ସୋରଭା ଗ୍ରାମପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ


ଗୋପ,- ଗୋପ ବ୍ଲକ ଅନ୍ତର୍ଗତ ସୋରଭା ଗ୍ରାମପଞ୍ଚାୟତରେ ଜବକାର୍ଡ ହିତାଧିକାରୀ ମାନଙ୍କୁ ଉପେକ୍ଷା କରି ମେଶିନ ଲଗାଇ ମନରେଗା ଯୋଜନାରେ ଗୋଷ୍ଠୀ ପୋଖରୀ ଖନନ, ଅମୃତ ସରୋବର ପୋଖରୀ ଖନନ ସହ ଅନ୍ୟାନ୍ୟ ଉନ୍ନୟନ ମୂଳକ କାମରେ ନାମକୁ ମାତ୍ର ମେଶିନ ଦ୍ବାରା କାମ କରାଯାଇ ଲକ୍ଷାଧିକ ଟଙ୍କାର ଦୁର୍ନୀତି ଓ ଅନିୟମିତତା କରାଯାଇଥିବା ସାଧାରଣରେ ଅଭିଯୋଗ ହେବା ସହ ଘଟଣାର ସତ୍ଯତା ଉନ୍ମୋଚନ ପାଇଁ ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି। ଖବରରୁ ପ୍ରକାଶ ଯେ ସୋରଭା ଗ୍ରାମପଞ୍ଚାୟତରେ ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ପ୍ରାୟ ୮୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କାର୍ଯ୍ୟ କରାଯାଇଥିବା ବେଳେ ଏହି ଗ୍ରାମପଞ୍ଚାୟତ ଦାୟିତ୍ବରେ ଥିବା ଗ୍ରାମ ରୋଜଗାର ସେବକ, କନିଷ୍ଠ ଯନ୍ତ୍ରୀ ଓ ବ୍ଳକ ମନରେଗା ସହାୟିକା ମିଳିତ ଭାବେ କମ କାର୍ଯ୍ୟ କରି ଲକ୍ଷାଧିକ ଟଙ୍କା ହରିଲୁଟ କରିବା ଘଟଣା ସୋରଭା ଗ୍ରାମପଞ୍ଚାୟତରେ ଚର୍ଚ୍ଚା ହେଉଥିବା ବେଳେ ଏହି ଗ୍ରାମପଞ୍ଚାୟତର ଜବକାର୍ଡ ଧାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହି ଗ୍ରାମପଞ୍ଚାୟତରେ ମନରେଗା ଯୋଜନାରେ ଜହ୍ନିବାଲିଆ ହାଟ ଠାରେ ସଂପାଦିତ ଖେଳ ପଡିଆ, ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଗୋଷ୍ଠୀ ପୋଖରୀ ଖନନ, ରାସ୍ତା ପାର୍ଶ୍ବରେ ନଡ଼ିଆ ଗଛ ଲଗାଇବା, ମନରେଗା ଯୋଜନାରେ କେନ୍ଦ୍ର ସରକାରଙ୍କ ଅମୃତ ସରୋବର ପୁଷ୍କରିଣୀ ଖନନ, ବିଭିନ୍ନ ସ୍ଥାନରେ ମାଟି ପୋତି କାମ ସମେତ ମନରେଗା ଯୋଜନାରେ ସଂପାଦିତ ସମସ୍ତ କାର୍ଯ୍ୟରେ ନାମକୁ ମାତ୍ର ମେଶିନ ଦ୍ବାରା କାର୍ଯ୍ୟ କରାଯାଇ ଲକ୍ଷାଧିକ ଟଙ୍କାର ମନରେଗା ଅର୍ଥର ଦୁରୁପଯୋଗ କରାଯାଇଥିବା କାର୍ଯ୍ୟ ନ ପାଇ ହତାଶ ମଧ୍ୟରେ କାଳାତିପାତ କରୁଥିବା ଜବକାର୍ଡ ହିତାଧିକାରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସରକାର ଯେଉଁ ଲକ୍ଷ୍ୟ ନେଇ ଜବକାର୍ଡ ହିତାଧିକାରୀ ମାନଙ୍କ ହିତ ସାଧନ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ମନରେଗା ଯୋଜନା ମାଧ୍ୟମରେ ୧୦୦ ଦିନର କର୍ମ ସଂସ୍ଥାନ ଜବକାର୍ଡ ହିତାଧିକାରୀ ମାନଙ୍କୁ ଯୋଗାଇ ଦେବାକୁ ପ୍ରତିଶ୍ରୁତି ବଦ୍ଧତା ନୀତି ଆପଣାଇଥିଲେ ତାହା ସୋରଭା ଗ୍ରାମପଞ୍ଚାୟତରେ ଫଳପ୍ରଦ ହୋଇପାରୁନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହି ଗ୍ରାମପଞ୍ଚାୟତର ନିର୍ବାଚିତ ଲୋକପ୍ରତିନିଧି, ଗ୍ରାମ ରୋଜଗାର ସେବକ, କାର୍ଯ୍ୟ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ବ୍ଳକ ମନରେଗା ସହାୟିକଙ୍କ ଅସାଧୁ ମେଣ୍ଟ ଯୋଗୁ ସମସ୍ତ କାର୍ଯ୍ୟ ମେଶିନ ଦ୍ବାରା ସଂପାଦନ ହେବା ଫଳରେ ଜବକାର୍ଡ ହିତାଧିକାରୀ ମାନଙ୍କୁ ନିରାଶାର ବାତାବରଣ ମଧ୍ୟରେ କାଳାତିପାତ କରିବାକୁ ପଡୁଥିବା ଦେଖିବାକୁ ମିଳିଛି। ଏହି ଗ୍ରାମପଞ୍ଚାୟତରେ ସମାଙ୍କୁଲା ଗ୍ରାମ ଠାରେ ମନରେଗା ଯୋଜନାରେ ଅମୃତ ସରବୋର ପୁଷ୍କରିଣୀ ଖନନ କାର୍ଯ୍ୟକୁ ଅନୁଧ୍ୟାନ କଲେ କିଭଳି ଭାବେ ଏହି ଗ୍ରାମପଞ୍ଚାୟତରେ ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ କରି ମନରେଗା ଯୋଜନାର ସଫଳ ରୂପାୟନ ପରିବର୍ତ୍ତେ ଆସିଥିବା ଅର୍ଥ କିଭଳି ନାମକୁ ମାତ୍ର କାର୍ଯ୍ୟ କରି ବାଟମାରଣା ପାଇଁ ଷଡଯନ୍ତ୍ର ଚାଲିଛି ତାହା ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି। ଏହି ପୁଷ୍କରିଣୀର କାମ ନିମ୍ନମାନର ହୋଇଥିବା ବେଳେ ଶ୍ରମିକ ବଦଳରେ ମେଶିନରେ ନାମକୁ ମାତ୍ର ଖୋଳା ଯିବା ଦ୍ଵାରା ପୋଖରୀ ବେଢାରୁ ମାଟି ଅତଡା ଖସି ପୋଖରୀ ପୋତି ହେବାରେ ଲାଗିଛି ବୋଲି କେତେକ ଗ୍ରାମବାସୀ ନିଜ ନାମ ଗୋପନ ରଖି ଅଭିଯୋଗ କରିଛନ୍ତି। ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ ସୋରଭା ଗ୍ରାମପଞ୍ଚାୟତରେ ମନରେଗା କାମ ସଠିକ ଭାବେ କାର୍ଯ୍ୟକାରୀ କରା ନ ଯାଇ ଅର୍ଥ ହରିଲୁଟ ପାଇଁ ସରକାରୀ ଅଧିକାରୀ ଓ ନିର୍ବାଚିତ ଲୋକପ୍ରତିନିଧିଙ୍କ ମଧ୍ୟରେ ଏକ ଅଘୋଷିତ ଅସାଧୁମେଣ୍ଟ ଚାଲିଥିବା ଚର୍ଚ୍ଚା ଜୋର ଧରିଛି। ଏହି ଗ୍ରାମପଞ୍ଚାୟତରେ ୨୦୨୨-୨୩ ଆର୍ଥିକ ବର୍ଷରେ ହୋଇଥିବା ମନରେଗା ଯୋଜନାର ସମସ୍ତ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ପାଇଁ ପୁରୀ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିବା ପାଇଁ ଗ୍ରାମ ପଞ୍ଚାୟତର ଶତାଧିକ ଉପେକ୍ଷିତ ଜବକାର୍ଡ ହିତାଧିକାରୀ, ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *