ମେଲାଣି ନେଲେ ମା ଜଗତ୍ ଜନନୀ ଦୁର୍ଗତିନାଶିନୀ
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଶାରଦୀୟ ଦୁର୍ଗାପୂଜା ଉତ୍ସବ ଧୁମ୍ ଧାମରେ ପାଳିତ ହୋଇଯାଇଛି।ଏହି ଅବସରରେ ଡେଲାଙ୍ଗ ଷ୍ଟେସନ ବଜାରର ଜଣାଶୁଣା ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଭାତ କ୍ଲବ୍ ପକ୍ଷରୁ ଚଳିତ ବର୍ଷ ଖୁବ୍ ଆଡମ୍ବର ସହକାରେ ଦୁର୍ଗାପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ପ୍ରଦୀପ୍ତ କୁମାର ସ୍ବାଇଁ ଓ ସମ୍ପାଦକ ପଦ୍ମନାଭ ବରାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶାରଦୀୟ ପୂଜା ଉତ୍ସବରେ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ମା ଦୁର୍ଗାଙ୍କ କୃପା ଲାଭ କରିଥିଲେ।ପଲ୍ଲବୀ ନୃତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ପବିତ୍ର ପରିଡାଙ୍କ ନିର୍ଦ୍ଦେଶନାରେ ପରିବେଷଣ କରାଯାଇଥିବା ନୃତ୍ୟ ଓ ସଙ୍ଗୀତ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା।ସେହିପରି ଡେଲାଙ୍ଗ ହାଟବଜାର,ଘୋରଡିଆ, ଇନ୍ଦିପୁର ବଜାର,ସାଉରିଆ ପଞ୍ଚାୟତର ୱାଉପଡ଼ା ଗ୍ରାମରେ ମା ଦୁର୍ଗାଙ୍କ ପୂଜା ଉତ୍ସବ ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି।ଚଳିତ ବର୍ଷ ପାଗ ଅନୁକୂଳ ହୋଇଥିବାରୁ ସନ୍ଧ୍ୟା ସମୟରେ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।ବୁଧବାର ମାଙ୍କ ଭସାଣି ଉତ୍ସବ ଥିବାରୁ ୱାଉପଡ଼ା ଗ୍ରାମର ଦୁର୍ଗାପୂଜା ମଣ୍ଡପରେ ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ ପ୍ରମୁଖ ଉପସ୍ଥିତ ହୋଇ ମା ଦୁର୍ଗାଙ୍କ ଆଶୀର୍ବାଦ ଲାଭ କରିଥିଲେ।ଗ୍ରାମର ପୂର୍ବତନ ୱାର୍ଡ ସଭ୍ୟ ଯୁଧିଷ୍ଠିର ମାର୍ଥା, ରାଜକିଶୋର ମାର୍ଥା, ମିଟୁ କୋଦମାସିଂହ ପ୍ରମୁଖ ଉପସ୍ଥିତ ରହି ମାଙ୍କୁ ମେଲାଣି ଦେବା ନିମନ୍ତେ ପ୍ରସ୍ତୁତି କାର୍ଯ୍ୟରେ ସହଯୋଗ କରିଥିଲେ।ତେବେ ବୁଧବାର ସନ୍ଧ୍ୟାରେ ଡେଲାଙ୍ଗ ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ ବିରାଜମାନ କରିଥିବା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଶୋଭାଯାତ୍ରାରେ ନିଆଯାଇ ବିସର୍ଜନ କରାଯାଇଛି।ଡେଲାଙ୍ଗ ଥାନାଧିକାରୀ ଦେବାଶିଷ ମହାନ୍ତି ପୋଲିସ୍ ଟିମ୍ ସହ ସଦଳବଳ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା ତଥା ସୁରକ୍ଷା ଦାୟିତ୍ଵ ନିର୍ବାହ କରିଥିବାବେଳେ ଚଳିତ ବର୍ଷ ଡେଲାଙ୍ଗରେ ଶାନ୍ତିଶୃଙ୍ଖଳାର ସହ ଦୁର୍ଗାପୂଜା ଉତ୍ସବ ପାଳିତ ହୋଇଯାଇଛି।
