ବିଭିନ୍ନ ପଂଚାୟତ ପରିକ୍ରମା କଲେ ବିଧାୟକ ଆକାଶ ଦାସନାୟକ

କୋରେଇ: ୨୮/୦୭: କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରେଇ ବ୍ଲକର କନ୍ତୋର ଗ୍ରାମପଂଚାୟତ, ଅସନଝର ଗ୍ରାମପଂଚାୟତ, ରଣପୁର ଗ୍ରାମପଂଚାୟତ, ବରୁଣ୍ଡେଇ ଗ୍ରାମପଂଚାୟତ, ମୂଳାପାଳ ଗ୍ରାମପଂଚାୟତ ପରିଦର୍ଶନ କରିଥିଲେ ମାନ୍ୟବର କୋରେଇ ବିଧାୟକ ଆକାଶ ଦାସନାୟକ । ଆଜି ସକାଳ ପ୍ରଥମେ କନ୍ତୋର ଗ୍ରାମପଂଚାୟତରେ ପହଂଚିଥିଲେ । ସେଠାରେ ପଂଚାୟତର ସରପଂଚ, ଦଳୀୟ କର୍ମୀ ଓ ବୁଦ୍ଧିଜୀବୀ ମାନଙ୍କ ସହିତ ପଂଚାୟତର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ପୂର୍ବକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ସମସ୍ୟା ଗୁଡିକ କୋରେଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ପଂଚାୟତର ରାସ୍ତା ଓ ଡ୍ରେନ୍ ଜେ.ଇ ଏବଂ ଗ୍ରାମ ଉନ୍ନୟନ ବିଭାଗର ଜେ.ଇ. ଏସ୍‌.ଡି.ଓ. ଙ୍କ ଉପସ୍ଥିତ ରେ ବୁଲି ଦେଖିଥିଲେ । ସେଠାରୁ ଯାଇ ଅସନଝର ଗ୍ରାମପଂଚାୟତରେ ପହଂଚି ସେଠାରେ ଅସନଝର ଗ୍ରାମପଂଚାୟତର ସରପଂଚ, ଦଳୀୟ କର୍ମୀ ଓ ବୁଦ୍ଧିଜୀବୀଙ୍କ ସହିତ ପଂଚାୟତର ଉନ୍ନତି ଓ ପ୍ରାଥମିକ ବିଦ୍ୟାଳୟ, ଆଖଣ୍ଡଳମଣି ଉଚ୍ଚ ବିଦ୍ୟାପୀଠ, ଗୋପୀନାଥ ହିଙ୍ଗୁଳା ଉଚ୍ଚ ବିଦ୍ୟାପୀଠ ପରିଦର୍ଶନ କରି ପିଲାମାନଙ୍କ ସମସ୍ୟା ଓ ସ୍କୁଲର ସମସ୍ୟା ବିଷୟରେ ଆଲୋଚନା କରି ତୁରନ୍ତ ତା’ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅସନଝର ଗ୍ରାମପଂଚାୟତର କୃଷି ସମବାୟ ସମିତିର କାର୍ଯ୍ୟାଳୟ ସ୍ଥାନ ନିରୁପଣ କରାଯାଇଥିଲା । ଡ୍ରେନେଜ୍ ବିଭାଗ ଦ୍ୱାରା କୃଷକ ମାନଙ୍କ ପାଇଁ ପାଦଚଲା ବ୍ରିଜ୍ ନିର୍ମାଣ ନିମନ୍ତେ ଡ୍ରେନେଜ୍ ବିଭାଗର ଜେ.ଇ. ଓ ଏସ୍‌.ଡି.ଓ. ଉପସ୍ଥିତ ରେ ପୋଡାତେନ୍ତୁଲୀ ନାଳ ବୁଲି ଦେଖିଥିଲେ ବିଧାୟକ ଦାସନାୟକ। ଅସନଝର ଗ୍ରାମପଂଚାୟତର ପଂଚାୟତ ରାଜ ବିଭାଗ ରାସ୍ତାଗୁଡିକ ଦେଖି ତୁରନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ରଣପୁର ରେ ପହଂଚିଥିଲେ । ଗ୍ରାମ ପଂଚାୟତର ସରପଂଚ, ଦଳୀୟ କର୍ମୀ ଓ ବୁଦ୍ଧିଜୀବୀଙ୍କ ସହିତ ପଂଚାୟତର ସମସ୍ୟା ବିଷୟରେ ଆଲୋଚନା କରି ତାର କିପରି ସମାଧାନ ହୋଇପାରିବ ସେନେଇ ତୁରନ୍ତ ବିଭାଗୀୟ ଅଫିସର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ଏଠାକାର ଉଚ୍ଚ ବିଦ୍ୟାଳୟରେ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ପିଲାମାନଙ୍କ ସହିତ ମିଶି ସେମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ରଣପୁର ଗ୍ରାମପଂଚାୟତରେ ହେବାକୁ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିମନ୍ତେ ସ୍ଥାନ ନିରୁପଣ କରାଯାଇଥିଲ । ପରେ ଗୋପାଳପୁର ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପଂଚାୟତ ରାଜ ବିଭାଗ ଅର୍ନ୍ତଭୁକ୍ତ ଥିବା ରାସ୍ତା ଗୁଡିକ ପରିଦର୍ଶନ କରିଥିଲେ । ରଣପୁର ଠାରୁ ଇଚ୍ଛାପୁର ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ବହୁତ ଖରାପ ଅବସ୍ଥାରେ ଥିବା ଦେଖି ତୁରନ୍ତ ବର୍ଷା ରୁତୁ ପରେ କାର୍ଯ୍ୟ କରିବାପାଇଁ ଉଚ୍ଚପଦସ୍ଥ ଅଫିସରଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିଥିଲେ । ରଣପୁର ଗ୍ରାମପଂଚାୟତ ପରିଦର୍ଶନ ସାରି ବରୁଣ୍ଡେଇ ଗ୍ରାମପଂଚାୟତରେ ପହଂଚିଥିଲେ ବିଧାୟକ ଆକାଶ । ସେଠାରେ ବରୁଣ୍ଡେଇ ଗ୍ରାମପଂଚାୟତର ସରପଂଚ, ଦଳୀୟ କର୍ମୀ ଓ ସେହି ଅଂଚଳର ବୁଦ୍ଧିଜୀବୀଙ୍କ ସହିତ ପଂଚାୟତର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଗ୍ରାମପଂଚାୟତ କାର୍ଯ୍ୟାଳୟର ନୂତନ ନିର୍ମାଣଧିନ ଗୃହ ଦେଖିଥିଲେ । ବରୁଣ୍ଡେଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପିଲାମାନଙ୍କ ସହିତ କିଛି ସମୟ କାଟିଥିଲେ । ବରୁଣ୍ଡେଇ ମକୁନ୍ଦପୁର ପୂର୍ତବିଭାଗ ରାସ୍ତାଟି ବରୁଣ୍ଡେଇ ବଜାର ଦେଇ ଯାଇଅଛି । ବର୍ଷାଦିନେ ଜଳ ନିଷ୍କାସନର ବହୁତ ସମସ୍ୟା ବଜାର ଭିତରେ ଥିବାରୁ ସେଠାରେ ନୂତନ ଡ୍ରେନ୍ ନିର୍ମାଣ ନିମନ୍ତେ ଆଲୋଚନା ହୋଇଥିଲା । ତୁରନ୍ତ ଡ୍ରେନ୍ ନିର୍ମାଣ ନିମନ୍ତେ ବିଭାଗୀୟ ଅଫିସରଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ପଂଚାୟତର ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବରୁଣ୍ଡେଇ ଗ୍ରାମପଂଚାୟତ ପରିଦର୍ଶନ ଶେଷ ହେବାପରେ ମୂଳାପାଳ ଗ୍ରାମପଂଚାୟତ ସରସଦା ନଦୀବନ୍ଧରେ ଉପସ୍ଥିତ ପଂଚାୟତର ସମସ୍ତ କର୍ମୀ ମାନଙ୍କ ସହିତ ବନ୍ୟା ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ବନ୍ଧରୁ ଗ୍ରାମ ଗୁଡିକୁ ଯିବା ଆସିବା ପାଇଁ ନିର୍ମାଣ ହେଉଥିବା ଗୋଡା ଗୁଡିକୁ ବିଧାୟକ ବୁଲି ଦେଖିଥିଲେ । ଇରିଗେସନ୍ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ । ଏହି ମାରାଥନ୍ ପରିଦର୍ଶନ ସମୟରେ ଶିକ୍ଷା ବିଭାଗର ଅଧିକାରୀ ବ୍ଲକ୍ ଶିକ୍ଷା ଅଧିକାରୀ, ପଂଚାୟତ ଯନ୍ତ୍ରୀ, ପଂଚାୟତ ଓ ଏକ୍‌ଜୁକ୍ୟୁଟିଭ୍ ଅଫିସର, ରାଜସ୍ୱ ବିଭାଗର ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ, ରାଜସ୍ୱ ସୁପରଭାଇଜର, ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ, ଏସ୍‌.ଡି.ଓ., ପୂର୍ତ ବିଭାଗର ଯନ୍ତ୍ରୀ, ଏସ୍‌.ଡି.ଓ., ଡ୍ରେନେଜ୍ ବିଭାଗର ଯନ୍ତ୍ରୀ, ଏସ୍‌.ଡି.ଓ., ଇରିଗେସନ୍ ବିଭାଗର ଯନ୍ତ୍ରୀ ଉପସ୍ଥିତ ଥିଲେ । କୋରେଇର ସମସ୍ତ ମଣ୍ଡଳ ସଭାପତି, ସରପଂଚ, ପଂଚାୟତ ସମିତି ସଭ୍ୟ, ଦଳୀୟ କର୍ମୀ, ବୁଦ୍ଧିଜୀବୀ, ଶୁଭେଚ୍ଛୁ ଉପସ୍ଥିତ ରହି ସମସ୍ୟା ଗୁଡିକ ତୁରନ୍ତ କିପରି ସମାଧାନ ହେବ ଏବଂ ନୂତନ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେବ ସେ ବିଷୟରେ ଆଲୋଚନା କରିଥିଲେ । ତେବେ ବିଧାୟକ ଦାସନାୟକ ସମସ୍ତ ବିଭାଗର ଅଫିସର ମାନଙ୍କୁ ତୁରନ୍ତ ସମସ୍ୟାର ସମାଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *