ମନପକ୍ଷୀ
( ରାଗ — ଚୋଖି )

 ରଞ୍ଜୁଲତା ପାଢୀ
     
ଆଜି ଏଇ ମନ ପକ୍ଷୀ ସୁନୀଳ ଅମ୍ବର ଦେଖି
ଉଡି ଉଡି ଯାଏ ଦେଖ ଡେଣାକୁ ମେଲି
ନାହିଁ ତା’ ବିପାକ ଭୟ ନାହିଁ ତା’ ଆନରେ ଲୟ
ବିଦଗ୍ଧ ଯନ୍ତ୍ରଣା ଯେତେ ଯାଇଛି ଭୂଲି
ସ୍ୱାଧୀନତା ମନ୍ତ୍ରକୁ ଗାଇ
କମନୀୟ ନମନୀୟ ହୃଦୟ ନେଇ।

ଏଇ ମନ ପକ୍ଷୀ ମୋର ଯୋଜନ ଯୋଜନ ଦୂର
ନିମିଷମାତ୍ରକେ ପରା ଆସଇ ଘୁରି
ବୋଲମାନେ ନାହିଁ ଯେବେ କୁକର୍ମରେ ଲିପ୍ତ ତେବେ
ଷଷ୍ଠେନ୍ଦ୍ରିୟ ରୂପେ ସ୍ଥାନ ଯେଣୁ ଆବୋରି
ବିବେକକୁ ଲଗାମ କରି
ଧୀରେ ଧୀରେ ଆପଣାକୁ ନିଏ ସୁଧାରି।

କେତେବେଳେ ନିର୍ଝରିଣୀ ସମ ଝର ଝରି ପୁଣି
ସୁଶାନ୍ତ ଗଭୀର ଭରା ପାରାବାରରେ
ମିଶାଇ ଦେଇ ତା’  କାୟା ଆନନ୍ଦ ମିଳନେ ଆହା
ହଜାଇ ଦିଏ ଅସ୍ତିତ୍ୱ ପ୍ରେମ ମନ୍ତ୍ରରେ
କଳି ନାହିଁ ଆପଣା ମୂଲ
ଅମ୍ବୁଧି ସାଥେ ମିଶିଣ ସେ ସମତୁଲ।

କଳ୍ପନାବିଳାସୀ ପକ୍ଷୀ ଭାବନା ରାଇଜେ ଲାଖି
କୁହୁକ ରାଇଜ କନ୍ୟା ସପନ ରାଣୀ
କେବେ ତା’ ଅଧୁରା ସ୍ୱପ୍ନ କେବେ ଅବା ସୁସଂପର୍ଣ୍ଣ
ନାଲି କଙ୍କି ପରି କେବେ ଧାଏଁ ସେ ପୁଣି
ମଳୟର ମଧୁଛନ୍ଦାରେ
କେବେ ପ୍ରୀତିପଣ ତା’ର ଜାହିର କରେ।

ମନପକ୍ଷୀ ଯେବେ ଥୟ ନ ଥାଏ କାହାକୁ ଭୟ
ମନର ମୂଳରେ ପରା ବନ୍ଧା ଜଗତ।
ମନ ଯଦି ନିରିମଳ ଗଡ଼ିଆ ବି ଗଙ୍ଗାଜଳ
ସ୍ୱଛ ପ୍ରତିବିମ୍ବ ହୃଦେ ସଦା ଜାଗ୍ରତ
ମନପକ୍ଷୀ ବିତୃଷ୍ଣା ଯେବେ
ସୁସ୍ୱାଦୁ ବ୍ୟଞ୍ଜନ ସ୍ୱାଦ ଅରୁଚି ତେବେ।

କେବେ ପୌର୍ଣ୍ଣମାସୀ ଜହ୍ନ ନୀରବ କୁମୁଦ ତାନ
ପ୍ରିୟ ପରମଙ୍କୁ ଚାହେଁ ଏକଲୟରେ
ପ୍ରଦୋଷ ଅନ୍ଧାର ତେଜି ନୀଳାକାଶେ ଶୋଭାରାଜି
ପ୍ରକାଶି ବିଜେ କରିବେ ହୃଦୟ ଡୋରେ
ଅଲଭ୍ୟ ସେ ପ୍ରକୃତି କୋଳେ
ଚାରୁସୁଷମାର ବୋଳା ପଣତ ତଳେ।

  ରାଉରକେଲା,ସୁନ୍ଦରଗଡ।

Leave a Reply

Your email address will not be published. Required fields are marked *