ଟିଣ ଆଜବେଷ୍ଟସ ପକାଇ ମିଳିମିଶି ଅର୍ଥ ହଡପ

ଟିଣ ଆଜବେଷ୍ଟସ ପକାଇ ମିଳିମିଶି ଅର୍ଥ ହଡପ,

ଗଣିଆ – ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବାକୁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ବିଦ୍ୟାଳୟକୁ ଚାକଚକ୍ୟ କରିବାକୁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି । ବିଦ୍ୟାଳୟର ଚାକଚକ୍ୟ ତଥା ସୁନ୍ଦର ପରିବେଶକୁ ଆକୃଷ୍ଟ ହୋଇ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ଆସିବେ । ବିଶେଷକରି ଅପହଞ୍ଚ ଇଲାକା ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅବହେଳିତ ହୋଇ ପଡିରହିଥିବା ବିଦ୍ୟାଳୟ ଗୁଡ଼ିକୁ ମରାମତି କରିବା ତଥା ଶ୍ରେଣୀ ଗୃହଗୁଡିକୁ ସଜାଡ଼ିବା ପାଇଁ ସରକାରଙ୍କ ତରଫରୁ ପ୍ରୟାସ ଜାରି ରହିଛି । କିନ୍ତୁ କିଛି ଅପାରଗ ତଥା ଦୁର୍ନୀତିଖୋର ଅଧିକାରୀଙ୍କ ଯୋଗୁଁ ଏହି ଯୋଜନା ଫଳପ୍ରଦ ହୋଇପାରୁନାହିଁ । ଅର୍ଥ ମଞ୍ଜୁର ହେଉଛି ସତ କିନ୍ତୁ ତାହା ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭିଯୋଗ ଆସିଛି ଗଣିଆ ବ୍ଳକ ବଡ଼ସିଲିଙ୍ଗା ପଞ୍ଚାୟତର ସବୁଠାରୁ ଅବହେଳିତ ବିଦ୍ୟାଳୟ ଡମାଘାଟି ପ୍ରାଥମିକ ବିଦ୍ୟାଳୟରେ । ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ୨ଟି ଶ୍ରେଣୀଗୃହ ରହିଛି । ୫ଟି ଶ୍ରେଣୀରେ ୬ଟି ପିଲା ଏବଂ ଜଣେ ଶିକ୍ଷକ କାର୍ଯ୍ୟରତ ଅଛନ୍ତି । ତେବେ ଗଣିଆ ଠାରୁ ଅପହଞ୍ଚ ଇଲାକା ଭାବେ ପରିଗଣିତ ଏହି ସ୍ଥାନରେ ବିଭାଗୀୟ ଅଧିକାରୀଙ୍କ ପାଦ ପଡେନାହିଁ । ଏହି ବିଦ୍ୟାଳୟକୁ ଯିବାକୁ ଘାଟି ପାର ହୋଇ ଯିବାକୁ ପଡ଼େ ଯେଉଁଠିକି ପାଦଚଲା ରାସ୍ତା ମଧ୍ୟ ନାହିଁ । ତେବେ ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଉକ୍ତ ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ତେବେ ଶ୍ରେଣୀ ଗୃହ ନିର୍ମାଣ କରିବା ଦୂରର କଥା କେବଳ ଟିଣ ଆଜବେଷ୍ଟସ ପକାଇ ମିଳିମିଶି ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି । ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସହକାରୀ ଯନ୍ତ୍ରୀ ଏବଂ ଠିକାଦାର ପର୍ଯ୍ୟନ୍ତ ସମସ୍ତେ ଏଠାରେ ଆଦିବାସୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅର୍ଥ ହରିଲୁଟ କରିଥିବା ଦେଖିବାକୁ ମିଳିଛି । ଫଳକରେ ବିଦ୍ୟାଳୟ ନିର୍ମାଣ ଲେଖାଯାଇଥିବା ବେଳେ କେବଳ କିଛି ଟିଣ ଆଜବେଷ୍ଟସ ପକାଇ କିଭଳି ବିଲ୍ କରାଗଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୃହଟିର ସମ୍ମୁଖ ଭାଗର କୋଣରେ ସିମେଣ୍ଟ ପ୍ଳାଷ୍ଟର ଟିକେ କରି କାମ ସାରି ଦେଇଛନ୍ତି । ନାଁ ଏଥିରେ ରଙ୍ଗମରା ହେଇଛି ନା କାନ୍ଥରେ ପଲସ୍ତରା ହୋଇଛି । ଏପରିକି ଆଜବେଷ୍ଟସ ପଡିଥିବା କାଠ ଗୁଡିକ ଖତରା ହୋଇଯାଇଥିବା ବେଳେ ସେଗୁଡିକୁ ଆଲକାତରା ମାରି ବିଲ୍ ହୋଇଛି । ଅପହଞ୍ଚ ଇଲାକା ହୋଇଥିବାରୁ ଏଠାରେ ଅଧିକାରୀଙ୍କ ପାଦ ପଡୁନଥିବାରୁ ମିଳିମିଶି ଲୁଟି ନେଇଥିବା ଅଭିଯୋଗ ହୋଇଛି । ବିଭାଗୀୟ ଯନ୍ତ୍ରୀ କିଭଳି କାମ ନଦେଖି ବିଲ୍ କଲେ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି । ତେବେ ଜିଲ୍ଲା କତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏଭଳି ଦୁର୍ନୀତିରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *