ରଜସ୍ଵଳା ଉର୍ବୀ
ରଜସ୍ଵଳା ଉର୍ବୀ
( ରାଗ — ବିଭାସ କେଦାର )
🖊️କବିରତ୍ନ ନୂତନ କୁମାର ବେହେରା
ସୃଷ୍ଟିରେ ପ୍ରକୃତି ବଦଳଇ ନିତି,
ଜୀବନର ଗତି ସ୍ମରେ ତାର ସ୍ମୃତି।
ଉତ୍ଥାନ ପତନ ସୂଚାଏ କାରଣ,
କଲେ ତା’ ପାଳନ ଆସେ ଜାଗରଣ।
ବାରମାସେ ତେର ପରବେ ନିର୍ଭର,
କରି ଏ ସଂସାର ଚାଲେ ସୁରୁଖୁର।
ନିଦାଘର ଅନ୍ତେ ଆଷାଢ଼ ଆସନ୍ତେ,
ଗ୍ରୀଷ୍ମ କଷ୍ଟ ଯେତେ ଦୂରାଏ ତୁରିତେ।
ଆସଇ ମୌସୁମୀ ମେଘମାଳା ଚୁମି,
ବର୍ଷେ ଝୁମି ଝୁମି ବତୁରାଏ ଭୂମି।
ସ୍ଵଭାବେ ନିରବୀ ମେଘେ ଲୁଚେ ରବି,
ଯୌବନା ସମ୍ଭବୀ ରଜସ୍ଵଳା ଉର୍ବୀ।
ମାତା ରୂପେ ଧରା ସହି ବର୍ଷା ଧାରା,
ଅସରା ଅସରା ଦିଅଇ ସାହାରା।
ପ୍ରଜନନେ ଶସ୍ୟ ଉପୁଜେ ଅବଶ୍ୟ,
ଅମଳେ ନିଜସ୍ବ ଉତ୍ସର୍ଗେ ସ୍ଵର୍ବସ୍ଵ।
ମାଟି ମା’ ସରାଗ ସହିଷ୍ଣୁତା ତ୍ୟାଗ,
ଦିଅଇ ସୁଯୋଗ କରୁ ଉପଯୋଗ।
ଗଣପର୍ବ ଭାବେ ପାଳନ୍ତି ସରବେ,
ଓଡ଼ିଆ ଗୌରବେ ଯଶ ରଖେ ଭବେ।
ସ୍ଵତନ୍ତ୍ର ନିଆରା ଏ ଓଡ଼ିଶା ସାରା,
ଚାଲେ କ୍ରମଧାରା ରହେ ଅପାସୋରା।
ରଜ ତିନି ଦିନ ହୁଅଇ ପାଳନ,
ମାଆକୁ ସମ୍ମାନ ତାହାର ବିଧାନ।
ଆଷାଢ଼ ଆରମ୍ଭ ପହିଲି ଯେ ଶୁଭ,
ମନାସନ୍ତି ଲାଭ ଚିନ୍ତନେ ସୁଲଭ।
ସଂକ୍ରାନ୍ତି ସୁଦିନ ମେଦିନୀ ଦହନ,
ରଜ ତିନି ଦିନ କରୁ ଯେ ପାଳନ।
କର୍ଷଣ ଭିତ୍ତିକ ପର୍ବର ପ୍ରତୀକ,
ରଜ ଯେ ପ୍ରେରକ ରୂପରେ ପାଳକ।
ଅନୂଢ଼ା ତରୁଣୀ ପରମ୍ପରା ଜାଣି,
ହୋଇ ପୂଜାରିଣୀ ପାଳିଥାନ୍ତି ବାଣୀ।
ନାରୀର ମହତ୍ତ୍ଵ ରଖନ୍ତି ସତତ,
ଗଢ଼ି ଭବିଷ୍ୟତ କରନ୍ତି ଉଚିତ।
ନିଷ୍ଠା ସହ ବ୍ରତ ପାଳନେ ସଂଯତ,
ରୁହନ୍ତି ଜାଗ୍ରତ ରଖିବାକୁ ସତ।
ମାଟି ମା’ ସମ୍ମାନେ ବିଶ୍ରାମ ଏ ଦିନେ,
ମୃତ୍ତିକା ପୂଜନେ ରହିଥାଉଁ ଧ୍ୟାନେ।
ରଜସ୍ଵଳା ଉର୍ବୀ ମା’ ମାଟିର ଦେବୀ,
ଭାବ ଅନୁଭବି ହୃଦେ ଆଙ୍କୁ ଛବି।
ଉତ୍ସବ ମୁଖର ହୁଏ ପ୍ରତି ଘର,
କରି ତା’ ଆଦର ପାଳୁ ପରିବାର।
ଖେଳ କଉତୁକେ ଦୋଳି ଝୁଲୁ ସୌକେ,
ତିନି ଦିନ ଯାକେ ଆମର ମୂଲକେ।
ଖିଆପିଆ ଖୁସି ଗପ କରୁ ବସି,
ବନ୍ଧୁ ସାଥେ ହସି ଦୁଃଖ ଦେଉ ନାଶି।
ପରବ ପର୍ବାଣୀ ସୁଖ ଦିଏ ଆଣି,
ଜୀବନ କାହାଣୀ କରାଏ ଅଗ୍ରଣୀ।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
