ଝିମାଣିରେ ବଂଶୀଧର ସାହୁଙ୍କ ପାଇଁ ସ୍ମୃତି ସଭା
କୁଜଙ୍ଗ-୨୦/୯-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ବଗଦିଆ ପଞ୍ଚାୟତର ଝିମାଣି ସ୍ଥିତ ରୟତସାହିରେ ବଂଶୀଧର ସାହୁଙ୍କ ପାଇଁ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଛି। ଶ୍ରୀ ସାହୁ ପାରାଦୀପ ବନ୍ଦରର ପୂର୍ବତନ କର୍ମଚାରୀ ତଥା ଶାରଳା ମଣ୍ଡଳ ତୈଳିକ ମହାସଂଘର ସହ ସଂପାଦକ ଥିଲେ। ତାଙ୍କ ଏକାଦଶାହରେ ଏହି ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଶିକ୍ଷକ ଶ୍ରୀଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ସମାଜସେବୀ ସଲିଳ ସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ପଟ୍ଟନାୟକ, ନୀଳାଚଳ ସାରସ୍ଵତ ସଂଘର କେନ୍ଦ୍ରୀୟ ସଦସ୍ୟ ପ୍ରେମାନନ୍ଦ ପାଣି, ସଂଘର ହଳଦୀ ପାଣି ଶାଖା ସଭାପତି ପ୍ରହ୍ଲାଦ ଚନ୍ଦ୍ର ଦାସ ଓ ତୈଳିକ ମହାସଂଘ ପକ୍ଷରୁ ନବକିଶୋର ସାହୁ ପ୍ରମୁଖ ଯୋଗଦେଇ ସ୍ବର୍ଗତ ବଂଶୀଧର ସାହୁଙ୍କ ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତ ସାହୁ ଜଣେ ଦରଦୀ ଓ ମାନବୀୟ ଉଚ୍ଚତର ଚେତନା ସମ୍ପନ୍ନ ବ୍ୟକ୍ତିତ୍ଵର ଅଧିକାରୀ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ସେ ସାରା ଜୀବନ ଠାକୁର ନିଗମାନନ୍ଦଙ୍କ ଅନୁଗାମୀ ହୋଇ ତାଙ୍କ ଦର୍ଶନ ପ୍ରଚାର କରିବାରେ ନିଜକୁ ଉତ୍ସର୍ଗ କରିଥିଲେ। ନୀଳାଚଳ ସାରସ୍ଵତ ସଂଘକୁ ଏକ ଜମି ଦାନ କରି ହଳଦୀପାଣି ସଂଘ ଶାଖା ପ୍ରତିଷ୍ଠା କରିବାରେ ପ୍ରମୁଖ ନିଭାଇଥିଲେ। ତାଙ୍କର ଦୁଇ ପୁତ୍ର ଶରତ ଓ ସୁଶାନ୍ତ ଏବଂ ଝିଅ ସଂଧ୍ୟାରାଣୀ ଓ ଅଭିମନ୍ୟୁ ସ୍ମୃତି ସଭା କୁ ପରିଚାଳନା କରିଥିଲେ। ଶିକ୍ଷକ ସର୍ବେଶ୍ଵର ସ୍ବାଇଁଙ୍କ ତତ୍ତ୍ଵାବଧାନରେ ଏକ ଭଜନ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଥିଲା।
