ମେଘନାଦ ପ୍ରାଚୀର

             ମେଘନାଦ ପ୍ରାଚୀର
       ( ରାଗ — କଳହଂସ କେଦାର )

   🖊️କବିରତ୍ନ ନୂତନ କୁମାର ବେହେରା

ବଡ଼ ଦେଉଳେ ଉଭା ବଡ଼ ଠାକୁର
ବଡ଼ ଶୋଭା ସ୍ଥଳ ବଡ଼ ଆଡମ୍ବର ଯେ,
ଦେଖି ଆଖି ଯାଏ ଲାଖି ରହେ ସ୍ଥିର
ମହିମା ତାଙ୍କର ଅନନ୍ତ ଅପାର ଯେ।

ଶ୍ରୀ’ଙ୍କୁ ଧରି ଶ୍ରୀଧର ବିଶ୍ବ ବିହାରୀ
ଶ୍ରୀକ୍ଷେତ୍ରେ ସବୁ ଶିରୀ ରହିଛି ଭରି ଯେ,
ନୀଳାଚଳ ଧାମ ନାମ ତା’ର ପୁରୀ
ପ୍ରଭୁଙ୍କ ଦର୍ଶନେ ଭକ୍ତ ଯାଏ ତରି ଯେ।

ମନ୍ଦିରର ଚାରି ଦିଗେ ଅଛି ଘେର
ସୁଦୀର୍ଘ ଉଚ୍ଚ ମେଘନାଦ ପ୍ରାଚୀର ଯେ,
ସିଂହଦ୍ବାର,ବ୍ୟାଘ୍ରଦ୍ଵାର,ହସ୍ତିଦ୍ଵାର,
ଅଶ୍ଵଦ୍ଵାର ନାମେ ଅଛି ଚାରିଦ୍ବାର ଯେ।

ମେଘନାଦ ବାହାର ବେଢ଼ାର ନାମ
ଭିତରର ବେଢ଼ାଟି ହେଉଛି କୁର୍ମ ଯେ,
ଦୈର୍ଘ୍ୟରେ ଛ’ଶହ ପଞ୍ଚଷଠି ଫୁଟ
ଓସାରରେ ଛ’ ଶହ ଚାଳିଶ ଫୁଟ ଯେ।

ପ୍ରାଚୀରର ଉଚ୍ଚତା କୋଡ଼ିଏ ଫୁଟ
ମୋଟେଇ ତାର ହେଉଛି ଛଅ ଫୁଟ ଯେ,
କୁରୁମା ପ୍ରାଚୀରଟି ତା’ଠାରୁ ସାନ
ଦୁଇ ପ୍ରାଚୀରର ଉଚ୍ଚତା ସମାନ ଯେ।

ମରହଟ୍ଟା ଶାସନ କାଳେ ନିର୍ମାଣ
ଇତିହାସ ଦିଏ ତାହାର ପ୍ରମାଣ ଯେ,
ଅନ୍ୟ ମତେ ଗଜପତି କପିଳେନ୍ଦ୍ର
ଗଢ଼ାଇଥିଲେ ମେଘନାଦ ପ୍ରାଚୀର ଯେ।

କିମ୍ବଦନ୍ତୀ କହେ ଲକ୍ଷ୍ମୀଙ୍କୁ ବିବାହ
ପ୍ରଭୁ କଲାରୁ ବରୁଣ କଲେ ଦ୍ରୋହ ଯେ,
ନ ପଶିବ ବୋଲି ସମୁଦ୍ର ଗର୍ଜନ
ମେଘନାଦ ପ୍ରାଚୀର ହେଲା ନିର୍ମାଣ ଯେ।

ପ୍ରଭୁ ଜଗନ୍ନାଥ ଜଗତେ ମଣିମା
କେ କହି ପାରିବ ତାଙ୍କର ମହିମା ଯେ,
ସେ ଲଙ୍ଘି ପାରନ୍ତି ଯେତେ ସବୁ ସୀମା
ମିଳଇ ମୋକ୍ଷ ପାଇ ତାଙ୍କ’ଠୁ କ୍ଷମା ଯେ।

ମହାପ୍ରଭୁଙ୍କୁ କୋଟି କୋଟି ପ୍ରଣାମ
ଭବ ସଂସାରେ ଦେଇଛନ୍ତି ଜନମ ଯେ,
ବିତି ଯାଉ ଦିନ ଜପି ତାଙ୍କ ନାମ
ଆନନ୍ଦରେ ହସି ଉଠୁ ଧରାଧାମ ଯେ।

 ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *