ମା କଳାପାଟ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ପ୍ରସ୍ତୁତି ବୈଠକ
ଗଣିଆ – ସିଦ୍ଧ ଯୋଗୀ ବାବା ସ୍ବର୍ଗତ ରାମଦାସଙ୍କ ଦ୍ବାରା ପ୍ରତିଷ୍ଠିତ ଓମ୍ ମା ସତ୍ୟ ଶାନ୍ତି ସେବାଶ୍ରମ ଆନୁକୁଲ୍ୟରେ ନଭେମ୍ବର ମାସ ୨୩ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ମଣିଭଦ୍ରା ପର୍ବତ ପାଦଦେଶରେ ମା କଳାପାଟ ଠାକୁରାଣୀଙ୍କ ବୀଜେସ୍ଥଳୀରେ ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ମା କଳାପାଟ ଠାକୁରାଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ଐଶ୍ୱର୍ଯ୍ୟା ପୃଷେଠଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ଏହି ବୈଠକରେ ଉପଜିଲ୍ଲାପାଳ ରୋଜିନା ଦାସ,ବିଡ଼ିଓ ଅଙ୍କୁର ଅଭିଳାଶ, ଖଣ୍ଡପଡ଼ା ଏସଡିପିଓ ମଦନମୋହନ ପ୍ରଧାନ,ସତ୍ୟ ଶାନ୍ତି ସେବା ଟ୍ରଷ୍ଟର ସଦସ୍ୟ, ବିଦ୍ୟୁତ୍ ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗ,ଦମକଳ ବିଭାଗ, ପୂର୍ତ୍ତ ବିଭାଗ, ସ୍ବାସ୍ଥ୍ୟ ବିଭାଗ,ବନ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଯଜ୍ଞର ସଭାପତି ଅଜୟ ପଟ୍ଟନାୟକ, ଉପଦେଷ୍ଟା ନିର୍ମଳ ପଟ୍ଟନାୟକ, ଧୀରେନ୍ଦ୍ର ପାଣିଗ୍ରାହୀ, ସୁଧାଂଶୁ ଶେଖର ମିଶ୍ର, ଆଦିତ୍ୟ ନାରାୟଣ ମହାସୁପକାର, ବାରିଦ ଘୋଷ, ବିରଞ୍ଚି ପାଣିଗ୍ରାହୀ, ସୁଜିତ ମହାପାତ୍ର, ସୁକାନ୍ତ କୁମାର ଦାଶ,ପ୍ରବଚକ ପାର୍ଥ ସାରଥି ,ଶୋଭନ ମହାକୁଡ଼, ରାସଙ୍ଗ ସରପଞ୍ଚ ମାନସ ମହାଖୁଡ ପ୍ରମୁଖ ଉପସ୍ଥିତ ଥିଲେ । ୧୯୯୩ ମସିହା ଠାରୁ ଏହି ମହାଯଜ୍ଞ ପାଳିତ ହୋଇଆସୁଅଛି ।

ଏଥିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଆଶା ଥିବାରୁ ପ୍ରଶାସନିକ ଅଧିକାରୀ ତତ୍ପରତା ପ୍ରକାଶ କରିଥିଲେ । ରାସ୍ତା ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡିଥିବା ବେଳେ ଏଥିପ୍ରତି ସଭାରେ କ୍ଷୋଭ ପ୍ରକାଶ କରିଥିଲେ ଉପସ୍ଥିତ ସମସ୍ତ ସଦସ୍ୟ । ରାସ୍ତା ନିର୍ମାଣ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ଯଜ୍ଞ ସମୟରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆମିଷ ଦ୍ରବ୍ୟ ଏବଂ ମାଦକ ଦ୍ରବ୍ୟ ସଂପୂର୍ଣ୍ଣ ନିଷେଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବିଦ୍ୟୁତ ବିଭାଗ ଏବଂ ପାନୀୟ ଜଳ ଯୋଗାଣ ବିଭାଗର କର୍ମଚାରୀମାନେ ୪ ଦିନ ଧରି ଆଲର୍ଟ ରହିବାକୁ ଆଲୋଚନା କରାଯାଇଥିଲା । ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଶେଷ ହୋଇଥିବା ବେଳେ ବ୍ଳକ ସ୍ତରରେ କିଭଳି ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେ ସମ୍ପର୍କରେ ସମସ୍ତେ ଚେଷ୍ଟା କରିବାକୁ ତହସିଲଦାର ପରାମର୍ଶ ଦେଇଥିଲେ । ବିଗତ ବର୍ଷ ଭଳି ମାଳତିପୁଟ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
