ଶିଶୁମାନଙ୍କ ମାନସିକ ସ୍ୱାସ୍ଥ୍ୟ ଓ ହିସାବ ଖାତା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା
ଭଦ୍ରକ, ତା ୨୬.୦୨.୨୦୨୬
ଶିଶୁମାନଙ୍କ ମାନସିକ ସ୍ୱାସ୍ଥ୍ୟ ଓ ହିସାବ ଖାତା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଭଦ୍ରକ ଆନୁକୁଳ୍ୟରେ ଆଜି ପୁରାତନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟାଳୟ, ଭଦ୍ରକ ଠାରେ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀମାନଙ୍କୁ ନେଇ ଶିଶୁମାନଙ୍କ ମାନସିକ ସ୍ୱାସ୍ଥ୍ୟ ଓ ହିସାବ ଖାତା ସମ୍ବନ୍ଧୀୟ ଏକଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଭଦ୍ରକର ଅଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ବିଶ୍ୱାଳ ଯୋଗଦେଇ କହିଥିଲେ ଯେ ଚାପମୁକ୍ତ ଓ ସୁସ୍ଥ ମାନସିକ ପରିବେଶ ଶିଶୁମାନଙ୍କ ଶିକ୍ଷାଗତ ଉନ୍ନତି ସହ ତାଙ୍କର ସମଗ୍ର ବ୍ୟକ୍ତିତ୍ୱ ବିକାଶରେ ମୂଳ ଭୂମିକା ନିବାହ କରେ। ସନ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ ଯୋଗଦେଇ ଉପଯୁକ୍ତ ପୋଷଣ ଓ ଚାପମୁକ୍ତ ଜୀବନ ଶିଶୁମାନଙ୍କ ବୌଦ୍ଧିକ ବିକାଶରେ ସାହାଯ୍ୟକାରୀ ବୋଲି ଉଲ୍ଲେଖ କରିଥିଲେ।
ବୈଷୟିକ ଅଧିବେଶନରେ ଡା. ପାଣିଗ୍ରାହୀ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ବିସ୍ତୃତ ଆଲୋଚନା କରି କହିଥିଲେ ଯେ ସୁସ୍ଥ ମନୋବଳ ଥିଲେ ଶିଶୁମାନେ ଜୀବନର ପ୍ରତିକୂଳ ପରିସ୍ଥିତିକୁ ସହଜରେ ମୁକାବିଲା କରିପାରିବେ। କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟରେ ହିସାବ ଖାତା ସମ୍ବନ୍ଧୀୟ ଅଧିବେଶନରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ହିସାବରକ୍ଷକ ଶ୍ରୀ ଧୀରଜ କୁମାର ବାରିକ ସରକାରୀ ଅନୁଦାନର ସଠିକ ହିସାବ ପ୍ରସ୍ତୁତି, ରେକର୍ଡ ସଂରକ୍ଷଣ ଓ ବ୍ୟୟ ପ୍ରଣାଳୀ ବିଷୟରେ ପ୍ରାଞ୍ଜଳ ଭାବେ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ଶ୍ରୀ ବିଶ୍ୱନାରାୟଣ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅବିନାଶ ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରାସଙ୍ଗିକତା ବିଷୟରେ ବିସ୍ତୃତ ମତପ୍ରକାଶ କରିଥିଲେ।
ଏହି କର୍ମଶାଳାରେ ଜିଲ୍ଲାର ୭ଟି ଶିଶୁ ଯତ୍ନ ଅନୁଷ୍ଠାନର ସମ୍ପାଦକ, ଅଧିକ୍ଷକ, ପରାମର୍ଶଦାତା/ଦାତ୍ରୀ, ଶିଶୁ ମଙ୍ଗଳ ଅଧିକାରୀ ଓ ହିସାବରକ୍ଷକମାନେ ଯୋଗଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଶ୍ରୀ ସୁବ୍ରତ କୁମାର ଦାସ, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମଲିକ, ଶ୍ରୀ ଧୀରଜ କୁମାର ବାରିକ, ଶ୍ରୀମତୀ ଦମୟନ୍ତୀ ଦାଶ, ଶ୍ରୀ ନବୀନ ଚନ୍ଦ୍ର ବେହେରା, ଶ୍ରୀ କୁଳଦୀପ ଜେନା ଓ ଚାଇଲ୍ଡ ଲାଇନର ସଂଯୋଜିକା ଶ୍ରୀମତୀ ଶୁଭଶ୍ରୀ ପଢ଼ିଆରୀ ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ଶ୍ରୀ ମହେଶ ଚନ୍ଦ୍ର ଦାଶ ସଫଳତାର ସହ ପରିଚାଳନା କରିଥିଲେ ଏବଂ ଶେଷରେ ଗାନ୍ଧୀ ଓଡିଶା ବାଳଶ୍ରମର ସମ୍ପାଦକ ଶ୍ରୀ ଅଶୋକ କୁମାର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ।
