନ୍ଦେହ ଘେରକୁ ନେଇଯାଇଛି । ଠିକାଦାର ଜଣକ ନିଜକୁ ସ୍ବଛ ଦେଖାଇବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ତେବେ ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଜନସାଧାରଣ ।
