ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ନୟାଗଡ଼,୧ା୧୨ : ନୟାଗଡ଼ ଜିଲ୍ଲା ଗଣିଆ ଶିକ୍ଷକ ଭବନ ପରିସରରେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ସମ୍ପାଦକ ବେଣୁଧର ପଣ୍ଡା, ରାଜ୍ୟ ଉପସଭାପତି ହୃଷିକେଶ ମହାନ୍ତି, ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ଜିଲ୍ଲା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଆଞ୍ଚଳିକ ସାମ୍ବାଦିକ ସଂଘ ଗଣିଆର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସମସ୍ୟା ସମ୍ପର୍କରେ ଉପସ୍ଥିତ ସାମ୍ବାଦିକମାନେ ମତବ୍ୟକ୍ତ କରିବା ସହିତ ସାମ୍ବାଦିକ ସୁରକ୍ଷା ଆଇନ୍, ବୟସ୍କଙ୍କୁ ପେନସନ ପ୍ରଦାନ, ସ୍ବାସ୍ଥ୍ୟ ବୀମା ଯୋଜନାକୁ ବର୍ଦ୍ଧିତ କରିବାକୁ ସରକାରଙ୍କ ପାଖରେ ଦାବି ରଖିବାକୁ ରାଜ୍ୟ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାମ୍ବାଦିକ ଏକତା ବଜାୟ ରଖିବାକୁ ସମସ୍ତେ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ଆଗାମୀ ଫେବୃୟାରୀ ମାସରେ ଉତ୍କଳ ସାମ୍ବାଦିକ ସଂଘ ତରଫରୁ ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯାଇ ପ୍ରମୁଖ ଦାବି ଗୁଡିକ ହାସଲ କରିବାକୁ ଚେଷ୍ଟା କରିବା ବୋଲି ରାଜ୍ୟ ସଭାପତି ବିଭୂତି ଭୂଷଣ କର ମତପୋଷଣ କରିଥିଲେ । ନାର୍ୟ୍ୟ ଦାବି ପୂରଣ ନହେବା ପର୍ୟ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ସେ ପ୍ରକାଶ କରିଥିଲେ । ଏହି ଅବସରରେ ନୟାଗଡ଼ ଜିଲ୍ଲାର ୮ଟି ବ୍ଳକର ବ୍ଳକ ସଂଯୋଜକ, ଅନେକ ବରିଷ୍ଠ ସାମ୍ବାଦିକ ତଥା ଆଞ୍ଚଳିକ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ ପାଠକ ହିସାବରେ ଗଣିଆ ପାଟଣାସାହିର ଭୋଳେଶ୍ବର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୟାଗଡ଼ ଜିଲ୍ଲାର ୮ଟି ବ୍ଳକର ପ୍ରାୟ ୧୫୦ରୁ ଅଧିକ ସାମ୍ବାଦିକ ଏହି କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସାମ୍ବାଦିକ ବିଜୟଲକ୍ଷ୍ମୀ ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ୟ୍ୟକାରୀ ସଭାପତି ଦେବୀ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ୧୬୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
