ଗୁହାଳପୁରରେ ମାଇନ୍ସ ବିଭାଗର ଚଢାଉ ବାଲି ବୋଝେଇ ଟ୍ରାକ୍ଟର ଜବତ ,ଲକ୍ଷାଧିକ ଟଙ୍କା ଫାଇନ ଖସିଗଲେ ବାଲି ମାଫିଆ
କୋଣାର୍କ- ପୂରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତ ଗୁହାଳପୁର ଗ୍ରାମରେ ଶନିବାର ଭୋର ସମୟରେ ମାଇନ୍ସ ବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇଥିଲା। ପୂରୀ ଜିଲ୍ଲା ଲଘୁ ଓ ଖଣିଜ ବିଭାଗ ଅଧିକାରୀ ସମୀର ମିଶ୍ରଙ୍କ ନେତୃତ୍ୱରେ ବନ୍ଧୁକ ଧାରୀ ପୋଲିସ୍ ଫୋର୍ସ ସହ ଚଢ଼ାଉ ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିଲେ। ବାଲି ଘାଟ ସ୍ଥଳରୁ ବାଲି ମାଫିଆ ମାନେ ଖସି ଜଙ୍ଗଲକୁ ଦୌଡ଼ି ପଳାଇଥିଲେ। କେତେକ ଟ୍ରାକ୍ଟର ମଧ୍ଯ ବାଲି ଢାଳି ଜଙ୍ଗଲରେ ଖସି ପଳାଇଥିଲେ। ଉକ୍ତ ଗ୍ରାମରୁ ବାଲି ମାଫିଆ ମାନେ ଟ୍ରାକ୍ଟର ମାଲିକଙ୍କ ସହାୟତାରେ ଦୈନିକ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ କରୁଥିବା ନେଇ ପରିବେଶବିତ୍ ଓ ଗ୍ରାମବାସୀ ମାନେ ଅଭିଯୋଗ କରି ଆସୁଥିଲେ। ସରକାରୀ ଜମିରୁ ପ୍ରାକୃତିକ ବାଲିବନ୍ତରୁ ବାଲି ଚୋରା ଚାଲାଣ ଓ ମୂଲ୍ୟବାନ ଗଛ କାଟି ଉକ୍ତ ଗ୍ରାମର କେତେକ ବାଲି ମାଫିଆ ମାନେ ଦୈନିକ ବାଲି ବିକ୍ରି କରୁଛନ୍ତି। ତାଙ୍କୁ ସେହି ଗ୍ରାମର ଜଣେ ରାଜନୈତିକ ଦଳର କୁଜି ନେତା ସହଯୋଗ କରୁଥିବା ଭିତିରି ସୂଚନା ମିଳିଛି। ଯାହା ଫଳରେ ବାଲି ମାଫିଆ ମାନେ ତହସିଲ ପ୍ରଶାସନ ଓ ପୋଲିସକୁ ବି ଖାତିର କରନ୍ତି ନାହି। ଜବତ ଟ୍ରାକ୍ଟର କୋଣାର୍କ ଥାନା ହେପାଜତରେ ଥିବା ବେଳେ ମାଇନ୍ସ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଫାଇନ ହୋଇଥିବା ସୁଚନା ମିଳିଛି। କିନ୍ତୁ ଗୁହାଳପୁର ଗ୍ରାମର ୩ଜଣ ବାଲି ମାଫିଆ ଘଟଣା ସ୍ଥଳରୁ ଖସି ପଳାଇଥିବା ବେଳେ ଓ ଅନ୍ୟ ଜଣେ ବାଲି ବୋଝେଇ ଟ୍ରାକ୍ଟର ମଧ୍ଯ ଫେରାର ହୋଇଯାଇଛି। ଆଗାମୀ ଦିନରେ ବ୍ୟାପକ ଚଢ଼ାଉ କରାଯାଇ ଅନ୍ୟ ଟ୍ରାକ୍ଟର ଜବତ ସହ ବାଲି ମାଫିଆଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଖଣିଜ ଅଧିକାରୀ ସୁଚନା ଦେଇଛନ୍ତି।
