କାଳୀପୂଜା ରେ ଯୋଗ ଦେଲେ କନ୍ଧମାଳ ସାଂସଦ
କାଳୀପୂଜା ରେ ଯୋଗ ଦେଲେ କନ୍ଧମାଳ ସାଂସଦ ।
ଗଣିଆ – ଗଣିଆ ଚଉବଙ୍ଗ ଛକରେ ଥିବା ଲକ୍ଷ୍ମୀ ବଜାର ପୂଜା ମଣ୍ଡପରେ କାଳୀପୂଜା ଧୁମଧାମରେ ପାଳିତ ହୋଇଯାଇଛି । ସୋମବାର ମଧ୍ୟ ରାତିରେ ସ୍ଥାନୀୟ ଘାଗେରା ନାଳ ପରିସରରୁ କଳସୀରେ ଜଳ ଆଣି ଘଟ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଘଣ୍ଟ ଘଣ୍ଟା ଶଙ୍ଖ ନାଦରେ ପୂଜାସ୍ଥଳ କମ୍ପି ଉଠିଥିଲା । ଚଉବଙ୍ଗ ଛକ ଗଣିଆରେ ଗୋଟିଏ ଛୋଟିଆ ବଜାର ହୋଇଥିଲେ ମଧ୍ୟ ବ୍ୟବସାୟୀ ମାନଙ୍କ ସହଯୋଗରେ ପ୍ରତି ବର୍ଷ ଏଠାରେ କାଳୀପୂଜା ପାଳିତ ହୋଇଆସୁଅଛି । ଅପରାହ୍ନରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପୂଜା କମିଟି ତରଫରୁ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମଙ୍ଗଳବାର ପ୍ରବଚନ କାର୍ଯ୍ୟକ୍ରମ ସହିତ ଭୂବନେଶ୍ବରର ବିଶ୍ଵଶାନ୍ତି ଭଜନ ସନ୍ଧ୍ୟା ତରଫରୁ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ବରେଣ୍ୟ କଣ୍ଠଶିଳ୍ପୀ ଜଗବନ୍ଧୁ ମୁଦୁଲୀ ଏହି ଭଜନ ସନ୍ଧ୍ୟାରେ ଉପସ୍ଥିତ ରହି ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବଜାର ସଭାପତି ଗୋବିନ୍ଦ ଚନ୍ଦ୍ର ମହାରଣା, ସମ୍ପାଦକ ପରମାନନ୍ଦ ସାହୁ, କୋଷାଧ୍ୟକ୍ଷ ବିପିନ କୁମାର ମହାପାତ୍ର,ମାନସ କୁମାର ବେହେରା, ସରପଞ୍ଚ ଗିରିଧାରୀ ସେଠୀ, ବିଭୂତି ଭୂଷଣ ପଣ୍ଡା ପ୍ରମୁଖ ପରିଚାଳନା କରୁଥିବା ଜଣାପଡିଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
